ଚୀନ୍‌ଠାରୁ ଦୂରେଇବାକୁ ଚାହୁଛି ଟିକ୍‌ଟକ୍, ବିଦେଶରେ ସ୍ଥାପନ କରିବ ମୁଖ୍ୟ କାର୍ଯ୍ୟାଳୟ

ବରିଷ୍ଠ ପଦରେ ଅନ୍ୟ ଦେଶର ଅଧିକାରୀଙ୍କୁ ନିଯୁକ୍ତି ଦେଉଛି

ନୂଆଦିଲ୍ଲୀ: ଭାରତ ସରକାର ନିଷିଦ୍ଧ ଘୋଷଣା କରିବା ପରେ ଆମେରିକାରେ ଚିନ୍ତା ପ୍ରକଟ କରାଯାଇଥିବାରୁ ଚୀନ୍‌ର କଂପାନି ବାଇଟ୍‌ଡାନ୍ସ ଏହାର ଲୋକପ୍ରିୟ ଆପ୍ ଟିକ୍‌ଟକ୍‌କୁ ଚୀନ୍‌ ଠାରୁ ଦୂରେଇବାକୁ ଉଦ୍ୟମ ଆରମ୍ଭ କରିଛି। ଏଥିପାଇଁ ଅନେକ ପ୍ରକାର ବିକଳ୍ପ ଉପରେ କଂପାନି ଚିନ୍ତା କରୁଛି। ଟିକ୍‌ଟକ୍ ପାଇଁ ଏକ ସମ୍ପୂର୍ଣ୍ଣ ଭିନ୍ନ ପରିଚାଳନା ମଣ୍ଡଳୀ ଗଠନ କରିବା ଲାଗି ଏହା ଚାହୁୁଛି। ଏହା ବ୍ୟତୀତ ଚୀନ୍‌ ବାହାରେ ଅନ୍ୟ କୌଣସି ଦେଶରେ ସ୍ବତନ୍ତ୍ର ମୁଖ୍ୟ କାର୍ଯ୍ୟାଳୟ ସ୍ଥାପନ କରିବା ଉପରେ ମଧ୍ୟ ଏହା ବିଚାର କରୁଛି। କଂପାନିର ବରିଷ୍ଠ ପଦପଦବୀରେ ଥିବା ଚୀନ୍‌ ନାଗରିକମାନଙ୍କ ବଦଳରେ ଅନ୍ୟ ଦେଶର ନାଗରିକମାନଙ୍କୁ ନିଯୁକ୍ତି ଦିଆଯାଉଛି। ଗତ ଜୁନ୍‌‌ରେ ଟିକ୍‌ଟକ୍‌ର ପୂର୍ବତନ ମୁଖ୍ୟ ଆଲେକ୍ସ ଝୁଙ୍କ ସ୍ଥାନରେ ୱାଲଟ୍‌ ଡିଜନିର ପୂର୍ବତନ ଅଧିକାରୀ କେଭିନ୍ ମେୟରଙ୍କୁ ନିଯୁକ୍ତି ଦେଇଛି।

