ଭୁବନେଶ୍ବର: ଦେଖୁଛ ବ୍ୟାସେ ! ତମରି ଆଗରେ କେମିତି ଜଳିଗଲା ଜଣେ ରେବତୀ । ସିଏ କଟକ ଜିଲ୍ଲାର ଅଖ୍ୟାତପଲ୍ଲୀ ପାଟପୁର ଗାଁର ଝୁଅ ନୁହେଁ ମ.. ତୁମରି ଜିଲ୍ଲାର, ତୁମରି ମାଟିର.. ତୁମେ ସିନା ଦେଢ ଶହ ବର୍ଷ ତଳେ ‘ରେବତୀ’କୁ ଜନ୍ମ ଦେଇ ତାକୁ ଶିକ୍ଷିତ କରିବାକୁ ତା କାନ୍ଧରେ ବହି ବସ୍ତାନୀ ଝୁଲାଇଥିଲ.. ରେବତୀକୁ ନାରୀ ଶିକ୍ଷାର ମଶାଲ କରିଥିଲ ହେଲେ ବ୍ୟାସେ ଜାଣିଛ.. ଆଜି ବି ଏ ଯୁଗର ରେବତୀମାନେ ସେମିତି ଦେଢ ଶହ ବର୍ଷ ପରେ ବି ପାଠ ଟିକେ ପଢିବାକୁ ସଂଘର୍ଷ କରୁଛନ୍ତି, କେତେ କଥା ଶୁଣୁଛନ୍ତି, ନିର୍ଯାତନାର ଶିକାର ହେଉଛନ୍ତି, ପାଠ ଟିକେ ପଢିବେ ବୋଲି ଏ ବ୍ୟବସ୍ଥା ସହ ଯୁଝି ହେଉଛନ୍ତି, ଯୌନ ରାକ୍ଷସଙ୍କ ଭୋକର ଶିକାର ହେଉଛନ୍ତି.. ହେଲେ ଯିଏ ପ୍ରତିବାଦ କରୁଛି ତାକୁ ଜଳିବାକୁ ପଡ଼ୁଛି, ଫ୍ୟାନରେ ଝୁଲିବାକୁ ପଡ଼ୁଛି..

Advertisment

ବ୍ୟାସେ ! ଗୋଟେ ସତ କହିବ.. ତମରି ନାଁରେ ନିର୍ମିତ ଏଡେ ବଡ କଲେଜ କ୍ୟାମ୍ପସରେ ଯେତେବେଳେ ଛାତ୍ରୀଟା ନ୍ୟାୟ ନପାଇ ପେଟ୍ରୋଲ ଢାଳି ଜଳିଗଲା ସେତେବେଳେ ତୁମେ କଣ କରୁଥିଲ ? ଏ ହୃଦୟ ବିଦାରକ ଦୃଶ୍ୟକୁ ତୁମେ କେମିତି ଦେଖିପାରିଲ ? ହଁ ଅବଶ୍ୟ ତୁମ ପ୍ରତି ମୂର୍ତ୍ତି ଘଟଣାସ୍ଥଳରୁ ଟିକେ ଦୂରରେ ଥିଲା ତଥାପି ତ ତମେ ସେହି କ୍ୟାମ୍ପସରେ ସ୍ଥାପିତ ହୋଇଛ ନା..

ଜାଣିଛ ବ୍ୟାସେ ! ଝିଅଟା କେତେ ସ୍ବପ୍ନ ନେଇ କଲେଜ ଆସିଥିଲା । ଜିଲ୍ଲାର ସବୁ ପିଲାଙ୍କ ସ୍ବପ୍ନ ଥାଏ ତମ କଲେଜରେ ପଢିବାକୁ । ଆଉ ଖୁବ ପଢି ନାଁ କମେଇବାକୁ.. ହେଲେ ସେ ଝିଅ କଣ ଜାଣିଥିଲା ସେ ପାଠ ପଢି ସାରି ନୁହେଁ ବରଂ ପାଠ ପଢିବା ପାଇଁ ତାକୁ ଜଳିବା ପରେ ତା ନାଁ ଚର୍ଚ୍ଚା ହେବ ବୋଲି.. ଏମ୍ସରେ ବିଚରା ଝିଅଟା ଜୀବନ-ମରଣ ସହ ଯୁଝି ହେଉଛି । ତା ବାପାମାଆଙ୍କ କାନ୍ଦ ଶୁଣିଛ କି ନାହିଁ ହେ ସେନାପତି । ତୁମେ ଶୁଣି ପାରିବନି ସେ ବାପାର କରୁଣ କାନ୍ଦ । ଛାତି ଫାଟିଯିବ । କେଉଁ ବାପା ଏ ଭଳି ଆଉ ନଶୁଣୁ ତା ଝିଅକୁ ନେଇ ଆତ୍ମାହୂତି ଘଟଣାର କଥା, ବ୍ୟଥା ଓ କାନ୍ଦଣା..

