ନୂଆଦିଲ୍ଲୀ: ବିଶ୍ବର ଏକ ନମ୍ବର ଧନୀ ତଥା ଟେସ୍ଲାର ମୁଖ୍ୟ ୫୨ ବର୍ଷୀୟ ଏଲନ୍ ମସ୍କଙ୍କ ସହ ହେବାକୁ ଥିବା ବହୁ ଚର୍ଚ୍ଚିତ କେଜ୍ ଫାଇଟ୍ରୁ ମେଟାର ମୁଖ୍ୟ ୩୭ ବର୍ଷୀୟ ମାର୍କ ଜୁକରବର୍ଗ ଓହରିଯାଇଛି। ସେ ଜଣାଇଛି ଯେ ଲଢ଼େଇ ପାଇଁ ମସ୍କ ପ୍ରତିବଦ୍ଧ ନାହାନ୍ତି। ସେ ଲଢ଼େଇକୁ ଆଦୌଁ ଗମ୍ଭୀରତାର ସହ ନେଉନାହାନ୍ତି। ମୁଁ ତାଙ୍କୁ ଏକ ତାରିଖର ପ୍ରସ୍ତାବ ଦେଇଥିଲି। ଲଢ଼େଇରୁ ଯେଉଁ ଆୟ ହେବ ତାହାକୁ ଦାତବ୍ୟ କାର୍ଯ୍ୟ ପାଇଁ ଦାନ କରିବାକୁ ସ୍ଥିର ହୋଇଥିଲା। ସେ କୌଣସି ତାରିଖ ଧାର୍ଯ୍ୟ କରିପାରୁନାହାନ୍ତି। ପରେ କହିଲେ ମୋର ଅସ୍ତ୍ରୋପଚାର ଆବଶ୍ୟକ ହେଉଛି।
ଏବେ କହୁଛନ୍ତି ଆମ ଅଭ୍ୟାସ କରିବା। ଯଦି କେବେ ମସ୍କ ଲଢ଼େଇକୁ ଗମ୍ଭୀରତା ସହ ନେବେ ତେବେ ଏହି ଲଢ଼େଇ ହେବ। ସେ ଜାଣିଛନ୍ତି ମୋତେ କିଭଳି ସେ ବିଷୟରେ ଜଣାଇବେ। ଏବେ ଆଗକୁ ବଢ଼ିବାର ସମୟ ବୋଲି ଜୁକରବର୍ଗ ଲେଖିଛନ୍ତି। ଯେଉଁମାନେ ଲଢ଼େଇକୁ ଗମ୍ଭୀରତାର ସହ ନେଉଛନ୍ତି ସେମାନଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବା ଉପରେ ଧ୍ୟାନ ଦେବା ଠିକ୍ ହେବ ବୋଲି ଜୁକରବର୍ଗ କହିଛନ୍ତି। ତାଙ୍କର ଏହି କଥା ଉପରେ ଉତ୍ତର ଦେଇ ମସ୍କ ଲେଖିଛନ୍ତି ଯେ ଜୁକ୍ ହେଉଛନ୍ତି ଏକ ଚିକେନ୍ (କୁକୁଡ଼ା)। କିଛି ଦିନ ପୂର୍ବେ ଟ୍ବିଟର (ଏବେ ‘ଏକ୍ସ’ର ବିକଳ୍ପ ଭାବେ ଜୁକରବର୍ଗ ଏକ ନୂଆ ଆପ୍ ଥ୍ରେଡ୍ସକୁ ଉନ୍ମୋଚନ କରିଥିଲେ। ଅଳ୍ପ ଦିନ ଭିତରେ ତାହାର ଲୋକପ୍ରିୟା ଶିଖର ଛୁଇଁଥିଲା। ସେହି ସମୟରେ କେଜ୍ ଫାଇଟ୍ ଲାଗି ଉଭୟଙ୍କ ମଧ୍ୟର ଆଲୋଚନା ଆରମ୍ଭ ହୋଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ତାହାକୁ ବ୍ୟଙ୍ଗ ବିଚାର କରାଯାଉଥିଲା।