ନୂଆଦିଲ୍ଲୀ: ‌ଫୁଡ୍‌ ଡେଲିଭରିଂ ସାଇଟ୍‌ ଜୋମାଟୋ ନିଜର ମାର୍କେଟିଂ ଶୈଳୀ ପାଇଁ ଅଧିକାଂଶ ସମୟ ଚର୍ଚ୍ଚାରେ ରହିଥାଏ। ଜୋମାଟୋର ସୋସିଆଲ୍‌ ମିଡିଆରେ ଆପଣ ଅନେକ ଆକର୍ଷଣୀୟ ପୋଷ୍ଟ୍‌ ପୂର୍ବରୁ ଦେଖିଥିବେ। ଏବେ କମ୍ପାନିର ଏକ ଟ୍ବିଟ୍‌ ପୋଷ୍ଟ୍‌ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହୋଇ ଚାଲିଛି। ‌ଏଥିରେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ଭିନ୍ନ ଭିନ୍ନ ମତ ରଖିଛନ୍ତି।

Advertisment

ବୁଧବାର ଦିନ ଟୁଇଟରରେ ଜୋମାଟୋ ଏକ ପୋଷ୍ଟ୍‌ କରି ଲେଖିଛି, ‘ଭୋପାଳର ଅଙ୍କିତା, ଦୟାକରି ଆପଣଙ୍କ ପୂର୍ବ ପ୍ରେମିକଙ୍କ ପାଇଁ କ୍ୟାସ୍‌ଅନ୍‌ ଡେଲିଭରିରେ ଖାଦ୍ୟ ବରାଦ ଦେବା ବନ୍ଦ କରନ୍ତୁ। ଏହା ତୃତୀୟ ଥର ହେଲା ଯେ ସେ ବରାଦକୁ ଗ୍ରହଣ କରୁନାହାନ୍ତି (କ୍ୟାନ୍‌ସଲ୍‌ କରିଦେଉଛନ୍ତି)।’

ଏଥିରୁ ସ୍ପଷ୍ଟ ହୋଇଛି ଯେ ଅଙ୍କିତା ନାମ୍ନୀ ଜଣେ ଯୁବତୀ ‘କ୍ୟାସ୍‌ ଅନ୍‌ ଡେଲିଭରି’ରେ ନିଜର ପୂର୍ବତନ ପ୍ରେମିକଙ୍କ ନିକଟକୁ ଖାଦ୍ୟ ପଠାଉଥିବା ବେଳେ ପ୍ରେମିକ ଜଣକ ତାହାକୁ କ୍ୟାନ୍‌ସଲ୍‌ କରି ଦେଉଛନ୍ତି। ଏପରି ବରାବର ହେବାରୁ ଜୋମା‌ଟୋ ପକ୍ଷରୁ ବାଧ୍ୟ ହୋଇ ଅଙ୍କିତାଙ୍କୁ ସୂଚାଇ ଦିଆଯାଇଛି।

ଏହି ମଜାଳିଆ ଟ୍ୱିଟ୍‌ଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଇଣ୍ଟରନେଟ ବ୍ୟବହାରକାରୀଙ୍କ ନିକଟରୁ ଏହି ମଜାଳିଆ ପୋ‌ଷ୍ଟ୍‌ ପାଇଁ ଅନେକ ପ୍ରତିକ୍ରିୟା ମିଳିଛି। ତେବେ କେହି କେହି ଜାଣିବାକୁ ଉତ୍ସୁକତା ପ୍ରକାଶ କରିଛନ୍ତି ଯେ ବାସ୍ତବରେ କେହି ଯୁବତୀ ଏପରି କରୁଛନ୍ତି ନା ଏହା କମ୍ପାନିର ମାର୍କେଟିଂ କୌଶଳ। କେହି କେହି ଦାବିର ସହ ଏହାକୁ ମାର୍କେଟଂ ଷ୍ଟ୍ରାଟେଜି ବା କୌଶଳ ବୋଲି କହୁଛନ୍ତି। କିଛି ବ୍ୟବହାରକାରୀ ଲେଖିଛନ୍ତି ‌ଯେ ଅଙ୍କିତା ପ୍ରତିଶୋଧ ନେବାକୁ ଏପରି କରୁଛନ୍ତି। ଏହି ପୋଷ୍ଟକୁ ଏପର୍ଯ୍ୟନ୍ତ ୧୦ ହଜାରରୁ ଅଧିକ ଲାଇକ୍, ୮୦୦ ରିଟ୍ୱିଟ୍ ଏବଂ ଶହ ଶହ ମଜାଦାର କମେଣ୍ଟ୍‌ ମିଳିଛି।