ନୂଆଦିଲ୍ଲୀ: ଭାରତୀୟ ନାରୀର ପରିଚ୍ଛଦର କଥା ଉଠିଲେ ଆଖିରେ ନାଚି ଉଠେ ଶାଢ଼ିର ଚିତ୍ର । ଶାଢ଼ି ପିନ୍ଧୁଥିବା ନାରୀଟିଏ ଆଦୌ ବି ପୁରୁଣାକାଳିଆ ନୁହେଁ, ବରଂ ଆଧୁନିକା ଓ ସର୍ବଶ୍ରେଷ୍ଠ ସମ୍ମାନ ପାଇବାର ଅଧିକାରିଣୀ । ଭାରତୀୟ ଶାଢ଼ିକୁ ନୂଆପିଢ଼ି ମଧ୍ୟରେ ଲୋକପ୍ରିୟ କରିବାରେ ନିଜର ଯୋଗଦାନ ଦେଉଛନ୍ତି ଦୁଇଭଉଣୀ- ସୁଜାତା ଓ ତାନ୍ୟା । ଏବେ ଚର୍ଚ୍ଚାରେ ଦୁହିଁଙ୍କ ଦ୍ବାରା ପ୍ରତିଷ୍ଠିତ ଷ୍ଟାର୍ଟ ଅପ୍- ‘ସୂତା’ ।

Advertisment

ସୁଜାତା ଓ ତାନ୍ୟାଙ୍କ ବାପା ରେଳ ବିଭାଗରେ  କାମ କରୁଥିଲେ । ରେଲୱେରେ କାମ କରୁଥିବାରୁ ତାଙ୍କ ବାପାଙ୍କୁ ଅନେକ ଜାଗାକୁ ଯିବାକୁ ପଡ଼ୁଥିଲା ଫଳରେ ଦୁଇଭଉଣୀ ବି ବାପାଙ୍କ ସହ ମିଶି ବୁଲିବାର ସୁଯୋଗ ପାଇଥିଲେ। ଯେଉଁଠାରେ ଦୁହିଁଙ୍କୁ ଭିନ୍ନ ଭିନ୍ନ ସଂସ୍କୃତି, ଖାଇବା, ରହିବା ଏବଂ ଅନ୍ୟ ସାମ୍ପ୍ରଦାୟରେ ଖାପ ଖୁଆଇ ଚଳିବାକୁ ପଡ଼ୁଥିଲା । ସୁଜାତା ଓଡ଼ିଶାରେ ଥିବାବେଳେ ନିଜ ମା’ ପିନ୍ଧୁଥିବା ବିଭିନ୍ନ ପ୍ରକାରର ହସ୍ତତନ୍ତ ଶାଢ଼ିକୁ ଦେଖି ହିଁ ଶାଢ଼ି ସହିତ ସମ୍ପର୍କ ଗଢନ୍ତି । ଦୁଇଭଉଣୀ ପଢ଼ା ସାରିବା ପରେ ଭଲ ଚାକିରିରେ ଥିଲେ କିନ୍ତୁ ଦୁହେଁ ନିଜର ଷ୍ଟାର୍ଟଅପ୍ ଆରମ୍ଭ  କରିବାକୁ ଚାଁହୁଥିଲେ । ତାଙ୍କର ଭାରତୀୟ ଶାଢ଼ି ପ୍ରତି ଯେଉଁ ଭଲ ପାଇବା ଥିଲା ସେହିଥିରେ ହିଁ ଷ୍ଟାର୍ଟଅପ୍ କରିବାକୁ  ମନୋବଳ ଆସିଥିଲା । ପରେ ସେମାନେ ଭଲ ବୁଣାକାର ଓ ହସ୍ତଶିଳ୍ପୀଙ୍କୁ ଖୋଜିବା ଆରମ୍ଭ କରିଥିଲେ । ଏଥିସହିତ ପଶ୍ଚିମବଙ୍ଗରେ ଗାଁ ରୁ ଗାଁକୁ ବୁଲି ସାଧାଶାଢ଼ି  ତିଆରି କରିବାକୁ ବୁଣାକାରମାନଙ୍କୁ ପ୍ରବର୍ତ୍ତାଇବାକୁ ପଡୁଥିଲା । ଏବେ ସେମାନଙ୍କର ଦୁଇଟି କାରଖାନା ଅଛି, ଗୋଟିଏ ନଦିୟା ଜିଲ୍ଲାର ଶାନ୍ତିପୁରରେ ଅନ୍ୟଟି ଧନୀୟାଖଲିରେ ରହିଛି ।

ମାତ୍ର ୧,୨୫୦ ଟଙ୍କାରୁ ପ୍ରଥମେ ଦୁହେଁ ଶାଢ଼ି ବିକିବା ଆରମ୍ଭ କରିଥିଲେ । ପରେ ୩ ଲକ୍ଷ ଟଙ୍କା ନିବେଶ କରି ଷ୍ଟାର୍ଟଅପ୍ ‘ସୂତା’ ଲଞ୍ଚ କରିଥିଲେ । ଏହାପରେ ବିଭିନ୍ନ ପ୍ରଦର୍ଶନୀରେ ଭାଗ ନେଇଥିଲେ ଏବଂ ସୋସିଆଲ ମିଡିଆ ଜରିଆରେ ନିଜ କାମକୁ ଆଗକୁ ବଢ଼ାଇଥିଲେ । ୧ ଏପ୍ରିଲ ୨୦୧୬ରେ କର୍ପୋରେଟ କ୍ୟାରିୟରକୁ ପୂରାପୁରି  ଛାଡ଼ି ଷ୍ଟାର୍ଟଅପ୍ ‘ସୂତା’କୁ ଏକ ବଡ଼ ବ୍ରାଣ୍ଡରେ ପରିଣତ କରିବାକୁ ନିଷ୍ପତ୍ତି ନେଇଥିଲେ । କରୋନା ସମୟରେ ଅଧିକରୁ ଅଧିକ ବୁଣାକାର ଓ ହସ୍ତଶିଳ୍ପୀଙ୍କ ସହ ମିଶି କାମ କରିଥିଲେ । ସେହି ଛୋଟ ଉଦ୍ୟମ ଏବେ ସଫଳ ଷ୍ଟାର୍ଟଅପରେ ପରିଣତ ହୋଇଛି । 'ସୂତା'ରେ ଏବେ ପ୍ରାୟ ୧୫୦ କର୍ମଚାରୀ କାମ କରୁଛନ୍ତି । ସାରା ଦେଶରେ ଥିବା ୧୬ ହଜାର ବୁଣାକାର ଓ ଶିଳ୍ପୀଙ୍କ ଏକ ନେଟଓ୍ବର୍କ ଗଢିଛି ଏହି ଷ୍ଟାର୍ଟଅପ୍ । ଆଉ ବଜାରରେ ସୂତାର ବ୍ରାଣ୍ଡଭାଲ୍ୟୁ ୫୦ କୋଟି ଟଙ୍କାରେ ପହଞ୍ଚିଛି।