‌ୟେସ୍‌ ବ୍ୟାଙ୍କ ଉପରେ ରହିବ ନଜର; ସରୁଛି ଲକ୍‌-ଇନ୍ ଅବଧି, ବିକ୍ରି ହୋଇପାରେ ସେୟାର

ମୁମ୍ବାଇ : ୟେସ୍‌ ବ୍ୟାଙ୍କ ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଯେଉଁ ତିନି ବର୍ଷର ଲକ୍‌-ଇନ୍ ଅବଧି ଲାଗୁ କରିଥିଲେ ତାହା ଆସନ୍ତାକାଲି ଶେଷ ହେଉଛି। ତେଣୁ ଆସନ୍ତାକାଲି ଷ୍ଟକ ବଜାରରେ ୟେସ୍‌ ବ୍ୟାଙ୍କ ସେୟାର ବିପୁଳ ପରିମାଣରେ ବିକ୍ରି ହେବାର ଆଶଙ୍କା ସୃଷ୍ଟି ହୋଇଛି। ଦୁର୍ବଳ ହୋଇପଡ଼ିଥିବା ୟେସ୍‌ ବ୍ୟାଙ୍କକୁ ଉଦ୍ଧାର କରିବା ଲାଗି ରିଜର୍ଭ ବ୍ୟାଙ୍କ ତାହାକୁ ନିଜ ନିୟନ୍ତ୍ରଣକୁ ନେଇଥିଲେ। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ନେତୃତ୍ବରେ ଆଠଟି ବ୍ୟାଙ୍କ ଜରିଆରେ ତାହାକୁ ଉଦ୍ଧାର ମଧ୍ୟ କରିଥିଲେ। ସେହି ସମୟରେ ୟେସ୍‌ ବ୍ୟାଙ୍କରେ ନିବେଶ କରି ସେୟାର ହାସଲ କରିଥିବା ବ୍ୟାଙ୍କ, ନିବେଶକ ଓ ଏକ୍ସଚେଞ୍ଜ୍‌ ଟ୍ରେଡେଡ୍‌ ଫଣ୍ଡ୍‌ ଉପରେ ତିନି ବର୍ଷିଆ କଟକଣା ଜାରି କରାଯାଇଥିଲା। ଏହି ତିନି ବର୍ଷର ଲକ୍‌-ଇନ୍ ଅବଧିରେ କେହି ସେୟାର ବିକ୍ରି କରିପାରିବେନି ବୋଲି ରିଜର୍ଭ ବ୍ୟାଙ୍କ କହିଥିଲେ।

ଆଜି (ସୋମବାର) ଏହି କଟକଣା ଅବଧି ଶେଷ ହେଉଥିବାରୁ ବିଭିନ୍ନ ବ୍ୟାଙ୍କ ସମେତ ଏକ୍ସଚେଞ୍ଜ ଟ୍ରେଡେଡ୍ ଫଣ୍ଡ୍‌ଗୁଡ଼ିକ ନିଜ ପାଖରେ ଥିବା ୟେସ୍‌ ବ୍ୟାଙ୍କ ସେୟାରକୁ ବିକ୍ରି କରିପାରନ୍ତି ବୋଲି ଆଶଙ୍କା କରାଯାଉଛି। ଆଜି ହଠାତ ସବୁ ସେୟାର ବିକ୍ରି ହୋଇନପାରେ। କିନ୍ତୁ କିଛି ସପ୍ତାହ ପର୍ଯ୍ୟନ୍ତ ବିକ୍ରିର ଧାରା ଜାରି ରହିପାରେ ବୋଲି କୁହାଯାଉଛି। ଖୁଚୁରା, ଧନୀ ଓ ପ୍ରବାସୀ ଭାରତୀୟ ନିବେଶକଙ୍କ ପାଖରେ ୟେସ୍‌ ବ୍ୟାଙ୍କର ୧୩୫ କୋଟି ସେୟାର ରହିଛି। ଏହା ବ୍ୟତୀତ ଏକ୍ସଚେଞ୍ଜ୍‌ ଟ୍ରେଡେଡ୍‌ ଫଣ୍ଡ୍‌ଗୁଡ଼ିକ ପାଖରେ ୬.୭ କୋଟି ସେୟାର ରହିଛି। ଏହି ସବୁ ସେୟାର ଲକ୍‌-ଇନ୍ ଅବଧି ଅଧୀନରେ ଥିଲା।

ସମ୍ବନ୍ଧିତ ଖବର