WhatsApp Image 2025-07-14 at 12.37.20

ଆଉ ଗୋଟେ କଥା ଦେଖିଛ ବ୍ୟାସେ ! ତୁମ ପାଟପୁର ରେବତୀ ବସ୍ତାନୀରେ ସିନା ସିଲଟ, ଖଡି, ଗୀତା ଭାଗବତ ଥିଲା ହେଲେ.. ଆଜିର ରେବତୀ, ଦେଢ଼ଶହ ବର୍ଷ ପରେ ତୁମରି ମାଟିରେ ଜଳିଥିବା ଆଉ ଜଣେ ରେବତୀ ବ୍ୟାଗରେ କଣ ଥିଲା ଜାଣ ? ଶୁଣିଲେ, କାନ ତାବଦା ହେଇଯିବ.. ତଥାପି ଶୁଣ.. ଆଜିର ରେବତୀ ବ୍ୟାଗରେ ପାଠ ପଢା ବହି ସହ ଥିଲା ପେଟ୍ରୋଲ । ପାଠ ପାଇଁ ଆଗ୍ରହ ଦେଖାଇ ତମ କଲେଜକୁ ଆସିଥିବା ସେ ଛାତ୍ରୀଟି ଯେତେବେଳେ ଯୌନ ପିପାସୁଙ୍କ ଆଖିର ଆକ୍ରମଣରେ ଝୁଣ୍ଟି ପଡିଲା, ଆଉ ନିଜକୁ ରକ୍ଷା କରିବାକୁ ପ୍ରତିବାଦ କଲା ସେତେବେଳେ ତାର ସ୍ବର ଚାପିବାକୁ ଉଦ୍ୟମ ହେଲା । ତୁମରି ମାଟିରେ ହିଁ ଜଣେ ରେବତୀକୁ ମାନସିକ ନିର୍ଯାତନା ଦେବାକୁ ଷଡଯନ୍ତ୍ର ଚାଲିଲା । ଆଉ ପୁଣି ଯେବେ ଏକ ରୁଦ୍ଧଦ୍ବାରରେ କବାଟ କିଳି ସୈତାନକୁ ସ୍ବଚ୍ଛତାର ସାର୍ଟିଫିକେଟ୍ ଦେବାକୁ ଯୋଜନା ଚାଲିଲା, ସୈତାନର ବିଜୟ ପାଇଁ ବିଗୁଲ ବଜାଗଲା ସେତେବେଳେ ଆଉ ନିଜକୁ ସମ୍ଭାଳି ପାରିଲାନି ସେ । ଝିଅଟିଏ କେତେ ବା ସହିବ, କାହାକୁ କାହାକୁ ନକହିଛି ସେ- ପ୍ରନ୍ସିପାଲଙ୍କ ଠାରୁ ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ ଠାରୁ ସାଂସଦ ଏବଂ ପୋଲିସ ପ୍ରଶାସନ.. ସବୁକୁ ଜଣାଇ, ସମସ୍ତଙ୍କ ପାଖକୁ ଯାଇ ଯେତେବେଳେ ସେ ଭାଙ୍ଗି ପଡିଛି, ଧାରଣାରେ ବସିବାକୁ ଯେତେବେଳେ ତାର ଆଉ ଜୁ ପାଇନି ସେତେବେଳେ ବହିଖାତା ସବୁ ବ୍ୟାଗରୁ ଦୂରକୁ ଫିଙ୍ଗି ଦେଇ ପେଟ୍ରୋଲ ବାହାର କରିଛି ଆଉ ନିଜକୁ ଜାଳିବାକୁ ଉଦ୍ୟମ କରିଛି.. ନା ଥିବ ବାଉଁଶ ନା ବାଜିବ ବଂଇଶୀ ନ୍ୟାୟରେ ନିଜକୁ ଜାଳିଛି । ହୁଏତ ସେ ଭାବିଥିବ ଭଲରେ ନୋହିଲା ନାହିଁ ଜଳିଗଲା ପରେ ହୁଏତ ସକ୍ରିୟ ହେବେ ସରକାର, ସତ କଣ ସାମ୍ନାକୁ ଆଣି ସୈତାନକୁ ଦଣ୍ଡ ଦେବ ପୋଲିସ.. ହେଲେ କଣ ହେବ ବିଚାରୀ ପୋଡିଗଲା ପରେ ଏବେ ପରିବାର କାନ୍ଦୁଛି । ତାଙ୍କୁ କିଏ କଣ ଆଉ ଗୋଟେ ଝିଅ ଆଣି ଦେବ କି.. ତୁମେ କୁହ ବ୍ୟାସେ..

