ହୋଣ୍ଡା ଏକ୍ସ-ବ୍ଲେଡ୍ ବୁକିଙ୍ଗ ଆରମ୍ଭ
ଚଳିତ ବର୍ଷ ଅଟୋ ଏକ୍ସପୋରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ ସ୍କୁଟର ଇଣ୍ଡିଆ ପକ୍ଷରୁ ଉନ୍ମୋଚନ କରାଯାଇଥିବା ୧୬୦ସିସିର ନୂଆ ବାଇକ୍ ଏକ୍ସବ୍ଲେଡ୍ର ବୁକିଙ୍ଗ ଆରମ୍ଭ କରାଯାଇଛି। ଦିଲ୍ଲୀରେ ଏହାର ଏକ୍ସ ସୋ’ରୁମ୍ ମୂଲ୍ୟ ୭୯ ହଜାର ଟଙ୍କା ରହିଛି। ଯେଉଁମାନେ ବୁକିଙ୍ଗ କରିବେ ସେମାନଙ୍କୁ ଏହି ବାଇକ୍ ମାର୍ଚ ମାସ ମଧ୍ୟ ଭାଗ ସୁଦ୍ଧା ମିଳିଯିବ। ଯୁବ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ କଂପାନି ଏଥିରେ ଅନେକ ନୂଆ ବୈଶିଷ୍ଟ୍ୟ ବ୍ୟବହାର କରିଛି। ଏଥିରେ ଏଲ୍ଇଡି ହେଡ୍ଲ୍ୟାମ୍ପ, ଡେ ଟାଇମ୍ ରନିଂ ଲାଇଟ୍, ଗିୟର ପୋଜିସନ୍ ଇଣ୍ଡିକେଟର, ହାଜାର୍ଡ ସ୍ୱିଚ୍ ଏବଂ ସର୍ଭିସ୍ ଇଣ୍ଡିକେଟର୍ ଭଳି ସୁବିଧା ରହିଛି।
ଜିଓ ଫିଚର୍ ଫୋନ୍ରେ ଫେସ୍ବୁକ୍
ରିଲାଏନ୍ସ ଜିଓର ଫିଚର୍ ଫୋନ୍ରେ ଫେସବୁକ୍ ଆପ୍ ଉପଲବ୍ଧ ହୋଇଥିବା ବିଷୟରେ କଂପାନି ପକ୍ଷରୁ ଘୋଷଣା କରାଯାଇଛି। ଏହି ଫୋନ୍ରେ ଥିବା କାଇଓଏସ୍ ଅପରେଟିଂ ସିଷ୍ଟମ୍ ପାଇଁ ଫେସବୁକ୍ର ଆପ୍କୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି। ଫେସବୁକ୍ର ଏହି ଆପ୍ ଜିଓ ଫୋନ୍ରେ ଭିଡିଓକୁ ସପୋର୍ଟ କରିବ। କଂପାନିର ନିର୍ଦେଶକ ଆକାଶ ଅମ୍ବାନି କହିଛନ୍ତି ଯେ ବିଶ୍ୱର ସବୁ ଲୋକପ୍ରିୟ ଆପ୍କୁ ଆମେ ଜିଓ ଫୋନ୍ରେ ଦେବାକୁ ଚାହୁଁଛି। ଏହି ପ୍ରକ୍ରିୟା ଆମେ ଫେସବୁକ୍ରୁ ଆରମ୍ଭ କରୁଛୁ। ଜିଓ ସହିତ ସାମିଲ ହୋଇ ଫେସବୁକ୍ ମଧ୍ୟ ବେଶ ଉତ୍ସାହିତ ଥିବା ଜଣାପଡ଼ିଛି।
ଆସିଲା ରେଡ୍ମି ନୋଟ୍ ୫
