ଭୁବନେଶ୍ୱର: ଲୋକଙ୍କ ପାଖରେ ଥିବା ପାରମ୍ପରିକ ଜ୍ଞାନକୁ ବିନିଯୋଗ କରାଯାଇ ପାରୁନାହିଁ। ଆମର ଶିକ୍ଷା ବ୍ୟବସ୍ଥା ଆମକୁ ସ୍ଥାନାନ୍ତରିତ କରୁଛି। ଯେଉଁ ଜ୍ଞାନ ଆମ ଜୀବନ ପାଇଁ ଜରୁରୀ ସେସବୁ ଜ୍ଞାନ ସମାଜର ବିକାଶ ଦିଗରେ ବିନିଯୋଗ ନିମନ୍ତେ ନାଗରିକ ସମାଜ ଆଗକୁ ଆସିବା ଦରକାର। ସେହିଭଳି ଆଜିର ଯୁବବର୍ଗ ଅଧିକରୁ ଅଧିକ ସଂଖ୍ୟାରେ ସମାଜ ବିକାଶ କାର୍ଯ୍ୟରେ ଯୋଡ଼ି ହେବାର ବେଳ ଆସିଛି ବୋଲି ‘ପ୍ରିୟା’ର ପ୍ରତିଷ୍ଠାତା ସଦସ୍ୟ ତଥା ସିୱାଇଏସ୍ଡିର ଚେୟାରମ୍ୟାନ ତଥା ବରିଷ୍ଠ ସମାଜବିଜ୍ଞାନୀ ଡ. ରାଜେଶ ଟଣ୍ଡନ ମତବ୍ୟକ୍ତ କରିଛନ୍ତି।
ସିୱାଇଏସ୍ଡି ପକ୍ଷରୁ ନାଗରିକ ସମାଜର ପୁନଃକଳ୍ପନା ସଂପର୍କିତ ଆଲୋଚନାଚକ୍ରରେ ଡ. ଟଣ୍ଡନ କହିଛନ୍ତି ଯେ ଅନ୍ୟକୁ ସହଯୋଗ ପାଇଁ ଅତୀତରୁ ଆଜି ପର୍ଯ୍ୟନ୍ତ ନାଗରିକ ସମାଜର ବଡ଼ ଭୂମିକା ରହିଛି। ଯୁବପିଢ଼ି ସାମାଜିକ ସେବାକୁ କାହିଁକି ବୃତ୍ତିଭାବେ ଗ୍ରହଣ କରିବେ। ଏହାକୁ ଗ୍ରହଣ କରିଲେ କ’ଣ ସବୁ ସମସ୍ୟା ରହିଛି, ସେଗୁଡ଼ିକୁ କିଭଳି ଅତିକ୍ରମ କରାଯାଇ ପାରିବ ତାହା ଉପରେ ମାନସମନ୍ଥନ ହୋଇଥିଲା। ସିୱାଇଏସ୍ଡିର ପ୍ରତିଷ୍ଠାତା ସଦସ୍ୟ ତଥା ମାର୍ଗଦର୍ଶକ ଜଗଦାନନ୍ଦ, ସଙ୍ଗଠନର ସହ-ପ୍ରତିଷ୍ଠାତା ପ୍ରଫୁଲ୍ଲ କୁମାର ସାହୁ ପ୍ରମୁଖ ଯୋଗଦେଇ ନାଗରିକ ସମାଜର ଆହ୍ୱାନ ଓ ସମ୍ଭାବନା ଉପରେ ଆଲୋକପାତ କରିଥିଲେ।
ଦିବ୍ୟସୁଧା ଲାକ୍ରା ଓ କାଜଲ ପ୍ରଧାନ ଆଲୋଚନାଚକ୍ରକୁ ସଞ୍ଚାଳନା କରିଥିଲେ। ଏଥିରେ ୬୦ରୁ ଅଧିକ ବିଶ୍ୱବିଦ୍ୟାଳୟ ବିଦ୍ୟାର୍ଥୀ, ନାଗରିକ ସମାଜର ନେତୃବୃନ୍ଦ, ସ୍ବେଚ୍ଛାସେବୀ ଓ ସିୱାଇଏସ୍ଡି ଗୋପବନ୍ଧୁ ଫେଲୋ ଆଦି ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ସିୱାଇଏସ୍ଡି ଆଗାମୀ ୨୪ ତାରିଖରେ ୪୩ତମ ପ୍ରତିଷ୍ଠା ଦିବସ ପାଳନ କରିବ। ଗାଁ ବିକାଶରେ ଯୁବ ପିଢ଼ିକୁ ଅଧିକ ମାତ୍ରାରେ ଯୋଡ଼ିବା ପାଇଁ ପ୍ରତିଷ୍ଠା ଦିବସ ଅବ୍ୟବହିତ ପୂର୍ବରୁ ଏଭଳି ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି।