ନୂଆଦିଲ୍ଲୀ: ଭାରତରେ ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ଚାହିଦା ସାଂଘାତିକ ଭାବେ ହ୍ରାସ ପାଇଛି। କରୋନା ପାଇଁ ଏବେ ଲକ୍ଡାଉନ୍ ଚାଲିଥିବାରୁ ଦେଶରେ ଗାଡ଼ି ମୋଟର, କଳ କାରଖାନା ଆଦି ପ୍ରାୟତଃ ବନ୍ଦ ରହିଛି। ଫଳରେ ତୈଳ ଚାହିଦା ଚଳିତ ମାସର ପ୍ରଥମ ୨ ସପ୍ତାହରେ ୫୦ ପ୍ରତିଶତ ହ୍ରାସ ପାଇଛି। ଭାରତରେ ୩ ସରକାରୀ ତେଲ ବିକ୍ରେତା ଇଣ୍ଡିଆନ୍ ଅଏଲ୍, ହିନ୍ଦୁସ୍ତାନ ପେଟ୍ରୋଲିୟମ ଏବଂ ଭାରତ ପେଟ୍ରୋଲିୟମ ନିକଟରେ ପାଖାପାଖି ୯୦ ପ୍ରତିଶତ ପେଟ୍ରୋଲ ପମ୍ପ ରହିଛି। ତେବେ ଗତବର୍ଷ ଏପ୍ରିଲ ମାସର ପ୍ରଥମ ୧୫ ଦିନ ତୁଳନାରେ ଚଳିତବର୍ଷ ଏପ୍ରିଲର ପ୍ରଥମ ୧୫ ଦିନରେ ଡିଜେଲ ବିକ୍ରି ୬୧ ପ୍ରତିଶତ ହ୍ରାସ ପାଇଛି। ସେହିଭଳି ପେଟ୍ରୋଲ ବିକ୍ରି ୬୪ ପ୍ରତିଶତ ଏବଂ ବିମାନ ଇନ୍ଧନ ବିକ୍ରି ୯୪ ପ୍ରତିଶତ କମିଯାଇଛି ବୋଲି ଏକ ସୂତ୍ରରୁ ଜଣାଯାଇଛି।
ଭାରତର ମୋଟ ବିଶୋଧିତ ତେଲ ଚାହିଦା କହିଲେ, ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ସମେତ ବିଟୁମେନ୍ ଏବଂ ଏଲ୍ପିଜି ଆଦିକୁ ବୁଝାଇଥାଏ। କିନ୍ତୁ ସରକାର ଏବେ ଗରିବ ଲୋକଙ୍କୁ ମାଗଣା ଏଲ୍ପିଜି ଯୋଗାଇ ଦେଉଥିବାରୁ ଚଳିତମାସର ପ୍ରଥମାର୍ଦ୍ଧରେ ସରକାରୀ କମ୍ପାନି ଗୁଡ଼ିକ ଗତବର୍ଷ ତୁଳନାରେ ୨୧ ପ୍ରତିଶତ ଅଧିକ ଏଲ୍ପିଜି ଯୋଗାଇଛନ୍ତି। ଭାରତ ସରକାର କରୋନା ପାଇଁ ଲକ୍ଡାଉନ୍କୁ ଆସନ୍ତାମାସ ୩ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇଥିଲେ ମଧ୍ୟ କରୋନା ହଟସ୍ପଟ୍ ହୋଇ ନଥିବା ଅଞ୍ଚଳରେ ଗତ ୨୦ ତାରିଖରୁ କଳ କାରଖାନାର ଉତ୍ପାଦନ ଆରମ୍ଭ କରିବା ପାଇଁ କିଛିମାତ୍ରାରେ ଅନୁମତି ଦେଇଛନ୍ତି। ଅର୍ଥନୀତିରେ ସୁଧାର ଆଣିବା ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଅନ୍ତର୍ଜାତୀୟ ଏନର୍ଜି ଏଜେନ୍ସି (ଆଇଇଏ) ଏହାର ମାର୍ଚ୍ଚ ମାସର ଆକଳନରେ ଦର୍ଶାଇଥିଲା ଚଳିତବର୍ଷ ଭାରତରେ ତୈଳ ଚାହିଦା ୨.୪ ପ୍ରତିଶତ କମିବ। କିନ୍ତୁ ଏପ୍ରିଲରେ ଆକଳନରେ ଏହି ସଂସ୍ଥା କହିଛି ଚଳିତବର୍ଷ ଭାରତର ତୈଳ ଚାହିଦା ୫.୬ ପ୍ରତିଶତ ହ୍ରାସ ପାଇବ। ଭାରତର ପେଟ୍ରୋଲ ଚାହିଦା ୯ ପ୍ରତିଶତ, ଡିଜେଲ ୬.୧ ପ୍ରତିଶତ କମିବ ବୋଲି ଆଇଇଏ ଆକଳନ କରିଛି। ତୈଳ ଚାହିଦା ହ୍ରାସ ଯୋଗୁଁ କେତେକ ତୈଳ ବିଶୋଧନ କମ୍ପାନି ବିଶୋଧନ ଅଧାଅଧି କମାଇ ଦେଇଥିବାବେଳେ ବିଦେଶକୁ ଅଧିକ ତୈଳ ରପ୍ତାନି କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/crudr-oil-1.jpg)