ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜିଲ୍ଲା କେନ୍ଦୁଝରରେ ପ୍ରସ୍ତାବିତ ପୋସ୍କୋ-ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପ ଲାଗି ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରାଯାଇଛି। ପାଟଣା ତହସିଲ ଅନ୍ତର୍ଗତ ଆଠଟି ଗାଁର ୨୪୬୬ ଏକର ଜମିକୁ ଏଥିପାଇଁ ଅଧିଗ୍ରହଣ କରାଯିବ। ସେଥିରୁ ୯୭୬ ଏକର ସରକାରୀ ଏବଂ ୧୪୯୦ ଏକ ହେଉଛି ଘରୋଇ ଜମି। ପ୍ରକଳ୍ପ ଲାଗି ୭୯୪ ଏକର ଜଙ୍ଗଲ ଜମି ମଧ୍ୟ ଅଧିଗ୍ରହଣ କରିବାକୁ ପଡ଼ିବ। ଆସନ୍ତା ଦୁଇ ମାସ ଭିତରେ ସରକାରୀ ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ କରିବାକୁ ସମୟ ସୀମା ଧାର୍ଯ୍ୟ କରାଯାଇଛି। ଏହା ସହିତ ଆସନ୍ତା ନଭେମ୍ବର ସୁଦ୍ଧା ଘରୋଇ ଜମି ଅଧିଗ୍ରହଣ କରିବାକୁ ସରକାର ବିଜ୍ଞପ୍ତି ଜାରି କରିବେ ବୋଲି ଏକ ଜାତୀୟ ଗଣମାଧ୍ୟମରେ ସମ୍ବାଦ ପ୍ରକାଶ ପାଇଛି। ଏକ ୫ ନିୟୁତ ଟନ୍ କ୍ଷମତା ବିଶି‌ଷ୍ଟ ଇସ୍ପାତ କାରଖାନା ସ୍ଥାପନ କରିବା ଲାଗି ପୋସ୍କୋ ଓ ଜେଏସ୍‌ଡବ୍ଲ୍ୟୁ ବୁଝାମଣାପତ୍ର ସ୍ବାକ୍ଷର କରିଛନ୍ତି। କିନ୍ତୁ ଦୁଇ ସଂସ୍ଥା ପ୍ରକଳ୍ପର ସ୍ଥାନ ଘୋଷଣା କରିନାହାନ୍ତି। 

Advertisment

୨୪୬୬ ଏକର ଜମି ଆବଶ୍ୟକ
୧୯୪୦ ଏକର ଘରୋଇ ଜମି

ଅବଶ୍ୟ ଓଡ଼ିଶା ସମ୍ଭାବ୍ୟ ସ୍ଥାନ ବୋଲି ଜଣାଇଛନ୍ତି। ଓଡ଼ିଶା ସରକାର ଦାବି କରୁଛନ୍ତି ଯେ ପୋସ୍କୋ-ଜେଏସ୍‌ଡବ୍ଲ୍ୟୁ କେନ୍ଦୁଝରରେ ସେହି କାରଖାନା ସ୍ଥାପନ କରିବେ। ଏହି ପ୍ରକଳ୍ପରେ କମ୍ପାନି ୪୦ ହଜାର କୋଟି ଟଙ୍କା ନିବେଶ କରିବାକୁ ଯୋଜନା ରଖିଛି। ଶିଳ୍ପସଂସ୍ଥାଗୁଡ଼ିକ ସାମ୍ନା କରୁଥିବା ସମସ୍ୟାଗୁଡ଼ିକର ସମାଧାନ କରିବା ଲାଗି ଗଠନ କରାଯାଇଥିବା ଟାସ୍କଫୋର୍ସର ଏକ ବୈଠକରେ ଏ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଯାହା ବି କିଛି ସମସ୍ୟା ରହିଛି ତାହାକୁ ବିଭିନ୍ନ ପକ୍ଷ ସମନ୍ବୟରେ ସମାଧାନ କରିବା ଉପରେ ଗୁରୁତ୍ବ ଦିଆଯାଇଥିଲା। ଜମି ଅଧିଗ୍ରହଣ ପୂର୍ବ କାର୍ଯ୍ୟକଳାପ ଆରମ୍ଭ କରିବା ଲାଗି ଜେଏସ୍‌ଡବ୍ଲ୍ୟୁ ପକ୍ଷରୁ ୧୧.୫ କୋଟି ଟଙ୍କା ଜମା କରାଯାଇଛି। ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଜଙ୍ଗଲ ମଞ୍ଜୁରି ଲାଗି ଆବେଦନ କରିବାକୁ ଲକ୍ଷ୍ୟ ରଖାଯାଇଛି। 

ଉଲ୍ଲେଖଯୋଗ୍ୟ, ଜଗତସିଂହପୁରରେ ୫୨ ହଜାର କୋଟି ଟଙ୍କା ନିବେଶରେ ୧୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଏକ ବିଶାଳ ଇସ୍ପାତ କାରଖାନା ସ୍ଥାପନ କରିବାକୁ ଦକ୍ଷିଣ କୋରିଆର ଇସ୍ପାତ କମ୍ପାନି ପୋସ୍କୋ ୨୦୦୫ରେ ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ସ୍ବାକ୍ଷର କରିଥିଲା। କିନ୍ତୁ ସ୍ଥାନୀୟ ଲୋକମାନଙ୍କ ପ୍ରବଳ ବିରୋଧ କାରଣରୁ ପ୍ରକଳ୍ପ ଲାଗି ଉଦ୍ଦିଷ୍ଟ ଜମି ଅଧିଗ୍ରହଣ ହୋଇପାରିନଥିଲା। ବହୁବର୍ଷ ଅପେକ୍ଷା କରିବା ପରେ ଶେଷରେ ଉକ୍ତ ପ୍ରକଳ୍ପରୁ ପୋସ୍କୋ ଓହରିଯାଇଥିଲା। ଏବେ ପୁଣି ଥରେ ଶିଳ୍ପପତି ସଜ୍ଜନ ଜିନ୍ଦଲଙ୍କ କମ୍ପାନି ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ର ହାତ ଧରି ଏହା ଓଡ଼ିଶାରେ ପ୍ରବେଶ କରିବାକୁ ଉଦ୍ୟମ କରୁଛି।