ସାବଧାନ ରୁହନ୍ତୁ, ଆପଣଙ୍କ ଏଟିଏମ୍‌ କାର୍ଡ କ୍ଲୋନିଂ ହୋଇପାରେ

କାର୍ଡ ଆପଣଙ୍କ ପକେଟରେ ଥିଲେ ମଧ୍ୟ ଆଉ ଜଣେ ଟଙ୍କା ଉଠାଇଚାଲିଥିବ

ସରକାର ଡିଜିଟାଲ ପେମେଣ୍ଟ ଉପରେ ଗୁରୁତ୍ୱ ଦେଉଥିବାବେଳେ ତାହାର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଶେଷକରି ଏଟିଏମ ଓ ଡେବିଟ୍‌ କାର୍ଡର ବ୍ୟବହାର ବେଳେ ତାହାର କ୍ଲୋନିଂ ଗ୍ରାହକମାନଙ୍କ ଲାଗି ଏକ ବଡ଼ ସମସ୍ୟା ଭାବେ ଦେଖାଦେଇଛି ।

ନିକଟରେ ପୁନେର ଏକ ରେସ୍ତୋରାଁରେ ଜଣେ ମ୍ୟାନେଜର ଗ୍ରାହକଙ୍କ ଡେବିଟ୍‌ କାର୍ଡର କ୍ଲୋନିଂ କରି ଖୋଦ ଉକ୍ତ ରେସ୍ତୋରାଁ ମାଲିକଙ୍କ ଦ୍ୱାରା ଧରା ପଡିଥିଲେ । ମାଲିକ ଉକ୍ତ କର୍ମଚାରୀଙ୍କୁ ପୋଲିସ ହାତରେ ଦେଇଛନ୍ତି । ଭିକ୍କି ଅଗ୍ରଓ୍ଵାଲ ନାମକ ଉକ୍ତ କର୍ମଚାରୀ ପୂର୍ବରୁ ବହୁତ ଥର ଏପରି ଅପରାଧ ଘଟାଇଥିବା ଜଣାପଡିଛି ।

ତେବେ କିପରି ହୁଏ ଏଟିଏମ-ଡେବିଟ୍‌ କାର୍ଡ କ୍ଲୋନିଂ? ଏଟିଏମ ସୁରକ୍ଷାର ଦୂର୍ବଳତାଗୁଡିକ କଣ?

ବିଭିନ୍ନ ଦୋକାନ ବା ବ୍ୟବସାୟିକ ପ୍ରତିଷ୍ଠାନରେ ବ୍ୟବହାର ହେଉଥିବା କାର୍ଡ ସ୍ୱାପିଂ ମେସିନରେ ଏକ ସ୍କିମିଂ ହାର୍ଡଓ୍ଵାର ଡିଭାଇସ୍‌ ଲଗାଇଦିଆଯାଏ। ଏହା ଉକ୍ତ ମେସିନରେ ସ୍ୱାପ୍‌ ହେଉଥିବା ସବୁ କାର୍ଡର ତଥ୍ୟ ଚୋରୀ କରିନିଏ । ଫଳରେ ଏହି ତଥ୍ୟକୁ ବ୍ୟବହାର କରି ଉକ୍ତ କାର୍ଡର ଏକ ଅବିକଳ ନକଲ ତିଆରି କରି ଗ୍ରାହକଙ୍କ ଅର୍ଥ ଚୋରୀ କରିନିଆଯାଏ । ଏହାକୁ କାର୍ଡ କ୍ଲୋନିଂ କୁହାଯାଏ ।

ଅନ୍ୟପକ୍ଷରେ ଆମ ଦେଶରେ ଚାଲିଥିବା ପ୍ରାୟ ସବୁ ଏଟିଏମରେ ଓ୍ଵିଣ୍ଡୋଜ୍‌ ଏକ୍ସପି ଅପରେଟିଂ ସିଷ୍ଟମର ବ୍ୟବହାର ହୁଏ । କିନ୍ତୁ ମାଇକ୍ରୋସଫ୍ଟ ପକ୍ଷରୁ ଆଉ ଏହି ଭର୍ସନ ବାହାର କରାଯାଉନାହିଁ । ଏହି କଥାକୁ ହ୍ୟାକର ଓ ଅପରାଧୀମାନେ ଭଲଭାବେ ଜାଣନ୍ତି ଓ ଏକ୍ସପିର ଦୂର୍ବଳତାରୁ ଫାଇଦା ଉଠାଇ ଏଟିଏମଗୁଡିକୁ ହ୍ୟାକ୍‌ କରନ୍ତି । ଅପରାଧୀମାନେ ଏଟିଏମର ତାଲା ଭାଙ୍ଗି ତାହାର ହାର୍ଡଓ୍ଵାରରେ ପଶନ୍ତି ଓ ସେଥିରେ ମାଲଓ୍ଵାର ଫିଟ୍‌ କରିଦିଅନ୍ତି । ଏହା ମାଧ୍ୟମରେ ଏଟିଏମ ସଫ୍ଟଓ୍ଵାରକୁ ହ୍ୟାକ୍‌ କରି କ୍ୟାଶ ଉଠାଇବାରେ ସଫଳ ହୁଅନ୍ତି । ଏବେ ଦେଶର କେତେକ ବ୍ୟାଙ୍କ ଓ୍ଵିଣ୍ଡୋଜ୍‌ ଏକ୍ସପି ବଦଳରେ ଲାଟେଷ୍ଟ ଅପରେଟିଂ ସିଷ୍ଟମ ବ୍ୟବହାର କରିବା ଆରମ୍ଭ କଲେଣି । ଏହା ଦ୍ୱାରା ଏହି ସମସ୍ୟାର ସମାଧାନ ହେବା ଆଶା କରାଯାଏ ।

ସମ୍ବନ୍ଧିତ ଖବର