ମହିଳାଙ୍କୁ ମାସିକଧର୍ମକାଳୀନ ଛୁଟି ପ୍ରଦାନ କରିବ ଜୋମାଟୋ, ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ମିଳିବ ବର୍ଷକୁ ଅତିରିକ୍ତ ୧୦ ଦିନ ଛୁଟି

ନୂଆଦିଲ୍ଳୀ: ନିଜର ମହିଳା କର୍ମଚାରୀମାନଙ୍କୁ ବର୍ଷକୁ ୧୦ ଦିନ ମାସିକଧର୍ମକାଳୀନ ଛୁଟି (ପିରିୟଡ୍‌ସ ଲିଭ୍‌) ଦେବାକୁ ଘୋଷଣା କରିଛି ଫୁଡ୍ ଟେକ୍ ୟୁନିକର୍ଣ୍ଣ ଜୋମାଟୋ। କମ୍ପାନି ଘୋଷଣା କରିଛି ଯେ କିନ୍ନରଙ୍କ ସମେତ ସମସ୍ତ ମହିଳା କର୍ମଚାରୀମାନଙ୍କୁ ଏହି ଛୁଟି ପ୍ରଦାନ କରାଯିବ। କମ୍ପାନିର କହିବାନୁସାରେ, ମହିଳା କର୍ମଚାରୀମାନେ ପ୍ରତ୍ୟେକ ମାସିକଧର୍ମ  ପାଇଁ ଗୋଟିଏ ଦିନ ଛୁଟି ନେଇପାରିବେ।

ତେବେ ପ୍ରଶ୍ନ ଉଠୁଛି ଯେ ଯଦି ମହିଳାମାନଙ୍କର ବର୍ଷକୁ ପ୍ରାୟ ୧୪ ଥର ମାସିକ ଧର୍ମ ହୋଇଥାଏ ତେବେ ୧୪ଟି ବଦଳରେ ବର୍ଷକୁ କମ୍ପାନି ୧୦ଟି ଛୁଟି ଦେବାକୁ କାହିଁକି ଘୋଷଣା କରିଛି? ଛୁଟି ଦିନକୁ ଦୃଷ୍ଟିରେ ରଖି କମ୍ପାନି ଏପରି ଘୋଷଣା କରିଛି। କେବେ କେବେ ସାପ୍ତାହିକ ଛୁଟି କିମ୍ବା ଅନ୍ୟ କୌଣସି ଛୁଟି ଦିନରେ ବି ମହିଳାଙ୍କର ମାସିକଧର୍ମ ପଡ଼ିପା‌ରେ ବୋଲି ଚିନ୍ତା କରି କମ୍ପାନି ଏପରି ନିଷ୍ପତ୍ତି ନେଇଥିବା ଜାଣିବାକୁ ମିଳିଛି। ଏଣିକି ପୁରୁଷଙ୍କ ତୁଳନାରେ ଜୋମାଟୋର ମହିଳାକର୍ମୀମାନେ ଅତିରିକ୍ତ ୧୦ଟି ଛୁଟି ବର୍ଷକୁ ନେଇପାରିବେ।

କମ୍ପାନି ପକ୍ଷରୁ ଏହି ଛୁଟିକୁ ନେଇ ଆହୁରି ବି କୁହାଯାଇଛି ଯେ ‘ପୁରୁଷ ଓ ମହିଳାଙ୍କ ମଧ୍ୟରେ ଶାରୀରିକ ପ୍ରଭେଦ ରହିଛି। ସେଥିପାଇଁ ମହିଳାମାନଙ୍କୁ ଏହି ଛୁଟି ମାଗିବାକୁ ଲାଜ କରିବାର କୌଣସି ଆବଶ୍ୟକତା ନାହିଁ।’

ଏନେଇ ନିର୍ମାତା ତଥା ସିଇଓ ଦୀପିନ୍ଦର ଗୋୟଲ କହିଛନ୍ତି ଯେ, ‘ମୁଁ ଜାଣେ ଯେ ଅନେକ ମହିଳାଙ୍କ ପାଇଁ ମାସିକଧର୍ମ ଅତ୍ୟଧିକ ଯନ୍ତ୍ରଣାଦାୟକ ଅଟେ। ଯେହେତୁ ଆମେ ଜୋମାଟୋରେ ଏକ ସହଯୋଗୀ ସଂସ୍କୃତି ଗଠନ କରିବାକୁ ଚାହୁଁ ତେଣୁ ମହିଳାଙ୍କୁ ସମର୍ଥନ କରିବା କମ୍ପାନିର ପ୍ରଥମ କାମ।’

ସମ୍ବନ୍ଧିତ ଖବର