ନୂଆଦିଲ୍ଲୀ: ଇଣ୍ଟରନେଟ୍ ସଂସ୍ଥା ଗୁଗୁଲ୍ର ସହଯୋଗୀ କଂପାନି ୟୁଟ୍ୟୁବ୍ ଖୁବ୍ଶୀଘ୍ର ଏହାର ଭିଡିଓ ଷ୍ଟ୍ରିମିଂ ସେବା ଆରମ୍ଭ କରିବ। ଏଥିପାଇଁ ବିଭିନ୍ନ ମନୋରଞ୍ଜନ ପ୍ରଦାନକାରୀ ସଂସ୍ଥା ସହ ଏହା ଆଲୋଚନା ଜାରି ରଖିଛି। ଭିଡିଓ ଷ୍ଟ୍ରିମିଂ ବଜାର ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ବେଳେ ଆମାଜନ ଓ ଆପଲ୍ ଭଳି ସଂସ୍ଥା ଏଥିରେ ବହୁ ଆଗକୁ ବଢ଼ିଗଲେଣି। ଏ କ୍ଷେତ୍ରରେ ପଛୁଆ ନରହିବା ଲାଗି ୟୁଟ୍ୟୁବ୍ ଏହାର ସେବା ଶୀଘ୍ର ଆରମ୍ଭ କରିବାକୁ ଚାହୁଛି। ଏହି ସେବାର ନାମ ‘ଚ୍ୟାନେଲ୍ ଷ୍ଟୋର୍’ ରଖିବା ଉପରେ ବିଚାର କରାଯାଉଛି। ଗତ ୧୮ ମାସ ହେଲାଣି ଏହି ଯୋଜନା ଉପରେ କଂପାନି କାମ କରୁଛି। ଶୀତ ଋତୁ ସୁଦ୍ଧା ତାହା ଉପଲବ୍ଧ ହେବ। ବିଶ୍ବର ଅଧିକାଂଶ ଗ୍ରାହକ କେବୁଲ ଓ ସାଟେଲାଇଟ୍ ଟିଭିଠାରୁ ଦୂରେଇ ଗଲେଣି। ସେମାନେ ସବ୍ସ୍କ୍ରିପ୍ସନ୍ ଭିତ୍ତିକ ଭିଡିଓ ଷ୍ଟ୍ରିମିଂ ସେବାକୁ ଗ୍ରହଣ କରିଛନ୍ତି। ସେଥିପାଇଁ କେବଳ ୟୁଟ୍ୟୁବ୍ ନୁହେଁ ୱାଲମାର୍ଟ ମଧ୍ୟ ଏହି ଶିଳ୍ପରେ ପ୍ରବେଶ କରିବାକୁ ଯୋଜନା ପ୍ରସ୍ତୁତ କରିଛି।
ଭାରତରେ ଭିଡିଓ ଷ୍ଟ୍ରିମିଂ ଶିଳ୍ପ ବେଶ ଆକର୍ଷଣୀୟ ହେବାରେ ଲାଗିଛି। ନେଟ୍ଫ୍ଲିକ୍ସ, ଆମାଜନ ପ୍ରାଇମ୍ ଭିଡିଓ, ହଟଷ୍ଟାର୍, ଜି୫, ଅଲ୍ଟବାଲାଜୀ, ଭୁଟ୍ ସିଲେକ୍ଟ, ହଙ୍ଗାମା, ସୋନି ଲିଭ୍, ହଙ୍ଗାମା ଓ ଜିଓ ସିନେମା ଭଳି ବହୁ ସଂସ୍ଥା ଏହି କ୍ଷେତ୍ରରେ ସକ୍ରିୟ ରହିଛି। ୟୁଟ୍ୟୁବ୍ ଏହାର ସେବା ଆରମ୍ଭ କରିବା ପରେ ଏକ୍ଷେତ୍ରରେ ପ୍ରତିଦ୍ବନ୍ଦ୍ବିତା ଆହୁରି ବଢ଼ିବ ଓ ଦର୍ଶକମାନଙ୍କ ପାଇଁ ମନୋରଞ୍ଜନର ଅଧିକ ବିକଳ୍ପ ଉପଲବ୍ଧ ହେବ।
ଭାରତର ଓଭର ଦି ଟପ୍ (ଓଟିଟି) ଷ୍ଟ୍ରିମିଂ ଶିଳ୍ପ ଆସନ୍ତା ଦଶନ୍ଧିରେ ୧୩୦୧୫ ବିଲିଅନ ଡଲାରରେ ପହଞ୍ଚିବ। ଏହା ବାର୍ଷିକ ୨୨-୨୫ ପ୍ରତିଶତ ହାରରେ ଆଗକୁ ବଢ଼ିବ ବୋଲି ସିଆଇଆଇ ଓ ବୋଷ୍ଟନ କନସଲଟିଂ ଗ୍ରୁପ୍ ପକ୍ଷରୁ କରାଯାଇଥିବା ଆକଳନରୁ ଜଣାପଡ଼ିଛି। ଭାରତରେ ଏବେ ଏବେ ୪୦ରୁ ଅଧିକ ପ୍ରକାରର ଭିଡିଓ ଷ୍ଟ୍ରିମିଂ ପ୍ରଦାନକାରୀ ସଂସ୍ଥା ରହିଛନ୍ତି। ସୁଲଭ ମୂଲ୍ୟରେ ଇଣ୍ଟରନେଟ୍ ଉପଲବ୍ଧ ହେବା, ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍ ପହଞ୍ଚିବା, ଅପ୍ଟିକାଲ୍ ଫାଇବର ଜରିଆରେ ସ୍ମାର୍ଟ ଟିଭିରେ ଆପ୍ ଭିତ୍ତିକ ଷ୍ଟ୍ରିମିଂ ସହଜ ହେବା ପରେ ଭିଡିଓ ଷ୍ଟ୍ରିମିଂର ଚାହିଦା ଦ୍ରୁତ ଗତିରେ ବଢ଼ୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/youtube-logo.png)