ଶାଓମି ପକ୍ଷରୁ ଭାରତରେ ୨୦୧୮ର ପ୍ରଥମ ସ୍ମାର୍ଟଫୋନ୍ ମଡେଲ୍ ରେଡ୍ମି ନୋଟ୍ ୫କୁ ଉନ୍ମୋଚନ କରାଯାଇଛି। ଏହାର ମୂଲ୍ୟ ୯୯୯୯ ଟଙ୍କାରୁ ଆରମ୍ଭ ହୋଇଛି। ଏଥି ସହିତ କଂପାନି ରେଡ୍ମି ନୋଟ୍ ୫ ପ୍ରୋକୁ ମଧ୍ୟ ପ୍ରଦର୍ଶନ କରିିଛି। ଗ୍ରାହକମାନେ ଏହି ଦୁଇ ଫୋନ୍କୁ ଫ୍ଲିପ୍କାର୍ଟ ଜରିଆରେ ଖରିଦ କରିପାରିବେ। ରେଡ୍ମି ନୋଟ୍ ୫ ପ୍ରୋରେ ରହିଛି ୫.୯୯ ଇଞ୍ଚ ଡିସ୍ପ୍ଲେ, ସେଲ୍ଫି ଲାଇଟ୍ ମଡ୍ୟୁଲ୍ ଏବଂ ୪୦୦୦ ଏମ୍ଏଏଚ୍ ବ୍ୟାଟେରି। ରେଡମି ନୋଟ୍ ୫ ପ୍ରୋରେ ଡୁଆଲ୍ ପଛ କ୍ୟାମେରା ରହିଛି। ଏହି ଦୁଇ ଫୋନ୍ ବିଭିନ୍ନ ରଙ୍ଗରେ ଉପଲବ୍ଧ ହେଉଛି।
ଏମ୍ଆଇ ଏଲ୍ଇଡି ଟିଭି
ଶାଓମି ପକ୍ଷରୁ ଭାରତରେ ଏହାର ପ୍ରଥମ ଟିଭି ଏମ୍ଆଇ ଟିଭି ୪କୁ ଉନ୍ମୋଚନ କରାଯାଇଛି। ଏହି ଏଲ୍ଇଡି ଟିଭିର ମୂଲ୍ୟ ୩୯,୯୯୯ ଟଙ୍କା ରହିଛି। ସ୍ମାର୍ଟଫୋନ୍ ପରେ ଶାଓମି ଟିଭି ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛି। କଂପାନି ପାଇଁ ଏହା ଅନ୍ୟତମ ବଡ଼ ବଜାର ଭାବେ ଉଭା ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ କଂପାନି ଆମଦାନି କରି ଏମ୍ଆଇ ଟିଭି ଭାରତରେ ବିକ୍ରି କରିବ। ଯଦି ବିକ୍ରି ବହୁତ ବଢ଼ିଯିବ ତେବେ ଭାରତରେ ଏକ କାରଖାନା ବସାଇ ଏମ୍ଆଇ ଟିଭି ଉତ୍ପାଦନ କରିବାକୁ କଂପାନି ଯୋଜନା ରଖିଛି। ଏହି ଟିଭିକୁ ନେଇ କଂପାନି ବେଶ ଉତ୍ସାହିତ ରହିଛି।
ଏୟାରଟେଲ ଟିଭିରେ ମିଳିବ ହଟ୍ଷ୍ଟାର୍ ସୁବିଧା
ଏୟାରଟେଲ୍ ଏବଂ ହଟ୍ଷ୍ଟାର୍ ମଧ୍ୟରେ ରଣନୀତିପୂର୍ଣ୍ଣ ସହଭାଗିତା ହୋଇଛି। ଏହି ସହବନ୍ଧନ ଜରିଆରେ ହଟ୍ଷ୍ଟାରରେ ଉପଲବ୍ଧ ହେଉଥିବା ୨୨ଟି ଚ୍ୟାନେଲ, ୩୦୦୦ରୁ ଅଧିକ ସିନେମା ଏବଂ ଅତ୍ୟାଧୁନିକ ସୋ ବର୍ତ୍ତମାନ ସମସ୍ତ ଏୟାରଟେଲ ମୋବାଇଲ ଗ୍ରାହକମାନଙ୍କୁ ଏୟାରଟେଲ ଟିଭି ଆପ ମାଧ୍ୟମରେ ଉପଲବ୍ଧ ହେବ । ନୂତନ ସହଭାଗିତା ସହିତ ଏୟାରଟେଲ ଟିଭି ବର୍ତ୍ତମାନ ୩୫୦ରୁ ଅଧିକ ଲାଇଭ ଚ୍ୟାନେଲ, ପାଖାପାଖି ୧୦,୦୦୦ ଲୋକପ୍ରିୟ ସିନେମା ଏବଂ ଭାରତରୁ ଏବଂ ବିଦେଶର ବିଭିନ୍ନ ସୋ’ ଏହାର ଗ୍ରାହକଙ୍କୁ ପ୍ରଦାନ କରିପାରିବ।