ସୁସ୍ଥ ରହିବା ଲାଗି କର୍ମଚାରୀଙ୍କୁ ବୋନସ୍‌ ଦେବ ଜିରୋଧା

ବେଙ୍ଗାଲୁରୁ : କରୋନା ମହାମାରୀ ଯୋଗୁଁ ଲୋକମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟ ପ୍ରତି ସଚେତନତା ବୃଦ୍ଧି ପାଇଛି। ନିଜ କର୍ମଚାରୀମାନେ ଯେଭଳି ସୁସ୍ଥ ରହିବେ ତାହା ନିଶ୍ଚିତ କରିବା ଲାଗି ଜିରୋଧା ନାମକ ଏକ ଆର୍ଥିକ ସେବା କଂପାନି ଏହାର କର୍ମଚାରୀଙ୍କୁ ଗୋଟିଏ ମାସର ବେତନ ବୋନସ୍ ଆକାରରେ ପ୍ରଦାନ କରିବା ବିଷୟରେ ଘୋଷଣା କରିଛି। ନିଜ ଜୀବନଶୈଳୀରେ ପରିବର୍ତ୍ତନ ଆଣି ନିର୍ଦିଷ୍ଟ ପ୍ରକାର ସ୍ବାସ୍ଥ୍ୟ ଲକ୍ଷ୍ୟ ହାସଲ କରିବା ଲାଗି କର୍ମଚାରୀଙ୍କୁ କଂପାନି ଉତ୍ସାହିତ କରିବ। ଏ ବିଷୟରେ ଟ୍ବିଟର୍‌ ଜରିଆରେ ଜିରୋଧାର ପ୍ରତିଷ୍ଠାତା ଓ ସିଇଓ ନିତୀନ କାମାଥ୍‌ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ ମହାମାରୀ ଯୋଗୁଁ ଅନେକ କିଛି ବିଗିଡ଼ିଯାଇଛି। ଅସନ୍ତୁଳିତ ଜୀବନଶୈଳୀ, ଅନୁପଯୁକ୍ତ ଆହାର ଏବଂ ଜୀବନ-ଜୀବିକା ଭିତରେ ସନ୍ତୁଳନର ଅଭାବ ଯୋଗୁଁ ଆମ ଟିମ୍‌ର ଅନେକ ସଦସ୍ୟ ସୁସ୍ଥ ମନେ କରୁନାହାନ୍ତି। ଶାରିରୀକ କାର୍ଯ୍ୟକଳାପ କମିଯାଇଥିବାରୁ ଅନେକ ନିଜକୁ ଫିଟ୍‌ ଭାବୁନାହାନ୍ତି। ତେଣୁ ଆମ କର୍ମଚାରୀଙ୍କ ପାଇଁ ଆସନ୍ତା ୧୨ ମାସ ପାଇଁ ଏକ ସ୍ବାସ୍ଥ୍ୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେହି ଲକ୍ଷ୍ୟ ହାସଲ କରିବା ଲାଗି ସେମାନଙ୍କୁ ଅନୁପ୍ରାଣିତ କରାଯାଉଛି। ଯେଉଁମାନେ ଲକ୍ଷ୍ୟ ହାସଲ କରିବେ ସେମାନଙ୍କୁ କଂପାନି ତରଫରୁ ଗୋଟିଏ ମାସର ଦରମା ବୋନସ ଆକାରରେ ପ୍ରଦାନ କରାଯିବ। ଏହାକୁ ନେଇ ଏକ ଲକି ଡ୍ର’ ଅନୁଷ୍ଠିତ ହେବ ଯାହାର ଭାଗ୍ୟଶାଳୀ ବିଜେତାଙ୍କୁ ୧୦ ଲକ୍ଷ ଟଙ୍କା ଦିଆଯିବ ବୋଲି କାମାଥ୍‌ କହିଛନ୍ତି।

ସମ୍ବନ୍ଧିତ ଖବର