କ୍ଷୁଦ୍ର ଭିଡିଓ ଜରିଆରେ ଲୋକମାନଙ୍କ ମନୋରଂଜନ କରୁଥିବା ଟିକ୍‌ଟକ୍‌ର ନିଜସ୍ବ ମୁଖ୍ୟ କାର୍ଯ୍ୟାଳୟ ନାହିଁ। ଏହାକୁ କେମ୍ୟାନସ୍‌ ଦ୍ବୀପରୁ ସୃଷ୍ଟି କରାଯାଇଛି। କିନ୍ତୁ ଏହାର ମୂଳ କଂପାନି ବାଇଟଡ୍ୟାନ୍ସକୁ ଚୀନ୍‌ରେ ପ୍ରତିଷ୍ଠା କରାଯାଇଥିଲା। ଟିକ୍‌ଟକ୍ ଏହାର ମୁଖ୍ୟ କାର୍ଯ୍ୟାଳୟ ସ୍ଥ‌‌ାପନ କରିବା ଲାଗି ସ୍ଥାନ ଖୋଜୁଛି। ବର୍ତମାନ ଏହାର ପାଂଚଟି ବଡ଼ କାର୍ଯ୍ୟାଳୟ ଲସ୍‌ ଆ‌ଞ୍ଜେଲସ୍‌, ନ୍ୟୁୟର୍କ, ଲଣ୍ଡନ, ଡବ୍‌ଲିନ୍ ଓ ସିଙ୍ଗାପୁରରେ ରହିଛି। କୋଟି କୋଟି ବ୍ୟବହାରକାରୀ, କର୍ମଚରୀ, କଳାକାର, କ୍ରିଏଟର, ସହଯୋଗୀ ଓ ନୀତି ନିର୍ଧାରକଙ୍କ ସ୍ବାର୍ଥ ରକ୍ଷା ଲାଗି କଂପାନି ବଳିଷ୍ଠ ପଦକ୍ଷେପ ଗ୍ରହଣ କରିବାକୁ ଚାହୁଛି।

Image Courtesy of India Today

କରୋନା ଭୂତାଣୁକୁ ଚୀନ୍‌ ବେପରୁ୍ଆ ଭାବେ ପରିଚାଳନା କରିଥିବାରୁ ପ୍ର୍ରତିଶୋଧମୂଳକ ପଦକ୍ଷେପ ସ୍ବରୂପ ଚୀନ୍‌ର ଆପ୍‌ଗୁଡ଼ିକୁ ନିଷିଦ୍ଧ କରିବା ଲାଗି ବିଷୟରେ ଆମେରିକା ବିଚାର କରୁଛି ବୋଲି ଏହାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି। ଚୀନ୍‌ କଂପାନି ରାଜନୈତିକ ଦୃଷ୍ଟିରୁ ସମ୍ବେଦନଶୀଳ ତଥ୍ୟକୁ କିଭଳି ସେନସର୍‌ କରୁଛି ଏବଂ ବ୍ୟବହାରକାରୀମାନଙ୍କ ତଥ୍ୟକୁ ଏହା କିଭଳି ସଂରକ୍ଷିତ ରଖୁଛି ତାହାକୁ ନେଇ ଆମେରିକା ଚିନ୍ତା ପ୍ରକଟ କରିଛି। ଟିକ୍‌ଟକ୍ ଡାଉନ୍‌ଲୋଡ୍ ନକରିବାକୁ କିଛି ଦିନ ତଳେ ଆମେରିକାର ବୈଦେଶିକ ସଚିବ ମାଇକ୍ ପମ୍ପିଓ ନିଜ ଦେଶର ନାଗରିକମାନଙ୍କୁ ଆହ୍ବାନ ଦେଇଥିଲେ। ଏହି ଆପ୍‌ ଡାଉନ୍‌ଲୋଡ୍ କରିବାର ଅର୍ଥ ନିଜର ବ୍ୟକ୍ତିଗତ ତଥ୍ୟ ଚୀନ୍‌ର କମ୍ୟୁନିଷ୍ଟ ପାର୍ଟିକୁ ଦେବା ସହ ସମାନ ବୋଲି ସେ କହିଥିଲେ। ଟିକ୍‌ଟକ୍‌କୁ ସାରା ବିଶ୍ବରେ ୨୦୦ କୋଟିରୁ ଅଧିକ ଥର ଡାଉନ୍‌ଲୋଡ୍ କରାଯାଇଛି। ଲଦାଖରେ ଭାରତ ଓ ଚୀନ୍ ସେନା ମଧ୍ୟରେ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହେବା ପରେ ଭାରତ ପକ୍ଷରୁ ଟିକ୍‌ଟକ୍ ସମେତ ଚୀନ୍‌ର ୫୯ଟି ଆପ୍‌କୁ ନିଷିଦ୍ଧ କରାଯାଇଛି।

ସମ୍ବନ୍ଧିତ ଖବର