ଏଠି ସମସ୍ତେ କୁମ୍ଭୀର କାନ୍ଦଣା କାନ୍ଦନ୍ତି, ମିଛି ମିଛିକା ନ୍ୟାୟ ଦାବି କରନ୍ତି- ପ୍ରକୃତ ଉଦ୍ଦେଶ୍ୟ ତ ସେମାନଙ୍କର ରାଜନୀତି ଥାଏ । ଆଜି ଯିଏ ବିରୋଧୀ କାଲି ସିଏ ସରକାରରେ ଥିଲେ- ତାଙ୍କ ବେଳେ କେତେକେତେ କାଣ୍ଡ ହେଇଛି ଆଉ ଆଜି ଯିଏ ସରକାରରେ ଗତକାଲି ସିଏ ବିରୋଧୀ ଥିଲେ- ତେଣୁ ସେମାନେ ସେମାନଙ୍କ ଅଭିନୟ ଜାରି ରଖିବେ.. କିନ୍ତୁ ସେ ଝିଅର ପରିବାର କଣ କରିବ..

ବ୍ୟାସେ ! ଦେଖୁଛ ତ, ତୁମରି ଆଗରେ ସେଦିନ ସେ ଝିଅ ଜଳିଲା, ତୁମ ମାଟି ଉପର ବାୟୁମଣ୍ଡଳରେ କୁଢ଼କୁଢ଼ ନିଆଁର ଝୁଲ ଉଡ଼ିଲା । ଆଉ ଝିଅର ଦେହ ପୋଡିଯିବା ପରେ ବି ଆଜି ତୁମରି ଆଗରେ, ଠିକ୍ ତୁମରି ପ୍ରତିମୂର୍ତ୍ତି ସାମ୍ନାରେ ପୁଣି ଜଳୁଛି ନିଆଁ- ଇଏ ରାଜନୀତିର ନିଆଁ, ରାସ୍ତାରେ କୁହୁଳୁଛି ଟାୟାର, ଶୁଭୁଝି କାହା ଇସ୍ତଫାର ନାରାବାଜି । ତୁମେ କୁହ ବ୍ୟାସେ – ଏସବୁ କଲେ କଣ ହେବ.. ଝିଅକୁ କଣ ନ୍ୟାୟ ମିଳିଯିବ ? ନା ପୋଡିଯାଇଥିବା ଦେହ ପୁଣି ପୂର୍ବ ଅବସ୍ଥାକୁ ଫେରିବ ? ନା ସେ ବାପା ତା ଗେହ୍ଲା ଝିଅର ମୁହଁ ସେମିତି ସେ ପୂର୍ବ ରୂପରେ ଦେଖି ପାରିବ.. ଓଃ ଭାରି କଷ୍ଟ ହେଉଛି ବ୍ୟାସେ.. ଲେଖିବା ବେଳେ ହାତ ଥରୁଛି, ତମେ ସିନା ରେବତୀର କାହାଣୀ ସହଜରେ ଲେଥିଦେଇଥିଲ.. କିନ୍ତୁ ଆଜିର ରେବତୀର କଷ୍ଟର କାହାଣୀ ଲେଖିବା ବେଳେ ମୋ ହାତ ଯାଉନି, କି ବୋର୍ଡରେ ଅକ୍ଷର ମୁଁ ଖୋଜି ପାଉନି ବ୍ୟାସେ..

