ଭୁବନେଶ୍ବର: ଜୋହୋ ଏହାର ଉତ୍ପାଦଗୁଡ଼ିକୁ ଦେଶ ଭିତରେ ବିକାଶ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକ୍ରମେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ନିକଟରେ ଜୋହୋର ଅଫିସ୍ ଉତ୍ପାଦ ବ୍ୟବହାର କରିବା ଆରମ୍ଭ କରିଥିଲେ। ତା’ପରଠାରୁ ଏହି କମ୍ପାନି ଚର୍ଚ୍ଚାରେ ରହିଛି। ତେବେ ଜୋହୋର ସବୁଠୁ ବଡ଼ ବିଶେଷତ୍ବ ହେଉଛି ଏହା ବ୍ୟବହାରକାରୀମାନଙ୍କ ସବୁ ତଥ୍ୟ ଦେଶ ଭିତରେ ରଖୁଛି। ମୁମ୍ବାଇ, ଦିଲ୍ଲୀ ଓ ଚେନ୍ନାଇରେ ସେଥିପାଇଁ ଡାଟା ସେଣ୍ଟର ରହିଛି। ଆମେ ଓଡ଼ିଶାରେ ଏକ ନୂଆ ଡାଟା ସେଣ୍ଟର ସ୍ଥାପନ କରୁଛୁ ବୋଲି ଜୋହୋର ପ୍ରତିଷ୍ଠାତା ଶ୍ରୀଧର ଭେମ୍ବୁ ସୂଚନା ଦେଇଛନ୍ତି।
ଓଡ଼ିଶାକୁ ଡାଟା ସେଣ୍ଟରର ଏକ ହବ୍ରେ ପରିଣତ କରିବା ଲାଗି ରାଜ୍ୟ ସରକାର ଓଡ଼ିଶା ଡାଟା ସେଣ୍ଟର ନୀତି ୨୦୨୨ ଘୋଷଣା କରିଛନ୍ତି। ତାହା ଅଧୀନରେ ଜୋହୋର ଡାଟା ସେଣ୍ଟର ପ୍ରସ୍ତାବକୁ ମଞ୍ଜୁର କରାଯାଇଛି। ଏହି ପ୍ରକଳ୍ପରେ କମ୍ପାନି ୩୦୬ କୋଟି ଟଙ୍କା ନିବେଶ କରିବ। ଚଳିତ ବର୍ଷ ମାର୍ଚ୍ଚରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ ମଞ୍ଜୁରି କର୍ତ୍ତୃପକ୍ଷଙ୍କ ୧୩୫ତମ ବୈଠକରେ ଜୋହୋର ଡାଟା ସେଣ୍ଟର ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଥିଲା। କମ୍ପାନି ଏହାର ଡାଟା ସେଣ୍ଟରକୁ ଖୋର୍ଦ୍ଧାରେ ସ୍ଥାପନ କରିବା ଯୋଜନା ରଖିଛି।
ହ୍ବାଟ୍ସଆପ୍ର ସ୍ବଦେଶୀ ବିକଳ୍ପ ‘ଅରଟଇ’
