ଭୁବନେଶ୍ବର: ଚାକିରି, ବ୍ୟବସାୟ କିମ୍ବା ଅନ୍ୟାନ୍ୟ କାମରେ ଅଧିକାଂଶ ସଦସ୍ୟ ବ୍ୟସ୍ତ ରହୁଥିବା ପରିବାରଗୁଡ଼ିକ ଘରୋଇ ସହାୟକଙ୍କ ଉପରେ ଅତ୍ୟନ୍ତ ନିର୍ଭରଶୀଳ। କିନ୍ତୁ ଏଭଳି ଅନେକ ପରିବାର ରହିଛନ୍ତି ଯେଉଁମାନେ ଘରୋଇ ସହାୟକ ଆବଶ୍ୟକ କରୁଥିଲେ ମଧ୍ୟ ଅଧିକ ମଜୁରୀ ଯୋଗୁ ସେମାନଙ୍କ ସେବା ପାଇପାରୁନାହାନ୍ତି। ସହରର ଘରୋଇ ସହାୟକ ଆବଶ୍ୟକତାକୁ ପୂରଣ କରିବା ପାଇଁ ଇଲାସବତୀ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ ସଂସ୍ଥା ଘଣ୍ଟା ପିଛା ଦରରେ ଘରୋଇ ସହାୟକ ଯୋଗାଇ ଦେବା ସେବା ଆରମ୍ଭ କରିଛି। ‘ହାୟର ଆନ୍ ଆୱାର’ ନାମକ ଏହି ସେବାରେ ଲୋକମାନେ ଘଣ୍ଟା ପିଛା ୧୬୨ ଟଙ୍କାରେ ଘରୋଇ ସହାୟକ ଓ ସହାୟିକା ପାଇପାରିବେ। ଅବଶ୍ୟ ଏହା ସହିତ ସ୍ବଳ୍ପ ପରିମାଣର ପରିବହନ ଖର୍ଚ ମଧ୍ୟ ଗଣିବାକୁ ପଡ଼ିବ। କଂପାନିର ତାଲିମପ୍ରାପ୍ତ ଘରୋଇ ସହାୟକମାନେ ଗାଡ଼ି ଓ ଘର ସଫା କରିବା, ଶିଶୁର ଯତ୍ନ ନେବା, ୱାସ୍‌ରୁମ୍‌ର ଡିପ୍ କ୍ଲିନ୍‌ କରିବା, ‌ରୋଷେଇ କାମରେ ସାହାଯ୍ୟ କରିବା ଏବଂ ପାର୍ଟି ଆୟୋଜନ ବେଳେ ସହାୟତା ପ୍ରଦାନ କରିବା ଭଳି ସେବା ଯୋଗାଇ ଦେବେ।