ଭୁବନେଶ୍ବର: ରାଷ୍ଟ୍ରାୟତ୍ତ ବିଦ୍ୟୁତ ଉତ୍ପାଦନକାରୀ ଏନ୍ଟିପିସି ପକ୍ଷରୁ ସୁନ୍ଦରଗଡ଼ର ଦର୍ଲିପାଲି ପ୍ରକଳ୍ପର ପ୍ରଥମ ୮୦୦ ମେଗାୱାଟ୍ ୟୁନିଟ୍ରୁ ଖୁବ୍ଶୀଘ୍ର ଉତ୍ପାଦନ ଆରମ୍ଭ ହେବ। ଟର୍ବାଇନ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ବେଳେ ବଏଲର୍କୁ ମଧ୍ୟ ଷ୍ଟିମ୍ କରାଯାଉଛି। ଚଳିତ ବର୍ଷ ମାର୍ଚ ସୁଦ୍ଧା ସବୁ ବ୍ୟବସ୍ଥା ଏକ ସଙ୍ଗେ କାର୍ଯ୍ୟକ୍ଷମ କରାଯିବ ବୋଲି କଂପାନିର ଆଞ୍ଚଳିକ କାର୍ଯ୍ୟନିର୍ବାହୀ ନିର୍ଦେଶକ (ପୂର୍ବ-୨) ଏମ୍ ପି ସିହ୍ନା କହିଛନ୍ତି। ହୋଟେଲ୍ ହିନ୍ଦୁସ୍ତାନ ଇଣ୍ଟରନ୍ୟାସନାଲ୍ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ସେ କହିଲେ, ଦର୍ଲିପାଲି ପ୍ରକଳ୍ପରେ ୮୫୦୦ କୋଟି ଟଙ୍କା ବିନିଯୋଗ କରାଯାଇସାରିଲାଣି। ଏହି ପ୍ରକଳ୍ପରେ ମୋଟ ୧୨ ହଜାର କୋଟି ଟଙ୍କାର ନିବେଶ କରାଯିବ। ଡୁଲାଙ୍ଗ ଖଣିରୁ କୋଇଲା ଆଣି ଏହି କାରଖାନାରେ ବ୍ୟବହାର କରାଯିବ। ଯଦି ଅଧିକ କୋଇଲା ଆବଶ୍ୟକ ହେବ ତେବେ ଏମ୍ସିଏଲ୍ ତାହା ଯୋଗାଇଦେବ। ଏହି ପ୍ରକଳ୍ପରେ ବାର୍ଷିକ ୮ ନିୟୁତ ଟନ୍ କୋଇଲା ବ୍ୟବହାର ହେବ ବୋଲି ଆକଳନ କରାଯାଇଛି।
ଦର୍ଲିପାଲି ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କ ସହ ଏନ୍ଟିପିସି ପକ୍ଷରୁ ବିଦ୍ୟୁତ କିଣା ବୁଝାମଣା (ପିପିଏ) ସ୍ବାକ୍ଷର କରାଯାଇଛି। ପ୍ରକଳ୍ପର ଅଧା ବିଦ୍ୟୁତ ରାଜ୍ୟକୁ ମିଳିବ। ଶ୍ରୀ ସିହ୍ନା କହିଛନ୍ତି ଯେ, ବିକଳ୍ପ ଶକ୍ତି ଉପରେ କଂପାନି ଗୁରୁତ୍ବ ଦେଉଛି। ପାଞ୍ଚ ବର୍ଷ ଭିତରେ କଂପାନିର ୪୦% ବିଦ୍ୟୁତ ସୌର ପ୍ରକଳ୍ପରୁ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଅବସରରେ କଂପାନିର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଆଗକୁ ବଢ଼ୁନି ଗଜମରା ପ୍ରକଳ୍ପ