ଇଏ ଖାଲି ଗୋଟିଏ ରେବତୀ ନୁହେଁ ବ୍ୟାସେ ! ଆଜି ବି ଅନେକ ରେବତୀ ପାଠ ପଢିବା ପାଇଁ ସଂଘର୍ଷ କରୁଛନ୍ତି । କିଏ ଗରିବି ପାଇଁ ତ କିଏ ବାହ୍ୟ ନିର୍ଯାତନା ପାଇଁ । କେଉଁଠି ରେବତୀଟିଏ ସ୍କୁଲରେ ଗର୍ଭବତୀ ହେଲାଣି ତ କେଉଁଠି ପୁଣି ଅବଧାନେଙ୍କ ପାଇଁ ବଦନାମ ହୋଇ ସେ ସ୍କୁଲରେ ଆତ୍ମହତ୍ୟା କଲାଣି.. ଆଉ ଦେଖି ହେଉନି ବ୍ୟାସେ- ତମେ ସିନା ଦେଢଶ ବର୍ଷ ତଳେ ଜଣେ ରେବତୀର କଥା ଲେଖିଥିଲ କିନ୍ତୁ ଆଜିର ରେବତୀଙ୍କ ସଂଖ୍ୟା ଅନେକ ବ୍ୟାସେ.. ଦେଢ଼ଶହ ନୁହଁ ଦେଢ଼ ହଜାର ବର୍ଷ ପରେ ବି ବଦଳିବନି ଏ ରେବତୀ ମାନଙ୍କ ଭାଗ୍ୟ । କେଉଁଠି ସେମାନେ କଲେଜ ସାମ୍ନାରେ ଜଳୁଥିବେ ତ କେଉଁଠି ନିଜ ଆତ୍ମସମ୍ମାନ ପାଇଁ ଆତ୍ମହତ୍ୟା କରୁଥିବେ ପୁଣି କେଉଁଠି ବେଳାଭୂମିରେ ବୁଲୁବୁଲୁ ଦୁଷ୍କର୍ମର ଶୀକାର ହେଉଥିବେ । ଏ ରେବତୀମାନେ ଏମିତି ଖବର ପାଲଟୁଥିବେ ବ୍ୟାସେ ଏମିତି ହେଡଲାଇନ ହେଉଥିବେ, ଏମିତି ସେମାନଙ୍କ ପାଇଁ ରାଜନୀତି ହେଉଥିବ, ରାସ୍ତାରେ ଏମିତି ନିଆଁ ଜଳୁଥିବ.. ଫକୀର ମୋହନଙ୍କ ପରେ କବି ଲେଖକ ମାନେ ‘ରେବତୀ’ଙ୍କୁ ନେଇ ‘ଆଜିର ରେବତୀ’ ‘ଏ ଯୁଗର ରେବତୀ’ ଶୀର୍ଷକରେ କାହାଣୀ, ସିନେମା ଲେଖୁଥିବେ.. କିନ୍ତୁ ରେବତୀମାନେ କେବେ ରାତିର ଅନ୍ଧାରରେ ବି ଏକା ଯାଉଥିବେ ? କେବେ ସେମାନେ ଶିକ୍ଷାନୁଷ୍ଠାନରେ ନିଜକୁ ସୁରକ୍ଷିତ ମଣୁଥିବେ ? ଏକଥା କେହି ବି କହି ପାରିବେନି..

ଏହା ହିଁ ଦୁର୍ଭାଗ୍ୟ ବ୍ୟାସେ !
ଏହା ହିଁ ଆମ ସମାଜ, ଏହା ହିଁ ଆମ ବ୍ୟାବସ୍ଥା..
ମହାପ୍ରଭୁଙ୍କ ପାଖରେ ଏତିକି ପ୍ରାର୍ଥନା ଝିଅଟି ଭଲ ହେଇଯାଉ, ସୁସ୍ଥ ହେଇଯାଉ..

ଜୟ ଜଗନ୍ନାଥ

କାର୍ଟୁନ- ଦେବାଶିଷ