ଦାମୀ କାର, ଫୋନ୍‌, ଟିଭି କିଣୁଛନ୍ତି କମ୍‌ ବୟସର ଗ୍ରାହକ

ନୂଆଦିଲ୍ଲୀ: କାର୍‌, ଦାମୀ ଫୋନ ଏବଂ ବଡ଼ ସ୍କ୍ରିନ ଟିଭି ଭଳି ଦୀର୍ଘସ୍ଥାୟୀ ଉପଭୋକ୍ତା ସାମଗ୍ରୀକୁ ପୂର୍ବରୁ ଯେଉଁ ବୟସର ବ୍ୟକ୍ତିମାନେ କିଣୁଥିଲେ ଏବେ ସେଥିରେ ପରିବର୍ତ୍ତନ ଆସିଛି। ଅପେକ୍ଷାକୃତ କମ୍ ବୟସର ବ୍ୟକ୍ତିମାନେ ଏଭଳି ସାମଗ୍ରୀ ଏବେ କିଣୁଛନ୍ତି। ଏହି ବର୍ଗର ଗ୍ରାହକଙ୍କ ହାରାହାରି ବୟସ ଗତ ୫ରୁ ୬ ବର୍ଷ ମଧ୍ୟରେ ପାଖାପାଖି ୭ ବର୍ଷ କମ୍‌ ରହୁଛି।

ମାରୁତି ସୁଜୁକି, ହୁଣ୍ଡାଇ ଏବଂ ମର୍ସିଡିସ ବେଞ୍ଜ ଭଳି କାର୍‌ ନିର୍ମାତାଙ୍କ କହିବାନୁଯାୟୀ, ପୂର୍ବରୁ ୪୦ ବର୍ଷରୁ ଅଧିକ ବୟସର ଗ୍ରାହକମାନେ କାର୍‌ କିଣୁଥିଲେ। କିନ୍ତୁ ୨୦୧୮-୧୯ରୁ ୨୦୨୩-୨୪ ଆର୍ଥିକ ବର୍ଷ ମଧ୍ୟରେ ଏହି ଗ୍ରାହକମାନଙ୍କ ହାରାହାରି ବୟସ ୩୫ ବର୍ଷ ପାଖାପାଖିକୁ କମିଆସିଛି। ଅର୍ଥାତ୍‌ ୩୫ ବର୍ଷ ପାଖାପାଖି ବୟସର ବ୍ୟକ୍ତିମାନେ ‌ହିଁ ସେମାନଙ୍କ କାର୍‌ ଅଧିକ ମାତ୍ରାରେ କିଣୁଛନ୍ତି। ସେହିଭଳି ଭାରତରେ ୭୦ ପ୍ରତିଶତ ଇଲେକ୍ଟ୍ରିକ କାର କିଣୁଥିବା ଗ୍ରାହକଙ୍କ ବୟସ ୨୦ରୁ ୪୦ ବର୍ଷ ମଧ୍ୟରେ ରହୁଛି। ଆପଲ ଆଇଫୋନ କିଣୁଥିବା ଗ୍ରାହକଙ୍କ ବୟସ ପୂର୍ବରୁ ୩୩ରୁ ୩୪ ବର୍ଷ ମଧ୍ୟରେ ରହୁଥିବାବେଳେ ଏବେ ତାହା ୨୮ରୁ ୨୯ ବର୍ଷକୁ କମିଯାଇଛି। ବଡ଼ ସ୍କ୍ରିନ (୫୫ ଇଞ୍ଚରୁ ଅଧିକ) ଟିଭିର ଗ୍ରାହକଙ୍କ ହାରାହାରି ବୟସ ପୂର୍ବରୁ ୩୫ରୁ ୩୬ ବର୍ଷ ଥିବାବେଳେ ଏବେ ତାହା ୨୯ରୁ ୩୦ ବର୍ଷକୁ କମିଯାଇଛି। ସେହିଭଳି ଫ୍ରଷ୍ଟ ଫ୍ରି ରେଫ୍ରିଜରେଟର ଏବଂ ଡିସ୍‌ୱାସର କିଣୁଥିବା ଗ୍ରାହକଙ୍କ ହାରାହାରି ବୟସ ମଧ୍ୟ ହ୍ରାସ ପାଇଛି। ହୁଣ୍ଡାଇ ମୋଟର ଇଣ୍ଡିଆର ମୁଖ୍ୟ ପରିଚାଳନା ଅଧିକାରୀ (ସିଓଓ) ତରୁଣ ଗର୍ଗଙ୍କ କହିବାନୁଯାୟୀ, ଗତ ୫ ବର୍ଷ ମଧ୍ୟରେ ଆମ ଉତ୍ପାଦ କିଣୁଥିବା ଗ୍ରାହକଙ୍କ ହାରାହାରି ବୟସ ୫ ବର୍ଷ କମି ୩୮ ବର୍ଷରେ ପହଞ୍ଚିଛି। ମାରୁତି ସୁଜୁକି ଇଣ୍ଡିଆର ବରିଷ୍ଠ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ବିପଣନ ଓ ବିକ୍ରି) ପାର୍ଥ ବାନାର୍ଜୀଙ୍କ କହିବାନୁସାରେ, ଅଧିକରୁ ଅଧିକ ଯୁବବର୍ଗ ଚାକିରିରେ ପ୍ରବେଶ କରୁଥିବାରୁ ଆଗାମୀ ଦିନରେ ଗ୍ରାହକଙ୍କ ହାରାହାରି ବୟସ ଆହୁରି କମିବା ଆଶା କରାଯାଉଛି।