ଢେଙ୍କାନାଳର ଗଜମରା ଠାରେ ଏନ୍ଟିପିସି ପକ୍ଷରୁ ୧୪ ହଜାର କୋଟି ଟଙ୍କା ବିନିଯୋଗରେ ଯେଉଁ ପ୍ରକଳ୍ପ ସ୍ଥାପନ କରାଯିବାର ଥିଲା ତାହା ଆଗେଇ ପାରୁନି। ଏହି ୨୪୦୦ ମେଗାୱାଟ୍ର ପ୍ରକଳ୍ପ ପାଇଁ ଗତବର୍ଷ ଏନ୍ଟିପିସି ଓ ନାଲ୍କୋ ମଧ୍ୟରେ ବୁଝାମଣା ହୋଇଥିଲା। ଏହା ପରେ କିନ୍ତୁ କାମ ଆଗକୁ ବଢ଼ିପାରିନାହିଁ। ନାଲ୍କୋ କିନ୍ତୁ ଏପର୍ଯ୍ୟନ୍ତ ଏମ୍ଓୟୁ ରଦ୍ଦ କରିନାହିଁ ବୋଲି ଶ୍ରୀ ସହ୍ନା ସ୍ପଷ୍ଟ କରିଛନ୍ତି। ଗଜମରା ପ୍ରକଳ୍ପର ୮୦% ବିଦ୍ୟୁତକୁ ନାଲ୍କୋ କିଣିବାକୁ ପ୍ରସ୍ତାବ ଦେଇଥିଲା।
ଟାରିଫ୍କୁ ନେଇ କିଛି ଲୁଚାଇବାର ନାହିଁ: ସିହ୍ନା
ତାଳଚେର ଥର୍ମାଲ୍ ପାୱାର ଷ୍ଟେସନ୍ (ଟିଟିପିଏସ୍)ର ଟାରିଫ୍କୁ ନେଇ ରାଜ୍ୟ ସରକାର ଏବଂ ଏନ୍ଟିପିସି ଭିତରେ ସମ୍ପର୍କ ଭଲ ନାହିଁ। ଏହି ପ୍ରକଳ୍ପ ପାଇଁ ସବୁ ପ୍ରକାର ମଞ୍ଜୁରି ଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଉଚ୍ଚ ସ୍ତରୀୟ କମିଟି ପାଖରେ ପ୍ରକଳ୍ପଟି ଅଟକି ଯାଇଛି। ଏ ସମ୍ପର୍କରେ ଶ୍ରୀ ସିହ୍ନା କହିଛନ୍ତି ଯେ, ଟିଟିପିଏସ୍ ପ୍ରକଳ୍ପ ପାଇଁ ଫିଜିବିଲିଟି ରିପୋର୍ଟ ୨୦୧୦ରେ ପ୍ରସ୍ତୁତ କରାଯାଇଥିଲା। ସେତେବେଳେ ୟୁନିଟ୍ ପିଛା ଦର ୨ ଟଙ୍କା ୭୮ ପଇସା ଧାର୍ଯ୍ୟ କରାଯାଇଥିଲା। ଇତି ମଧ୍ୟରେ ବିଭିନ୍ନ କାରଣ ଯୋଗୁ ସେହି ଟାରିଫ୍ ପରିମାଣ ବଢ଼ିଯାଇଛି। ଏଥିରେ ଆମର କିଛି ଲୁଚାଇବାର ନାହିଁ ବୋଲି ସେ କହିଛନ୍ତି। ଟିଟିପିଏସ୍ରେ ୧୩୨୦ ମେଗାୱାଟ୍ର ପାୱାର ପ୍ଲାଣ୍ଟ୍ ସ୍ଥାପନ କରିବାକୁ ଏନ୍ଟିପିସି ଯୋଜନା ରହିଛି। ଏହି ପ୍ରକଳ୍ପର ୫୦% ବିଦ୍ୟୁତ ରାଜ୍ୟ ସରକାର କିଣିବେ ବୋଲି ୨୦୧୦ରେ ବୁଝାମଣା କରିଥିଲେ। ପ୍ରକଳ୍ପ ଠିକ୍ ସମୟରେ ଆରମ୍ଭ ହୋଇପାରିଲା ନାହିଁ। ଦର୍ଲିପାଲି ପ୍ରକଳ୍ପରୁ ରାଜ୍ୟକୁ ବିଦ୍ୟୁତ ମିଳିବାକୁ ଥିବା ବେଳେ ଓପିଜିସିର କାରଖାନାରୁ ୬୬୦ ମେଗାୱାଟ୍ ବିଦ୍ୟୁତ ମିଳିବ। ତେଣୁ ଟିଟିପିଏସ୍ରୁ ଅଧିକ ଦରରେ ବିଦ୍ୟୁତ କିଣିବାକୁ ରାଜ୍ୟ ସରକାର ଚାହୁଁନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/01/ph.jpg)