ଚନ୍ଦ୍ରଶେଖରପୁର: ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓଡ଼ିଶାରେ ଏକ ନ୍ୟାସନାଲ୍ ବ୍ୟାଙ୍କିଙ୍ଗ୍ ଗ୍ରୁପ୍ କାର୍ଯ୍ୟାଳୟ ଖୋଲିବାକୁ ଯୋଜନା ରଖିଛି। ଏଠାରେ ଆୟୋଜିତ ଏକ ଗ୍ରାହକ ସଂଯୋଗୀକରଣ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ବ୍ୟାଙ୍କର ଏମ୍ଡି ଓ ସିଇଓ ଅତନୁ କୁମାର ଦାସ ଆଜି ଏହି ସୂଚନା ଦେଇଛନ୍ତି। ଏହି କାର୍ଯ୍ୟାଳୟ ଦ୍ବାରା ପ୍ରଶାସନିକ ବ୍ୟବସ୍ଥାରେ ଉନ୍ନତି ହେବ ଏବଂ ଗ୍ରାହକଙ୍କ ସହ ସମ୍ପର୍କ ଆହୁରି ନିବିଡ଼ ହୋଇପାରିବ ବୋଲି ସେ କହିଛନ୍ତି। ବରିଷ୍ଠ ଅଧିକାରୀଙ୍କ ଦ୍ବାରା ପରିଚାଳିତ ହେବାକୁ ଥିବା ଏହି କାର୍ଯ୍ୟାଳୟଗୁଡ଼ିକ ଜରିଆରେ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା ସହଜ ଓ ତ୍ବରିତ ହୋଇପାରିବ ଯାହା ବ୍ୟାଙ୍କର ବ୍ୟବସାୟ ବୃଦ୍ଧିରେ ସହାୟକ ହେବ। ବ୍ୟାଙ୍କ ଅଫ୍ ଇଣ୍ଡିଆ ସାରା ଦେଶରେ ୧୨ଟି ନ୍ୟାସନାଲ୍ ବ୍ୟାଙ୍କିଙ୍ଗ୍ ଗ୍ରୁପ୍ କାର୍ଯ୍ୟାଳୟ ସ୍ଥାପନ କରିବାକୁ ଯୋଜନା ରଖିଛି।
ଆଜିର କାର୍ଯ୍ୟକ୍ରମରେ ବ୍ୟାଙ୍କର ଭୁବନେଶ୍ବର, କେନ୍ଦୁଝର, ସମ୍ବଲପୁର ଓ ବାରିପଦା ଜୋନ୍ର ଗ୍ରାହକମାନଙ୍କ ସମେତ ୨୦୦ ଗ୍ରାହକଙ୍କୁ ୩୫୦ କୋଟି ଟଙ୍କାର ଋଣ ମଞ୍ଜୁର ପତ୍ର ପ୍ରଦାନ କରାଯାଇଛି। ବ୍ୟାଙ୍କର ନ୍ୟାସନାଲ୍ ବ୍ୟାଙ୍କିଙ୍ଗ୍ ଗ୍ରୁପ୍ (ଇଷ୍ଟ୍) ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଏମ୍ଏସ୍ଏମ୍ଇ, କୃଷି, ରିଟେଲ୍, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା, ସ୍ୱୟଂ ସହାୟକ ଗୋଷ୍ଠୀ ଋଣ, ଷ୍ଟାଣ୍ଡ୍ଅପ୍ ଇଣ୍ଡିଆ ଓ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ଅଧୀନରେ ଋଣ ମଞ୍ଜୁର କରାଯାଇଛି।