ଭୁବନେଶ୍ବର: ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ସଂସ୍ଥା ଏସାର ଗ୍ରୁପ୍ ଓଡ଼ିଶାରେ ୫୨ ହଜାର କୋଟି ଟଙ୍କାର ନୂତନ ପୁଞ୍ଜିନିବେଶ କରିବାକୁ ଯୋଜନା ପ୍ରସ୍ତୁତ କରିଛି। ନିକଟ‌ରେ ଅନୁଷ୍ଠିତ ହୋଇଥିବା ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ ୨୦୨୨ରେ ଯୋଗ ଦେଇ ଏସାର କ୍ୟାପିଟାଲ୍‌ର ନିର୍ଦେଶକ ପ୍ରଶାନ୍ତ ରୁଇୟା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଓଡ଼ିଶାରେ ଏକାଧିକ ପ୍ରକଳ୍ପ ସ୍ଥାପନ କରିବାକୁ ଆମେ ଲକ୍ଷ୍ୟ ରଖିଛୁ। ପ୍ରାୟ ୪୦,୦୦୦ କୋଟି ଟଙ୍କା ବିନିଯୋଗରେ କଂପାନି ଏକ ୭.୫ ଏମ୍‌ଏମ୍‌ଟିପିଏର କ୍ରୁଡ୍‌କୁ ପେଟ୍ରୋକେମିକାଲ୍ସ କମ୍ପ୍ଲେକ୍ସ (ସିଟିସି) ବିକାଶ କରିବ। ଏକ ଆନ୍ତର୍ଜାତିକ ସଂସ୍ଥା ସହ ସହଭାଗିତା ସ୍ଥାପନ କରି କଂପାନି ଏହି ପ୍ରକଳ୍ପ ସ୍ଥାପନ କରିବ। ସେହିପରି, ୧୨ ହଜାର କୋଟି ଟଙ୍କା ନିବେଶରେ କଂପାନି ଏକ ବାର୍ଷିକ ୧୪ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ପେଲେଟାଇଜେସନ କମ୍ପ୍ଲେକ୍ସ ସ୍ଥାପନ କରିବ। ସେହି ପ୍ରକଳ୍ପ ଅଧୀନରେ କେନ୍ଦୁଝରରେ ଏକ ଲୁହା ପଥର ଫାଇନ୍ସ ବେନିଫିକେସନ କାରଖାନା, ପାରାଦୀପରେ ଏକ ପେଲେଟ୍‌ ପ୍ଲାଣ୍ଟ୍‌ ଓ ୨୫୦ କିଲୋମିଟରର ସ୍ଲରି ପାଇପ୍‌ଲାଇନ୍ ରହିବ ବୋଲି ଶ୍ରୀ ରୁଇୟା କହିଛନ୍ତି।

Advertisment

ସେ କହିଛନ୍ତି ଯେ ଓଡ଼ିଶା ସହ ଆମ ସମ୍ପର୍କ ଦୁଇ ଦଶନ୍ଧି ପୁରୁଣା। ଏଠାରେ ଥିବା ସମ୍ଭାବନାକୁ ଏସାର ବହୁ ବର୍ଷ ପୂର୍ବରୁ ଜାଣିପାରିଥିଲା। ସେଥିପାଇଁ ୨୦୦୯ରେ କଂପାନି ଓଡ଼ିଶାରେ ୧୨ ଏମ୍‌ଟିପିଏର ଲୁହାପଥର ପେଲେଟ ପ୍ଲାଣ୍ଟ୍‌ ଓ ୨୬୦ କିମି ସ୍ଲରି ପାଇପ୍‌ଲାଇନ୍ ସ୍ଥାପନ କରିଥିଲା। ପୁଣି ଥରେ ରାଜ୍ୟର ଧାତବ, ଖଣି ଓ ଶକ୍ତି କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ଏସାର ପ୍ରସ୍ତୁତ ହୋଇଛି। ଓଡ଼ିଶା ଆମ ପାଇଁ ଅନ୍ୟତମ ପ୍ରମୁଖ ପସନ୍ଦର କ୍ଷେତ୍ର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶା ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରୁଥିବା ବେଳେ ଶିଳ୍ପ ଓ ସାମାଜିକ ବିକାଶରେ ମଧ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରୁଛି। ରାଜ୍ୟ ସରକାର ଗ୍ରହଣ କରିଥିବା ସଂସ୍କାରମୂଳକ ପଦକ୍ଷେପ ଯୋଗୁ ତାହା ସମ୍ଭବ ହୋଇଛି ବୋଲି ସେ କହିଛନ୍ତି।

ନିକଟରେ ଏସାର ପକ୍ଷରୁ ଆସେଟ ମନେଟାଇଜେସନ କାର୍ଯ୍ୟକ୍ରମ ଅଧୀନରେ ବିଭିନ୍ନ ସମ୍ପତ୍ତିକୁ ବିକ୍ରି କରାଯାଇଥିଲା। ଗୁଜରାଟର ହାଜିରା ଏବଂ ଓଡ଼ିଶାର ପାରାଦୀପରେ ଥିବା ବନ୍ଦର ଓ ଶକ୍ତି ପ୍ରକଳ୍ପକୁ କଂପାନି ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍ (ଏଏମ୍‌/ ଏନ୍‌ଏସ୍‌)କୁ ୧୬,୫୦୦ କୋଟି ଟଙ୍କାରେ ବିକ୍ରି କରିଛି। ହାଜିରାରେ କଂପାନିର ଏକ ୨୭୦ ମେଗାୱାଟ୍‌ର ପାୱାର ପ୍ଲାଣ୍ଟ୍‌ ଓ ୨୫ ଏମ୍‌ପିଟିଏର ବନ୍ଦର ଏବଂ ପାରାଦୀପରେ ୧୨ ଏମ୍‌ପିଟିଏର ବନ୍ଦର ଥିଲା। ଏଥି ସହିତ ପ୍ରାୟ ୨,୦୦,୦୦୦ କୋଟି ଟଙ୍କାର ଋଣକୁ କଂପାନି ପରିଶୋଧ କରି ସମ୍ପୂର୍ଣ୍ଣ ଋଣ ମୁକ୍ତ ହୋଇପାରିଛି। କଂପାନି ଏବେ ନୂତନ ନିବେଶ ଜରିଆରେ ନୂଆ ସମ୍ପତ୍ତି ସୃଷ୍ଟି କରିବା ଉପରେ ମନୋନିବେଶ କରିଛି। କିଛି ସମ୍ପତ୍ତି ବିକ୍ରି ସତ୍ତ୍ବେ ଶକ୍ତି, ଧାତବ ଓ ଖଣି, ଭିତ୍ତିଭୂମି ଓ ଲଜିଷ୍ଟିକ୍ସ ଏବଂ ପ୍ରଯୁକ୍ତି ଓ ରିଟେଲ୍‌ କ୍ଷେତ୍ରରେ କଂପାନିର ଉପସ୍ଥିତି ବେଶ ସୁଦୃଢ଼ ରହିଛି। ଏସାର ଗ୍ରୁପ୍‌ର ବର୍ତ୍ତମାନ ରାଜସ୍ବ ପ୍ରାୟ ୧.୨ ଲକ୍ଷ କୋଟି ଟଙ୍କା ରହିଛି।