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବଦେଶୀ ଜିନିଷ ବ୍ୟବହାର କରିବାକୁ ଆହ୍ବାନ ଦେଇଛି। ତାହାର ପ୍ରଭାବରେ ସୂଚନା ପ୍ରଯୁକ୍ତି ଦୁନିଆରେ ଗୋଟିଏ ଆପ୍ ବହୁ ସଂଖ୍ୟାରେ ଡାଉନ୍ଲୋଡ୍ କରାଯାଉଛି। ତାହା ହେଉଛି ଶ୍ରୀଧର ଭେମ୍ବୁଙ୍କ କମ୍ପାନି ଜୋହୋ କର୍ପୋରେସନ୍ ବିକାଶ କରିଥିବା ମେସେଜିଂ ଆପ୍ ‘ଅରଟଇ’। ଅରଟଇ ହେଉଛି ଏକ ତାମିଲ ଭାଷାର ଶବ୍ଦ, ଯାହାର ଅର୍ଥ ହେଉଛି ଗପସପ।
ଅରଟଇରେ ଅନେକ ସୁବିଧାସୁଯୋଗ ରହିଛି ଯାହା ଏହାକୁ ଆମେରିକୀୟ କମ୍ପାନି ମେଟା ବିକାଶ କରିଥିବା ହ୍ବାଟସ୍ଆପ୍ର ଏକ ବଡ଼ ପ୍ରତିଦ୍ବନ୍ଦ୍ବୀ ଭାବେ ଉପସ୍ଥାପନ କରିଛି। ହ୍ବାଟସ୍ଆପ୍ ଭଳି ଏହା କିନ୍ତୁ ଏକଚାଟିଆ ଆପ୍ ନୁହେଁ। ଶ୍ରୀଧର ଏହାକୁ ଖୋଲା ରଖିଛନ୍ତି। ଚଳିତ ମାସ ୨୧ରୁ ୨୭ ମଧ୍ୟରେ ଭାରତରେ ଏହି ଆପ୍ ଡାଉନ୍ଲୋଡ୍ରେ ୧୮୫ ପ୍ରତିଶତ ବୃଦ୍ଧି ଘଟିଛି। ଏହାର ଦୈନିକ ସକ୍ରିୟ ବ୍ୟବହାରକାରୀ ସଂଖ୍ୟା ୪୦ ଗୁଣା ବଢ଼ିଛି। ସରକାରୀ ଅଧିକାରୀମାନେ ଏହି ଆପ୍ ସମ୍ପର୍କରେ ଜଣାଇବା ପରେ ତାହାର ଡାଉନ୍ଲୋଡ୍ ବଢ଼ିବାରେ ଲାଗିଛି। ଗତ ସେପ୍ଟେମ୍ବର ୨୫ ପରଠାରୁ ଏହି ଆପ୍ ଦୈନିକ ୧ ଲକ୍ଷରୁ ଅଧିକ ଥର ଡାଉନ୍ଲୋଡ୍ ହେଉଛି। ପୂର୍ବରୁ ଦିନକୁ ମାତ୍ର ୩୦୦ ଥର ଆପ୍କୁ ଡାଉନ୍ଲୋଡ୍ କରାଯାଉଥିଲା।
ଆପ୍ ବ୍ୟବହାରରେ ହଠାତ୍ ବୃଦ୍ଧି ହୋଇଥିବାରୁ ଜୋହୋକୁ ଜରୁରୀକାଳୀନ ଭିତ୍ତିଭୂମି ବଢ଼ାଇବାକୁ ପଡ଼ୁଛି। ପୂର୍ବରୁ ଆପ୍ରେ ଦୈନିକ ୩୦୦୦ ସାଇନ୍ ଅପ୍ ହେଉଥିଲା, ଯାହା ଏବେ ସାଢ଼େ ତିନି ଲକ୍ଷକୁ ବୃଦ୍ଧି ପାଇଛି। ୨୦୨୧ରେ ଅରଟଇ ଆପ୍କୁ ଆରମ୍ଭ କରାଯାଇଥିଲା। ଏଥିରେ ମେସେଜ୍ ଏବଂ ଭଏସ୍ ଓ ଭିଡିଓ କଲ୍ କରିବା ସୁବିଧା ରହିଛି। କଲ୍ଗୁଡ଼ିକ ଏଣ୍ଡ୍-ଟୁ-ଏଣ୍ଡ୍ ଏନ୍କ୍ରିକ୍ସନ କରାଯାଇଛି। ଖୁବ୍ଶୀଘ୍ର ମେସେଜ୍ ପାଇଁ ମଧ୍ୟ ସେଭଳି ସୁବିଧା ଆସିବ।