ବ୍ଲୁଟୁଥ୍‌ ସ୍ପିକର୍‌ ପ୍ରେମରେ ଯୁବପିଢ଼ି: ଷ୍ଟ୍ରିମିଂ ଭିଡିଓ ବଢ଼ାଇଛି ଚାହିଦା, ସ୍ମାର୍ଟଫୋନ୍‌ପ୍ରେମୀ ଅଧିକ କିଣୁଛନ୍ତି

ଭୁବନେଶ୍ବର: ଇଣ୍ଟରନେଟ୍‌ ସୁବିଧାରେ ଓ ସୁଲଭ ମୂଲ୍ୟରେ ଉପଲବ୍ଧ ହେବା ପରଠାରୁ ମୋବାଇଲ୍ ଫୋନ୍ ମନୋରଞ୍ଜନର ଏକ ପ୍ରମୁଖ ମାଧ୍ୟମ ଭାବେ ଉଭା ହୋଇଛି। ଯେକୌଣସି ସ୍ଥାନରେ ଯେକୌଣସି ସମୟରେ ଗୀତ ଶୁଣିବା ଠାରୁ ଆରମ୍ଭ କରି ନେଟ୍‌ଫ୍ଲିକ୍ସ କିମ୍ବା ଆମାଜନ୍‌ ପ୍ରାଇମ୍ ଭିଡିଓରେ ସିରିଜ୍‌ ଦେଖିବା ପର୍ଯ୍ୟନ୍ତ ସବୁ କିଛି ସହଜ ହୋଇଛି। ଲୋକମାନଙ୍କ ମନୋରଞ୍ଜନ ଅଭ୍ୟାସରେ ହୋଇଥିବା ଏହି ପରିବର୍ତ୍ତ ସ୍ପିକର ବଜାରକୁ ପୁନରୁଦ୍ଧାର କରିବାରେ ସଫଳ ହୋଇଛି। ବିଶେଷ କରି ବ୍ଲୁଟୁଥ୍‌ ସଂଯୋଗ ଥିବା ସ୍ପିକର୍‌ ଏବେ ଏକ ବଡ଼ ବଜାର ଭାବେ ଉଭା ହୋଇଛି। ସ୍ମାର୍ଟଫୋନ୍, ଲାପଟପ୍‌ ଏବଂ ଟାବ୍‌ଲେଟ୍‌ ବ୍ୟବହାର କରୁଥିବା ଲୋକମାନେ ଏହା କିଣିବାକୁ ପଛାଉ ନାହାନ୍ତି। ବଜାରରେ ଦୁଇ ପ୍ରକାରର ବ୍ଲୁଟୁଥ୍‌ ସ୍ପିକର୍‌ ଉପଲବ୍ଧ ହେଉଛି। ଗୋଟିଏ ହେଉଛି ତାର ଲାଗିଥିବା ବା ଫିକ୍ସଡ୍ ସ୍ପିକର୍‌ ଓ ଅନ୍ୟଟି ହେଉଛି ପୋର୍ଟେବଲ୍‌ ସ୍ପିକର୍। ଯାହା ସର୍ବାଧିକ ଚାହିଦାରେ ରହିଛି ତାହା ହେଉଛି ପୋର୍ଠେବଲ୍ ବ୍ଲୁଟୁଥ୍‌ ସ୍ପିକର୍‌। ସ୍ମାର୍ଟଫୋନ୍‌ପ୍ରେମୀମାନେ ଏହାକୁ ଅଧିକ କିଣୁଛନ୍ତି। ଜଣେ ସ୍ଥାନୀୟ ବ୍ୟବସାୟୀ କହିଛନ୍ତି ଯେ ପୋର୍ଟେବଲ୍ ବ୍ଲୁଟୁଥ୍ ସ୍ପିକର୍‌ ଅଧିକ ଗ୍ରହଣୀୟ ହେବାର ପ୍ରମୁଖ କାରଣଗୁଡ଼ିକ ହେଉଛି ଏହାକୁ ଯେକୌଣସି ସ୍ଥାନକୁ ନେଇହେବ। ଦ୍ବିତୀୟ ବଡ଼ କାରଣଟି ହେଉଛି ଏଥିରେ ଥିବା ଲିଥିଅମ୍ ଆୟନ ବ୍ୟାଟେରି। ଏହାକୁ ଥରେ ଚାର୍ଜ କଲେ ଅନେକ ସମୟ ପର୍ଯ୍ୟନ୍ତ ତାହାକୁ ବ୍ୟବହାର କରିହେବ। ଗ୍ରାହକମାନେ ପୋର୍ଟେବଲ୍ ବ୍ଲୁଟୁଥ୍‌ ସ୍ପିକର୍‌କୁ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍ ଷ୍ଟୋର୍‌ରୁ କିଣିପାରିବେ। ମୂଲ୍ୟ ଦୃଷ୍ଟିରୁ କମ୍ ତିନି ପ୍ରକାର ପୋର୍ଟେବଲ୍ ବ୍ଲୁଟୁଥ୍‌ ସ୍ପିକର୍‌ ମିଳୁଛି। ତାହା ହେଉଛି ନିମ୍ନ ମୂଲ୍ୟର, ମଧ୍ୟମ ମୂଲ୍ୟର ଏବଂ ପ୍ରିମିୟମ୍ ମାନର ସ୍ପିକର। ଏକ ସର୍ଭେରୁ ଜଣାପଡ଼ିଛି ଯେ କେବଳ ଭାରତ ନୁହେଁ ଆମେରିକା, କାନାଡା, ଜର୍ମାନି, ଫ୍ରାନ୍ସ, ବ୍ରିଟେନ୍‌, ନେଦରଲ୍ୟାଣ୍ଡ୍‌, ଇଟାଲି, ଚୀନ୍, ଜାପାନ, ଦକ୍ଷିଣ କୋରିଆ, ବ୍ରାଜିଲ୍‌, ମେକ୍ସିକୋ, ସାଉଦି ଆରବ, ୟୁଏଇ ଓ ଦକ୍ଷିଣ ଆଫ୍ରିକାରେ ପୋର୍ଟେବଲ୍ ବ୍ଲୁଟୁଥ୍‌ ସ୍ପିକର୍‌ର ବହୁତ ବଡ଼ ବଜାର ରହିଛି।

