ଭୁବନେଶ୍ବର: ଯୁବବର୍ଗର ଲୋକମାନେ ଆଜିକାଲି ଅଧିକାଂଶ ସମୟରେ ବାହାରକୁ ବିଭିନ୍ନ କାର୍ଯ୍ୟରେ ଯାଉଛନ୍ତି। ଅଫିସକୁ ଯିବା ସହିତ ବାହାରକୁ ଯାତ୍ରା କରୁଛନ୍ତି। ଏଥିପାଇଁ ସାଥୀରେ ଅନେକ କିଛି ଆବଶ୍ୟକ କାଗଜପତ୍ର, ମୋବାଇଲ ଫୋନ, ଟଙ୍କା ପଇସା ଆଦି ନେବାକୁ ପଡ଼ୁଛି। ମହିଳାମାନଙ୍କୁ ମଧ୍ୟ ଏସବୁ ଆବଶ୍ୟକ ସାମଗ୍ରୀ ସହିତ ପ୍ରସାଧାନ ସାମଗ୍ରୀ ବାହାରକୁ ଯିବା ସମୟରେ ନେବାକୁ ହେଉଛି। ଏହାକୁ ଦୃଷ୍ଟିରେ ରଖି ବଜାରରେ ବିଭିନ୍ନ ପ୍ରକାର ବ୍ୟାଗ୍ ଆସିଯାଇଛି। ବିଶେଷକରି ଟ୍ରାଭେଲ୍ ସାମଗ୍ରୀ ପ୍ରଦାନ କରୁଥିବା କମ୍ପାନି ଗୁଡ଼ିକ ଏସବୁ ବ୍ୟାଗ୍ ବଜାରରେ ବିକ୍ରି କରୁଛନ୍ତି। ଏହି ବ୍ୟାଗଗୁଡ଼ିକୁ ମୁଖ୍ୟତଃ ସ୍ଲିଙ୍ଗ୍ ବ୍ୟାଗ୍ କୁହାଯାଉଛି। ବିଶେଷକରି ଆଇଟି କ୍ଷେତ୍ରରେ ଏବଂ ଭଲ ଭଲ କର୍ପୋରେଟ୍ କାର୍ଯ୍ୟାଳୟରେ ଚାକିରି କରୁଥିବା ଯୁବକ ଓ ଯୁବତୀମାନେ ଏହି ବ୍ୟାଗ୍ ଅଧିକ ମାତ୍ରାରେ କିଣୁଛନ୍ତି। କେବଳ ଆବଶ୍ୟକତା ପୂରଣ ନୁହେଁ, ଅନ୍ୟମାନଙ୍କଠାରୁ ଭିନ୍ନ ବୋଲି ଜଣାଇବା ପାଇଁ ଗ୍ରାହକମାନେ ଏହି ଷ୍ଟାଇଲିସ୍ ବ୍ୟାଗ୍ କିଣୁଛନ୍ତି।
ମେସେଞ୍ଜର ବ୍ୟାଗ୍
ମେସେଞ୍ଜର ବ୍ୟାଗ୍ଟି ସ୍ଲିଙ୍ଗ୍ ବ୍ୟାଗ ତୁଳନାରେ ଟିକେ ବଡ଼ ରହୁଛି। ଏଥିରେ ସ୍ଲିଙ୍ଗ୍ ବ୍ୟାଗରେ ନିଆଯାଇ ପାରୁଥିବା ଦରକାରୀ ସାମଗ୍ରୀ ସମେତ ଆଉ କିଛି ଅଧିକ ଏବଂ ବଡ଼ ଆକୃତିର ଜିନିଷପତ୍ର ନେବାଆଣିବା କରିହେଉଛି। ଯଥା ସରକାରୀ କାଗଜପତ୍ର, ମିନି ଲାପଟପ୍ ଏବଂ ଆଇପ୍ୟାଡ୍ ଆଦି ନିଆଯାଇ ପାରୁଛି।
ଭଳିକି ଭଳି ଡିଜାଇନ୍
ସ୍ଲିଙ୍ଗ୍ ବ୍ୟାଗଗୁଡ଼ିକ ବିଭିନ୍ନ ଡିଜାଇନରେ ପ୍ରସ୍ତୁତ ହୋଇଛି। ପୁରୁଷମାନେ ଗାଡ଼ି ଚଳାଇବା କିମ୍ବା ଯିବାଆସିବା ସମୟରେ ଉକ୍ତ ବ୍ୟାଗକୁ ହାତରେ ଧରୁଛନ୍ତି କିମ୍ବା କାନ୍ଧରେ ପକାଉଛନ୍ତି। କାନ୍ଧରେ ପକାଇବା ପରେ ବ୍ୟାଗଟି ସାଧାରଣତଃ ଅଣ୍ଟା ପାଖରେ ଝୁଲି ରହୁଛି। ଫଳରେ ଏଥିରେ ମୋବାଇଲ ଫୋନ୍ ଓ ଅନ୍ୟାନ୍ୟ ଦରକାରୀ କାଗଜପତ୍ର ନେବା ସହଜ ହେଉଛି। ବିଭିନ୍ନ ରଙ୍ଗରେ ଏହି ବ୍ୟାଗ୍ଗୁଡ଼ିକ ଆସୁଛି। ଯୁବକମାନେ ହାଲ୍କା ରଙ୍ଗର ସ୍ଲିଙ୍ଗ୍ ବ୍ୟାଗ୍ ପସନ୍ଦ କରୁଥିବାବେଳେ ମହିଳାମାନେ ଟିକେ ରଙ୍ଗିନ ବ୍ୟାଗ୍ ନେବାକୁ ପସନ୍ଦ କରୁଛନ୍ତି ବୋଲି ରାଜଧାନୀର ଗୋଟିଏ ପ୍ରମୁଖ ସୋ’ରୁମ୍ର ମ୍ୟାନେଜର କହିଛନ୍ତି। ସେହିଭଳି ବିଭିନ୍ନ ମ୍ୟାଟେରିଆଲ୍ରେ ଏହି ବ୍ୟାଗଗୁଡ଼ିକ ଆସୁଛି। କରୋନା ପାଇଁ ଏହି ବ୍ୟବସାୟ କିଛିଟା ପ୍ରଭାବିତ ହୋଇଛି। ସ୍କୁଲ କଲେଜ ଦୀର୍ଘଦିନ ଧରି ବନ୍ଦ ରହିବା ସହିତ କମ୍ସଂଖ୍ୟକ କର୍ମଚାରୀଙ୍କୁ ନେଇ ଅଫିସ ଚାଲିବା ଯୋଗୁ ଏହାର ଚାହିଦା କମିଯାଇଥିଲା। କିନ୍ତୁ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବା ପରେ ଚାହିଦାରେ କିଛିଟା ଉନ୍ନତି ଆସିଛି। ଆଗକୁ ସ୍କୁଲ, କଲେଜ୍ ପୂରା ଖୋଲିଲେ, ଅଧିକ ସଂଖ୍ୟକ କର୍ମଚାରୀ ଅଫିସ ଯିବାଆସିବା କରିଲେ, ପିକ୍ନିକ୍ ଓ ଗୋଟିଏ ସହରରୁ ଅନ୍ୟ ସହରକୁ ଲୋକମାନେ ଯାତ୍ରା କରିଲେ ଏହି ବ୍ୟାଗର ଚାହିଦା ପୂର୍ବାପେକ୍ଷା ଅଧିକ ରହିବ ବୋଲି ଆଶା କରାଯାଉଛି।
ଦାମ୍ ଓ ବ୍ରାଣ୍ଡ୍
ବ୍ରାଣ୍ଡେଡ୍ କମ୍ପାନି ଗୁଡ଼ିକ ଏକ୍ଷେତ୍ରରେ ପ୍ରବେଶ କରିଛନ୍ତି। ସେମାନଙ୍କ ମଧ୍ୟରେ ୱାଇଲ୍ଡକ୍ରାଫ୍ଟ, ଫାଷ୍ଟଟ୍ରାକ୍, ଲାଭି, ଭିଆଇପି, ଆମେରିକାନ୍ ଟୁରିଷ୍ଟର, ସାମସୋନାଇଟ ଏବଂ ସଫାରି ଆଦି କମ୍ପାନି ରହିଛନ୍ତି। ଏକ୍ସକ୍ଲୁସିଭ ସୋ’ରୁମ୍ ସମେତ ମଲ୍ଟି ବ୍ରାଣ୍ଡ୍ ସୋ’ରୁମ୍ରେ ଏହି ବ୍ୟାଗ୍ ଉପଲବ୍ଧ ହେଉଛି। ୱାଇଲ୍ଡକ୍ରାଫ୍ଟ ସୋ’ରୁମ୍ରେ ଏହି ଦୁଇ ପ୍ରକାର ବ୍ୟାଗ୍ ମଧ୍ୟରୁ ସ୍ଲିଙ୍ଗ୍ ବ୍ୟାଗର ଦାମ୍ ୪୦୦ ଟଙ୍କାରୁ ଆରମ୍ଭ ହୋଇ ୧୦୯୯ ଟଙ୍କା ପର୍ଯ୍ୟନ୍ତ ରହିଛି। ସେହିଭଳି ମେସେଞ୍ଜର ବ୍ୟାଗ୍ଗୁଡ଼ିକର ଦାମ୍ ୮୫୦ ଟଙ୍କାରୁ ଆରମ୍ଭ ହୋଇ ୧୨୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।