ୟେସ୍‌ ବ୍ୟାଙ୍କ ସଙ୍କଟ, ୨୦୧୭ରୁ ବିଗିଡ଼ିଥିଲା ସ୍ଥିତି

ଷ୍ଟେଟ ବ୍ୟାଙ୍କ ନିବେଶ କରିପାରେ ୨୪୫୦ କୋଟି

ନୂଆଦିଲ୍ଲୀ: ୟେସ୍‌ ବ୍ୟାଙ୍କର ସଙ୍କଟ ହଠାତ୍‌ ସୃଷ୍ଟି ହୋଇନାହିଁ। ୨୦୧୭ରୁ ବ୍ୟାଙ୍କର ପ୍ରଶାସନିକ ସମସ୍ୟା ଭାରତୀୟ ରିଜର୍ଭ ବ୍ୟାଙ୍କ ନଜରକୁ ଆସିଥିଲା। ବ୍ୟାଙ୍କ ଗୁଡ଼ିକ ପାଇଁ ରହିଥିବା ନିୟାମକ ବ୍ୟବସ୍ଥାକୁ ମଧ୍ୟ ଏହି ବ୍ୟାଙ୍କ ଠିକ୍ ଭାବେ ପାଳନ କରି ପାରୁନଥିଲା। ଏଥିସହିତ ବ୍ୟାଙ୍କ ଏହାର ସମ୍ପତ୍ତି (ଆସେଟ୍‌) ବର୍ଗୀକରଣ ମଧ୍ୟ ଠିକ୍ ରଖୁନଥିଲା। ଋଣ ପ୍ରଦାନରେ ବ୍ୟାଙ୍କ ଅନେକ ବିପଦପୂର୍ଣ୍ଣ ନିଷ୍ପତ୍ତି ନେଇଥିଲା। ଏହା ଜାଣିବା ପରେ ରିଜର୍ଭ ବ୍ୟାଙ୍କ ୟେସ୍‌ ବ୍ୟାଙ୍କର ଶୀର୍ଷ ପରିଚାଳନା ମଣ୍ଡଳୀରେ ପରିବର୍ତ୍ତନ ପାଇଁ ପରାମର୍ଶ ଦେଇଥିଲା। ବ୍ୟାଙ୍କର ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ଏସବୁ ନିଷ୍ପତ୍ତି ନିଆଯାଇଥିଲା। ୨୦୧୮ ସେପ୍ଟେମ୍ବର ୧୮ରେ ଜଣେ ନୂଆ ସିଇଓଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏହାପରେ ବ୍ୟାଙ୍କର ବ୍ୟବସ୍ଥାକୁ ସଜଡ଼ିବାକୁ ପ୍ରୟାସ କରାଯାଇଥିଲା। କେବଳ ରିଜର୍ଭ ବ୍ୟାଙ୍କ ନୁହେଁ, ତଦନ୍ତକାରୀ ସଂସ୍ଥାମାନେ ମଧ୍ୟ ୟେସ୍‌ ବ୍ୟାଙ୍କରେ ଅନିୟମିତତା ହୋଇଥିବା ଜାଣିବାକୁ ପାଇଥିଲେ। ସେହି ସବୁ ପ୍ରସଙ୍ଗରେ ଆଇନଗତ ଦୃଷ୍ଟିରୁ ଯେଉଁସବୁ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ତାହା ଗ୍ରହଣ କରିବାକୁ ଏବେ ରିଜର୍ଭ ବ୍ୟାଙ୍କକୁ ସରକାର କହିଛନ୍ତି। ବର୍ତ୍ତମାନ ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଥିବା ଅନିଲ ଅମ୍ବାନି ଗ୍ରୁପ୍, ଏସେଲ୍‌, ଆଇଏଲ୍‌ଏଫ୍‌ଏସ୍‌, ଡିଏଚ୍‌ଏଲ୍‌ଏଫ୍‌ ଏବଂ ଭୋଡାଫୋନ ଭଳି କମ୍ପାନିକୁ ଏହି ବ୍ୟାଙ୍କ ଋଣ ପ୍ରଦାନ କରିଛି।

