ନିଜର ୪% କର୍ମଚାରୀଙ୍କୁ ଛଟେଇ କରିବ ଜୋମାଟୋ

ନୂଆଦିଲ୍ଲୀ : ଟ୍ବିଟର, ମେଟା, ଆମାଜନ ପରେ ଖାଦ୍ୟ ଡେଲିଭରୀ ପ୍ଲାଟଫର୍ମ ଜୋମାଟୋ ମଧ୍ୟ ଛଟେଇ କରିବା ଆରମ୍ଭ କରିଛି । କମ୍ପାନିର କ୍ଷତି ବଢିଚାଲିଥିବାବେଳେ ଖର୍ଚ୍ଚ ମଧ୍ୟ ବଢିଚାଲିଛି । ଏହାକୁ ନିୟନ୍ତ୍ରଣ କରିବାକୁ କମ୍ପାନି ଛଟେଇ କରିବାକୁ ନିଷ୍ପତ୍ତି ନେଇଛି । କମ୍ପାନୀ ଏହାର ମୋଟ କର୍ମଚାରୀଙ୍କ ସଂଖ୍ୟାର ଅତି କମରେ ୪ ପ୍ରତିଶତ ଛଟେଇ କରିବାକୁ ଯୋଜନା କରିଛି । କମ୍ପାନି ପକ୍ଷରୁ ଇତି ମଧ୍ୟରେ ୧୦୦ ଜଣ କର୍ମଚାରୀଙ୍କୁ ବିଦା କରାଯାଇସାରିଲାଣି ।

ଜାତୀୟ ସ୍ତରର ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ପୂର୍ବରୁ ପ୍ରଡକ୍ଟ ଡେଭଲପମେଣ୍ଟରେ ଥିବା କେତେକ ମଧ୍ୟସ୍ତରୀୟ ଓ ବରିଷ୍ଠ କର୍ମଚାରୀଙ୍କୁ ବିଦା କରାଯାଇଛି । ଗତ ଶୁକ୍ରବାରଦିନ କମ୍ପାନିର ସହ-ପ୍ରତିଷ୍ଠାତା ମୋହିତ୍ ଗୁପ୍ତା ନିଜ ପଦରୁ ଇସ୍ତଫା ଦେଇଥିଲେ । ଗତ ଜୁଲାଇ-ସେପ୍ଟେମ୍ବର ତିନିମାସରେ ଏହି କମ୍ପାନି ୨୫୦  କୋଟି ଟଙ୍କାର କ୍ଷତି ସହିଥିଲା ।

ଗତ ମଙ୍ଗଳବାରଦିନ ଇ-କମର୍ସ କମ୍ପାନି ଆମାଜନ ପକ୍ଷରୁ ପ୍ରାୟ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରାଯିବା ସଂପର୍କରେ ଘୋଷଣା କରାଯାଇଥିଲା । କେବଳ ଏତିକି ନୁହେଁ, କେତେକ ଠିକା କର୍ମଚାରୀଙ୍କୁ ବି ଛଟେଇ କରିବାକୁ ଯୋଜନା କରୁଛି ଆମାଜନ ।

ଗତ ସପ୍ତାହରେ ସାରା ବିଶ୍ବରେ ଥିବା ନିଜର କର୍ମଚାରୀମାନଙ୍କୁ ଛଟେଇ କରିଥିଲା ଟ୍ବିଟର । ଭାରତରେ ଟ୍ବିଟରର ୯୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା । ସେହିପରି ମେଟା ( ପୂର୍ବର ଫେସବୁକ) ପକ୍ଷରୁ ୧୧ ହଜାର କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା ।

ସମ୍ବନ୍ଧିତ ଖବର