ନୂଆଦିଲ୍ଲୀ: ଚଳିତ ବର୍ଷ ଜାନୁଆରି ମାସରେ ଲିକ୍ ହୋଇଥିବା ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟ (ଏନ୍ଏସ୍ଏସ୍ଓ)ର ବେକାରି ହାର ରିପୋର୍ଟ ସତ ହୋଇଛି। ନିର୍ବାଚନ ପୂର୍ବରୁ ସରକାର ଏହି ରିପୋର୍ଟକୁ ମାନିବାକୁ ରାଜି ନଥିଲେ। କିନ୍ତୁ ନିର୍ବାଚନ ପରେ ପ୍ରକାଶ ପାଇଥିବା ରିପୋର୍ଟରେ ବେକାରି ତଥ୍ୟ ସମାନ ରହିଛି। ୨୦୧୭-୧୮ ଆର୍ଥିକ ବର୍ଷରେ ଦେଶର ବେକାରି ହାର ୬.୧ ପ୍ରତିଶତ ରହିଛି। ଏହା ଗତ ୪୫ ବର୍ଷ ମଧ୍ୟରେ ସର୍ବାଧିକ। ୧୯୭୨-୭୩ ପରଠାରୁ ବେକାରି ହାର କେବେ ବି ଏତେ ଅଧିକ ନଥିଲା। ଦେଶର ସହରାଞ୍ଚଳରେ ବେକାରି ହାର ୭.୮ ପ୍ରତିଶତ ରହିଥିବାବେଳେ ଗ୍ରାମାଞ୍ଚଳରେ ଏହା ୫.୩ ପ୍ରତିଶତ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ବିତୀୟ ପାଳି ପାଇଁ ଶପଥ ନେବାର ପରଦିନ ଏବଂ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନର ପ୍ରଥମ ଦିନ ଏନ୍ଏସ୍ଏସ୍ଓ ଏହି ରିପୋର୍ଟ ପ୍ରକାଶ କରିଛି। ବର୍ଦ୍ଧିତ ବେକାରି ହାର ଏବଂ କୃଷି ସାମଗ୍ରୀର ଉପଯୁକ୍ତ ମୂଲ୍ୟ କୃଷକଙ୍କୁ ମିଳୁ ନଥିଲେ ମଧ୍ୟ ଗତ ନିର୍ବାଚନରେ ବିଜେପି ଓ ଏହାର ସହଯୋଗୀ ଦଳ ଗୁଡ଼ିକ ବିପୁଳ ବିଜୟ ହାସଲ କରି ସରକାର ଗଠନ କରିବାରେ ସଫଳ ହୋଇଛନ୍ତି। ବେକାରି ହାର ସମ୍ପର୍କିତ ଅତୀତର ତଥ୍ୟ ଦେବାକୁ ସରକାର ମନା କରିଦେଇଛନ୍ତି। ଦେଶର ମୁଖ୍ୟ ପରିସଂଖ୍ୟାନବିତ୍ ପ୍ରବୀଣ ଶ୍ରୀବାସ୍ତବ ସାମ୍ବାଦିକମାନଙ୍କୁ କହିଛନ୍ତି, ଏହି ରିପୋର୍ଟ ନୂଆ ଡିଜାଇନ ଏବଂ ନୂଆ ମେଟ୍ରିକକୁ ନେଇ ପ୍ରସ୍ତୁତ ହୋଇଛି। ତେଣୁ ଅତୀତର ତଥ୍ୟ ସହିତ ଏହାକୁ ତୂଳନା କରିବା ଠିକ୍ ହେବ ନାହିଁ ବୋଲି ସେ କହିଛନ୍ତି। କେନ୍ଦ୍ର ସରକାରଙ୍କ ପାଇଁ ବେକାରି ହାର ବୃଦ୍ଧି ଏବେ ଚିନ୍ତାର ବିଷୟ ପାଲଟିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଷମତାକୁ ଆସିବା ପୂର୍ବରୁ ବର୍ଷକୁ ୨ କୋଟି ଚାକିରି ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ। କିନ୍ତୁ ବିମୁଦ୍ରୀକରଣ ଏବଂ ଜିଏସଟି ପରେ ଅସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ଅନେକ କର୍ମଚାରୀଙ୍କ ଚାକିରି ଚାଲିଯାଇଛି।
ଏନ୍ଏସ୍ଏସ୍ଓର ଲିକ୍ ରିପୋର୍ଟ ସତ ହେଲା, ୪୫ ବର୍ଷରେ ବେକାରି ହାର ସର୍ବାଧିକ
ଏନ୍ଏସ୍ଏସ୍ଓର ଲିକ୍ ରିପୋର୍ଟ ସତ ହେଲା
/sambad/media/post_attachments/wp-content/uploads/2019/06/Untitled-10.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)