ମର୍ସିଡିସ୍‌ ‌ବେଞ୍ଜର ଏସ୍‌ ଶ୍ରେଣୀ ଲିମୋସିନ କିଣୁଥିବା ଗ୍ରାହକଙ୍କ ହାରାହାରି ବୟସ ଏବେ ୩୮ ବର୍ଷ ରହିଛି। ୫ ବର୍ଷ ପୂର୍ବେ ଏହା ୪୫ ବର୍ଷ ରହିଥିଲା। ସେହିଭଳି ଗ୍ରାହକଙ୍କ ମଧ୍ୟରେ ଚାକିରିଆଙ୍କ ଅନୁପାତ ମଧ୍ୟ ବଢ଼ିଛି ବୋଲି କମ୍ପାନିର ଏମଡି ସନ୍ତୋଷ ଆୟର କହିଛନ୍ତି। ଅଡି କମ୍ପାନିର ମୋଟ ବିକ୍ରିରେ ୪୦ ପ୍ରତିଶତ ଗ୍ରାହକଙ୍କ ବୟସ ୪୦ ବର୍ଷରୁ କମ୍‌। ମାରୁତି ସୁଜୁକିର ଗବେଷଣା ଅନୁଯାୟୀ, ଗତ ୬ ବର୍ଷ ମଧ୍ୟରେ ସେଦାନ ବର୍ଗର ଗ୍ରାହକଙ୍କ ହାରାହାରି ବୟସ ୪୧ ବର୍ଷରୁ ୩୬ ବର୍ଷକୁ ହ୍ରାସ ପାଇଛି। ମଲ୍ଟି ପର୍ପୋଜ୍‌ ଏବଂ ୟୁଟିଲିଟି ଯାନ କ୍ଷେତ୍ରରେ ଗ୍ରାହକଙ୍କ ହାରାହାରି ବୟସ ୪୦ ବର୍ଷରୁ ୩୭ ବର୍ଷକୁ କମିଛି। ସ୍ବିଫ୍ଟ ଓ ବାଲେନୋ ଭଳି ଗାଡ଼ି କ୍ଷେତ୍ରରେ ଗ୍ରାହକଙ୍କ ହାରାହାରି ବୟସ ୩୮ରୁ ୩୬ ବର୍ଷକୁ ହ୍ରାସ ପାଇଛି। ବି‌ଶେଷଜ୍ଞଙ୍କ କହିବାନୁଯାୟୀ, ଚାକିରି ଆରମ୍ଭ କରୁଥିବା ଯୁବକଯୁବତୀମାନଙ୍କ ପ୍ରାରମ୍ଭିକ ଦରମା ପୂର୍ବାପେକ୍ଷା ଅଧିକ ରହୁଛି। ସେମାନଙ୍କ ଉପରେ ପରିବାରର ଆର୍ଥିକ ବୋଝ ବା ଚାପ ସେତେଟା ରହୁନାହିଁ। ପୂର୍ବପିଢ଼ି ସେମାନଙ୍କ ପାଇଁ ଘର ତିଆରି କରି ସାରିଛନ୍ତି। ଏସବୁ ବ୍ୟତୀତ ସହଜରେ ଫାଇନାନ୍ସ ସୁବିଧା ମଧ୍ୟ ମିଳିଯାଉଛି। ଏସବୁ କାରଣରୁ କମ୍‌ ବୟସରେ ଗ୍ରାହକମାନେ ଦାମୀ ସାମଗ୍ରୀ କିଣିବାକୁ ସମର୍ଥ ହେଉଛନ୍ତି।

ସମ୍ବନ୍ଧିତ ଖବର