ଲୋକପ୍ରିୟ ସଂସ୍ଥା
ଜେବିଏଲ୍‌, ଆମ୍‌କେଟି, ଡ୍ରମ୍‌‌ଷ୍ଟୋନ୍‌, ‌ସୋନି, ଫିଲିପ୍ସ, ଲୁମିଫୋର୍ଡ, ଜେବ୍ରୋନିକ୍ସ, ଆଇବଲ୍‌, ପୋଟ୍ରୋନିକ୍ସ, ଏଫ୍‌ଆଣ୍ଡ୍‌ଡି, ସାମସଙ୍ଗ୍‌, ଟେରାବାଇଟ୍‌, ବୋଟ୍‌, ଡ୍ରୋନିଆନ୍‌, ଟ୍ରୋନିକା

୫୦୦ ଟଙ୍କାରୁ କମ୍‌ ଦାମ୍‌ରେ ବି ମିଳୁଛି
ବଜାରରେ ମିଳୁଥିବା ପୋର୍ଟେବଲ୍ ବ୍ଲୁଟୁଥ୍‌ ସ୍ପିକର୍‌ର ଭିନ୍ନ ଭିନ୍ନ ପ୍ରକାରର ମୂଲ୍ୟ ରହିଛି। ଅନ୍‌ଲାଇନ୍‌ରେ ୫୦୦ ଟଙ୍କାରୁ କମ୍ ଦାମରେ ମଧ୍ୟ ବ୍ଲୁଟୁଥ୍‌ ସ୍ପିକର୍‌ ବିକ୍ରି ହେଉଛି। ଏକ ହଜାରରୁ ଦୁଇ ହଜାର ଟଙ୍କା ମୂଲ୍ୟ ଭିତରେ ଅନେକ କଂପାନିର ସ୍ପିକର୍‌ ରହିଛି ଯାହାକୁ ଗ୍ରାହକମାନେ କିଣିପାରିବେ। ବଜାରରେ ୨୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ବ୍ଲୁଟୁ୍‌ଥ୍‌ ସ୍ପିକର୍‌ ମଧ୍ୟ ଉପଲବ୍ଧ ହେଉଛି। ଜାବ୍ରାର ବ୍ଲୁଟୁଥ୍‌ ସ୍ପିକର୍‌ ଦାମ୍ ୨୪ ହଜାର ଟଙ୍କା ରହିଥିବା ବେଳେ ଜେବିଏଲ୍‌ ଆରେନା ୧୩୦ର ଦାମ୍ ୨୧,୯୦୦ ଟଙ୍କା ରହିଛି।

କ’ଣ ସୁବିଧା ରହିଛି
ପ୍ରତିଷ୍ଠିତ କଂପାନିଗୁଡ଼ିକର ପୋର୍ଟେବଲ୍ ବ୍ଲୁଟୁଥ୍‌ ସ୍ପିକର୍‌ରେ ଗ୍ରାହକମାନେ ଏଫ୍‌ଏମ୍‌ ଟ୍ୟୁନର୍‌, ବିଲ୍ଟ-ଇନ୍ ସ୍ପିକର୍‌ ଫୋନ୍, ୟୁଏସ୍‌ବି, ଡାଟା କେବୁଲ, ରିଚାର୍ଜ ପଏଣ୍ଟ୍‌, ମାଇକ୍ରୋ ଏସ୍‌ଡି କାର୍ଡ ସ୍ଲଟ୍‌ ଭଳି ସୁବିଧା ପାଇବେ। ଏହାକୁ ଶୁଣିବା ସମୟରେ ରିଚାର୍ଜ କରିହେବ। ଘରେ ଶୁଣିବା ଠାରୁ ଆରମ୍ଭ କରି ଗାଡ଼ିରେ ବୁଲିବା ସମୟରେ କିମ୍ବା ଭୋଜି ଆଦି କାର୍ଯ୍ୟକ୍ରମରେ ଏହାକୁ ବ୍ୟବହାର କରାଯାଇପାରିବ। କେତେକ ସ୍ପିକର୍‌ରେ ନଏଜ୍‌ କ୍ୟାନ୍‌ସେଲେସନ୍‌ ସୁବିଧା ମଧ୍ୟ ରହିଛି।

ଭଳିକି ଭଳି ଡିଜାଇନ୍
ଅନ୍‌ଲାଇନ୍‌ରେ ଗ୍ରାହକମାନେ ବ୍ଲୁଟୁଥ୍‌ ସ୍ପିକର୍‌ କିଣିବାକୁ ବାହାରିଲେ ଭଳିକି ଭଳି ଡିଜାଇନ୍‌ର ପୋର୍ଟେବଲ୍‌ ବ୍ଲୁଟୁଥ୍‌ ସ୍ପିକର୍‌ ପାଇବେ। ପୁରୁଣା ରେଡିଓ, ପ୍ଲାଷ୍ଟିକ୍ ଫୁଲ ଦାନି, ପେନ୍ ଷ୍ଟାଣ୍ଡ୍‌, ଗୋଲାକାର, ଆୟତାକାର, ବିଭିନ୍ନ ରଙ୍ଗର ଓ ଡିଜାଇନ୍‌ର ପୋର୍ଟେବଲ୍ ବ୍ଲୁ ଟୁଥ୍‌ ସ୍ପିକର୍‌ ବିକ୍ରି ହେଉଛି।

ସମ୍ବନ୍ଧିତ ଖବର