ନୂଆଦିଲ୍ଲୀ: ଭାରତରେ ପୁଣି ଥରେ ପ୍ରତିଷ୍ଠିତ ମୋଟରସାଇକଲ ବ୍ରାଣ୍ଡ୍ ୟେଜ୍ଦି ଉପଲବ୍ଧ ହେବ। ତେବେ ଏହା ଜାୱା ମୋଟରସାଇକଲର ଅଂଶବିଶେଷ ହେବନାହିଁ। ନିଜସ୍ବ ଚ୍ୟାନେଲରେ ଏହା ବିକ୍ରି ଏବଂ ପରିଚାଳିତ ହେବ। ଜାୱା ମୋଟରସାଇକଲ ପକ୍ଷରୁ ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏହି ସୂଚନା ଦିଆଯାଇଛି। ତେବେ ଏହି ବହୁ ପ୍ରତୀକ୍ଷିତ ମୋଟରସାଇକଲ ଭାରତରେ ଆସନ୍ତାବର୍ଷ ଆସିବା ସମ୍ଭାବନା ରହିଛି। ମୂଳ କମ୍ପାନି କ୍ଲାସିକ୍ ଲିଜେଣ୍ଡ୍ସରେ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଅର୍ଥ ନିବେଶ କରିଥିବାରୁ ଜାୱା, ବିଏସଏ ଏବଂ ୟେଜ୍ଦି ଭଳି ମୋଟରସାଇକଲ ଭାରତରେ ପୁଣି ଉପଲବ୍ଧ ହେବ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ନିକଟରେ ଭାରତରେ ୟେଜଦି ରୋଡକିଙ୍ଗ୍ର ଟ୍ରେଡମାର୍କ ପାଇଁ କ୍ଲାସିକ ଲିଜେଣ୍ଡ୍ସ ଆବେଦନ କରିଥିଲା। ଏଥିଯୋଗୁ ୟେଜ୍ଦି ଆସିବା ନେଇ କଳ୍ପନାଜଳ୍ପନା ଦେଖାଦେଇଥିଲା।
କ୍ଲାସିକ୍ ଲିଜେଣ୍ଡ୍ସର ସହ ପ୍ରତିଷ୍ଠାତା ଅନୁପମ ଥରେଜା ନିକଟରେ ଏକ ଟ୍ବିଟ୍ କରି ଏ ସଂପର୍କରେ ଆଭାସ ଦେଇଥିଲେ। ତେବେ ଜାୱା ଠାରୁ ଏହା ପୃଥକ୍ ଭାବେ ଆସିବା ଚକିତ କରିଛି। ମହିନ୍ଦ୍ରା ଆଣ୍ଡ୍ ମହିନ୍ଦାର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ବୁଧବାର ଏକ ଟ୍ବିଟ୍ କରିଥିଳେ। ସେହି ଟ୍ବିଟ୍ର ଅବଶ୍ୟ ରହସ୍ୟମୟ ଥିଲା। ଉପରଭାଗରୁ ଏକ ଫ୍ଲାଏଓଭରର ଚିତ୍ର ପକାଇଥିଲେ, ଯାହା ଇଂରାଜୀ ଅକ୍ଷର ‘ୱାଇ’ ଭଳି ଦେଖାଯାଉଥିଲା। ତେବେ ଏଥିରେ ସେ ଲେଖିଥିଲେ ଲିଜେଣ୍ଡ୍ ଫେରୁଛି। ହ୍ୟାସଟ୍ୟାଗ୍ ୟେଜଦି ଫରଏଭର ଲେଖିଥିଲେ।