zeenews

ଷ୍ଟେଟ ବ୍ୟାଙ୍କ ନିବେଶ କରିପାରେ ୨୪୫୦ କୋଟି
ନୂଆଦିଲ୍ଲୀ: ୟେସ ବ୍ୟାଙ୍କର ପୁନରୁଦ୍ଧାର ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ପୁନରୁଦ୍ଧାର ଚିଠା ପ୍ରସ୍ତାବ ଜାରି କରିଛି। ଏହାକୁ ସାର୍ବଜନୀନ କରାଯିବା ସହିତ ଆସନ୍ତା ୯ ତାରିଖ ସୁଦ୍ଧା ମତାମତ ପ୍ରଦାନ ଲାଗି କୁ‌ହାଯାଇଛି। ଚିଠା ପ୍ରସ୍ତାବ ଅନୁଯାୟୀ, ୟେସ୍ ବ୍ୟାଙ୍କର ୪୯ ପ୍ରତିଶତ ଅଂଶଧନ କିଣିବା ପାଇଁ ଷ୍ଟେଟ ବ୍ୟାଙ୍କ ୨୪୫୦ କୋଟି ଟଙ୍କା ନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛି। ପୁନର୍ଗଠିତ ବ୍ୟାଙ୍କର ସବୁ କର୍ମଚାରୀଙ୍କୁ ଅନ୍ତତଃପକ୍ଷେ ବର୍ଷେ ପର୍ଯ୍ୟନ୍ତ ଦରମା ମିଳିବା ଜାରି ରହିବ। ପୁନର୍ଗଠିତ ବ୍ୟାଙ୍କରେ ଅଂଶଧାରୀମାନଙ୍କ ପୁଞ୍ଜି (ଅଥରାଇଜଡ୍‌ କ୍ୟାପିଟାଲ)କୁ ୫୦୦୦ କୋଟି ଏବଂ ଇକ୍ବିଟି ସେୟାର ମୂଲ୍ୟ ୪୮ହଜାର କୋଟି ଟଙ୍କା (ପ୍ରତ୍ୟେକଟିର ମୂଲ୍ୟ ୨ ଟଙ୍କା)ରେ ପରିବର୍ତ୍ତନ କରିବା ଯୋଜନା ରହିଛି। ନୂଆ ବ୍ୟାଙ୍କରେ ନିବେଶ ବ୍ୟାଙ୍କ ଏହାର ଅଂଶଧନକୁ ୩ ବର୍ଷ ପୂରଣ ନହେବା ଯାଏଁ ୨୬ ପ୍ରତିଶତରୁ କମ୍ କରିପାରିବ ନାହିଁ। ବ୍ୟାଙ୍କ ପାଇଁ ଏକ ନୂଆ ବୋର୍ଡ ଗଠନ କରାଯିବ। ବ୍ୟାଙ୍କର ପରିଚାଳନାରେ ଥିବା ପ୍ରମୁଖ ଅଧିକାରୀଙ୍କୁ ବିଦା କରିବା ନେଇ ପୁନର୍ଗଠିତ ନିର୍ଦ୍ଦେଶକ ମଣ୍ଡଳୀ ହାତରେ କ୍ଷମତା ରହିବ। ପୁନର୍ଗଠିତ ବ୍ୟାଙ୍କ ନୂଆ କାର୍ଯ୍ୟାଳୟ ଏବଂ ଶାଖା ଖୋଲିବା କିମ୍ବା ବନ୍ଦ କରିବା ଅଧିକାର ରିଜର୍ଭ ବ୍ୟାଙ୍କର ନିୟମ ଅନୁସାରେ ପାଇବ।

ସମ୍ବନ୍ଧିତ ଖବର