ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ମନୋରଞ୍ଜନଧର୍ମୀ ଟିଭି ଚ୍ୟାନେଲ୍ ଜି ଏଣ୍ଟରଟେନ୍ମେଣ୍ଟ୍ ଏଣ୍ଟରପ୍ରାଇଜେସ୍ର ଅଧ୍ୟକ୍ଷ ପଦରୁ ସୁଭାଷ ଚନ୍ଦ୍ରା ଇସ୍ତଫା ଦେଇଛନ୍ତି। ତେବେ ସେ କଂପାନିର ଅଣ-କାର୍ଯ୍ୟନିର୍ବାହୀ ନିର୍ଦେଶକ ଭାବେ କାର୍ଯ୍ୟ ଜାରି ରଖିବେ। କଂପାନିର ମାଲିକାନା ଅଂଶଧନରେ ପରିବର୍ତ୍ତନ ହେବା ପରେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ଲାଗି ସୁଭାଷ ଆଗ୍ରହ ପ୍ରକାଶ କରିଥିଲେ। କଂପାନିର ବୋର୍ଡ ତାଙ୍କ ଇସ୍ତଫାକୁ ମଞ୍ଜୁର କରିଛି। ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ନିୟମ ଅନୁସାରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଜି’ ବୋର୍ଡ ତରଫରୁ ଛଅ ଜଣ ସ୍ବାଧୀନ ନିର୍ଦେଶକଙ୍କୁ ନିଯୁକ୍ତି ଦିଆଯାଇଛି। ସୁଭାଷ ଚନ୍ଦ୍ରା ଓ ପୁନୀତ ଗୋଏଙ୍କା ଜି’ର ବୋର୍ଡରେ ଏସେଲ୍ ଗ୍ରୁପ୍ର ପ୍ରତିନିଧି ଭାବେ ରହିବେ। ସୁଭାଷଙ୍କ ପୁଅ ପୁନିତ ଏବେ କଂପାନିର ଏମ୍ଡି ଓ ସିଇଓ ଦାୟିତ୍ବ ନିର୍ବାହ କରୁଛନ୍ତି। ଋଣ ବୋଝକୁ ହାଲୁକା କରିବା ଲାଗି ସୁଭାଷ କିଛି ମାସ ହେଲାଣି ଅନେକ କଠିନ ପଦକ୍ଷେପ ଗ୍ରହଣ କରିଛନ୍ତି। କିଛି ଦିନ ତଳେ ଏହି କଂପାନିର ୧୧ ପ୍ରତିଶତ ଅଂଶଧନକୁ ସେ ୪୨୨୪ କୋଟି ଟଙ୍କାରେ ବିକ୍ରି କରି ନିଜ ମୁଣ୍ଡ ଉପରୁ ୪୦୦୦ କୋଟି ଟଙ୍କାର ଋଣ ବୋଝକୁ ହାଲୁକା କରିଥିଲେ। ଜି ଲିମିଟେଡ୍ର ୧୬.୫% ଅଂଶଧନ ବିକ୍ରି କରିବାକୁ ସେ ଯୋଜନା ପ୍ରସ୍ତୁତ କରୁଛନ୍ତି। ୧୯୯୨ରେ ସେ ଏହି କଂପାନିକୁ ସ୍ଥାପନ କରିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp