ଜୋମାଟୋରୁ ଖାଦ୍ୟ ଅର୍ଡର କରି ହଟହଟା ହେଲେ ଗ୍ରାହକ: ସାଣ୍ଡୱିଚରୁ ବାହାରିଲା ମଲା ଅସରପା

ନୂଆଦିଲ୍ଲୀ: ଘରେ ବସି ମନମୁତ‌ାବକ ଖାଦ୍ୟ ଅର୍ଡର କରିବା ପାଇଁ ଦିନକୁ ଦିନ ବିଭିନ୍ନ ପ୍ରକାର ଆପ ବାହାରିଲାଣି। ଏହି କ୍ରମରେ ଦେଖିବାକୁ ଗଲେ ଜୋମାଟୋର ଚାହିଦା ବି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ ସମୟସମୟରେ ଏହି ଆପ ଜରିଆରେ ଗ୍ରାହକ ନିରାମିଷ ଖାଦ୍ୟ ମଗାଇଥିବା ବେଳେ ତ‌ାଙ୍କ ପାଖରେ ଆମିଷ ଖାଦ୍ୟ ଆସି ପହଞ୍ଚିଥାଏ। ସେହିପରି ଅନଲାଇନରୁ ମଗାଇଥିବା ଖାଦ୍ୟ ଭିତରେ ପୋକ ଓ ମଲା ଅସରପା ବାହାରିବା ଘଟଣା ଅନେକ ଥର ସାମ୍ନାକୁ ଆସିଛି।

ନିକଟରେ ଏମିତି ଏକ ଘଟଣା ବେଙ୍ଗାଲୁରୁର ଜଣେ ବ୍ୟକ୍ତିଙ୍କ ସହିତ ଘଟିଛି। ସେ ଜୋମାଟୋ ଜରିଆରେ କ୍ଲାଉଡ଼ କିଚନ-ଫ୍ରେସ ମେନ୍ୟୁରୁ ସାଣ୍ଡୱିଚ୍ ମଗାଇଥିଲେ। ଖାଦ୍ୟ ଆସି ଘରେ ପହଞ୍ଚିବା ପରେ ଯେମିତି ଖାଇବା ଆରମ୍ଭ କରିଛନ୍ତି ସେଥିରୁ ମାଲା ଅସରପା ବ‌ାହାରିଥିବା ସେ ଦେଖିବାକୁ ପାଇଥିଲେ। ଏହାପରେ ଗ୍ରାହକ ଜଣକ ଅସରପାଯୁକ୍ତ ସାଣ୍ଡୱିଚର ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରି ସମସ୍ତଙ୍କୁ ଘଟଣା ବିଷୟରେ ଅବଗତ କରାଇଥିଲେ।

ତେବେ ଏହି ଘଟଣାକୁ ନେଇ ଜୋମାଟୋ କି ଖାଦ୍ୟ ପଠାଇଥିବା ରେସ୍ତୋରାଁ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ଗ୍ରାହକ ଖାଦ୍ୟ ଖାଇବା ସମୟରେ ଏପରି ଅସନ୍ତୋଷଜନକ ଘଟଣାକୁ ନେଇ ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। ଏଥିସହିତ ଗ୍ରାହକଙ୍କୁ ଏପରି ଅସ୍ବାସ୍ଥ୍ୟକର ଖାଦ୍ୟ ପଠାଇବାକୁ ନେଇ ଲୋକେ ପ୍ରଶ୍ନ କରିଛନ୍ତି କି ଏଭଳି ଖାଦ୍ୟ ଖାଇବା ପରେ ଯଦି ଗ୍ରାହକଙ୍କ ସ୍ବାସ୍ଥ୍ୟ ଖରାପ ହୁଏ ତେବେ ଏଥିପାଇଁ ଦାୟୀ କିଏ ହେବ?

ସମ୍ବନ୍ଧିତ ଖବର