ନୂଆଦିଲ୍ଲୀ: ଆଜିକାଲି ଅନ୍‌ଲାଇନ୍‌ ଫୁଡ୍‌ ଡେଲଭରି ସଂସ୍ଥାଗୁଡ଼ିକର ଚାହିଦା ଢେର୍‌ ବଢ଼ିବାରେ ଲାଗିଛି। ବରାଦ ଉପରେ ବରାଦ ମିଳିବା ପରେ ଏହି ସଂସ୍ଥାଗୁଡ଼ିକର ଚାହିଦା ଢେର୍‌ ଅଧିକା। ନୂଆ‌ବର୍ଷ ଅବସରରେ ଅନ୍‌ଲାଇନ୍‌ ଫୁଡ୍‌ ଡେଲଭରି ସଂସ୍ଥା ‘ଜୋମାଟୋ’ ଏବଂ ‘ସ୍ବିଗି’ ପକ୍ଷରୁ ପ୍ରକାଶ ପାଇଛି ଯେ ସେମାନଙ୍କୁ ୫ ଲକ୍ଷରୁ ଅଧିକ ବରାଦ ମିଳିଛି। ଅଧିକାଂଶ ବରାଦ ହୋଇଛି ପିଜା ଓ ବରିୟାନୀ ପାଇଁ।

Advertisment

ନୂଆବର୍ଷ ଅବସରରେ ପାର୍ଟି ପାଇଁ ଅଧିକାଂଶ ଭାରତୀୟ କ’ଣ ବରାଦ କରିଛନ୍ତି ସେ ନେଇ ଉଭୟ ଜୋମାଟୋ ଓ ସ୍ବିଗି ଏକ ତାଲିକା ପ୍ରକାଶ କରିଛନ୍ତି। ସ୍ବିଗି ପକ୍ଷରୁ ପ୍ରକାଶ ପାଇଛି ଯେ ତାଙ୍କର ଡେଲିଭରି ଟିମ୍‌ ସାରା ଦେଶରେ ୩.୫ ଲକ୍ଷ ବିରିୟାନୀ ଓ ୨.୫ ଲକ୍ଷ ପିଜା ଡେଲିଭରି କରିଛନ୍ତି।

ସେହିପରି ଜୋମାଟୋ ପକ୍ଷରୁ ପ୍ରକାଶ ପାଇଛି ‌ଯେ ନୂଆବର୍ଷ ଅବସରରେ କମ୍ପାନିକୁ ୧୬,୧୧୪ ବିରିୟାନୀ ବରାଦ ହୋଇଥିବା ବେଳେ ଡୋମିନଜ୍‌ ପିଜା ଏକ ଟ୍ବିଟ୍‌ କରି ୬୧, ୨୮୭ ପିଜା ଡେଲିଭରି କରିଥିବା ସୂଚନା ଦେଇଛି।

କେବଳ ବିରିୟାନୀ, ପିଜା ପରି ଖାଦ୍ୟ ନୁହେଁ, ଲୋକେ ନୂଆବର୍ଷ ପାଳନ କରିବାକୁ ଚିପ୍ସ, ଥଣ୍ଡା ପାନୀୟ ଆଦି  ବରାଦ ବି ଦେଇଥିବା କମ୍ପାନିଗୁଡ଼ିକ ପକ୍ଷରୁ କୁହାଯାଇଛି।

ଜୋମାଟୋ ପକ୍ଷରୁ ଆହୁରି ବି କୁହାଯାଇଛି ଯେ କମ୍ପାନିକୁ ପୂର୍ବଦିନ ଅପେକ୍ଷା ନୂଆବର୍ଷ ପାଇଁ ଅଧିକ ୪୭ ପ୍ରତିଶତ ବରାଦ ମିଳିଛି। ଜୋ‌ମାଟୋ ଜରିଆରେ ଲୋକେ ସବୁଠାରୁ ଅଧିକ ବିରିୟାନୀ ବରାଦ ଦେଇଥିବା ବେଳେ ମିନିଟ୍‌ ପିଛା ପ୍ରାୟ ୧୩୭ ବିରିୟାନୀ ବରାଦ ହୋଇଥିବା ସଂସ୍ଥା ପକ୍ଷରୁ ସୂଚନା ମିଳିଛି।