ଭୁବନେଶ୍ବର: ଗତ କିଛି ଦିନ ହେବ ଓଡିଶାରେ କଣ ଚାଲିଛି, କଣ ଘଟୁଛି, କଣ ସବୁ ଲୋକଙ୍କ ସହ ବିତୁଛି କେହି କିଛି ବି ଜାଣି ହେଉନି । ଜୀବନ ଏଠି ଅନିଶ୍ଚିତ, ଇଜ୍ଜତ ବି ଏଠି ଅସୁରକ୍ଷିତ.. ଓଡିଶାର ଘଟଣାକୁ ନେଇ କେଇ ଧାଡି ବ୍ୟଙ୍ଗ.. ଦିହକୁ ନେବେନି, ଦିହକୁ ନେଲେ ହଜମ ହେବନି..

Advertisment

କି ପାଲା ଚାଲିଛି..?
------------------
ଏଠି କି ପାଲା ଚାଲିଛି..
ନାଇଁ ନାଇଁ ଏଠି କି ପାଲା ଚାଲିଛି..
ଆଇନର ଆଖି ଫୁଟି ତ ଯାଇଛି
ଯବକାଚ ଧରି ପୋଲିସ ଖୋଜୁଛି
ଧରିବା ଆଳରେ ପୋଲିସ ଧାଉଁଛି
ଧାଇଁ ଧାଇଁ ପୁଣି ହାଲିଆ ହେଉଛି..
ପୋଲିସ ଜାଲରେ ଦୋଷୀ ପଡୁନି
ପୀଡିତା ପରିବାରକୁ ନ୍ୟାୟ ମିଳୁନି
କମିବା ବଦଳେ ଅପରାଧ ଦେଖ
ହୁ ହୁ ହେଇ ବଢି ଚାଲିଛି..
ନାଇଁ ନାଇଁ ଏଠି କି ପାଲା ଚାଲିଛି..

କେଉଁଠି ନାରୀ ଜଳୁଛି ଦେଖ ହେ
ପୁଣି କିଏ ଦେଖ ଜାଳି ଦେଉଛି…
ନାରୀର ଜୀବନ ଏଠି ଅନିଶ୍ଚିତ
ଇଜ୍ଜତ ବି ଏଠି ଅସୁରକ୍ଷିତ
ନାରୀ ପାଇଁ ଯିଏ ଲଢୁଛି
ନାରୀ ପାଇଁ ଯିଏ କମ୍ପୁଛି
ନାରୀ ସହ ନାରେନାରେ ହେଇ ପୁଣି
ଜେଏଲକୁ ଭିଡ଼ା ହେଉଛି…
ନାଇଁ ନାଇଁ ଏଠି କି ପାଲା ଚାଲିଛି..

ନ୍ୟାୟ ମାଗି ମାଗି ଜଳିଗଲା ଜଣେ
ତଥାପି ବ୍ୟବସ୍ଥା ଶୋଇଛି
ଆଇନି ଶୃଙ୍ଖଳା ଚୁଲିକୁ ଗଲାଣି
ନିଇତି ଦୁଷ୍କର୍ମ ହେଉଛି..
ନିଆଁ କି ନାରୀର ଆଭୂଷଣ ଭାଇ
ସିଏ ନିଆଁରେ ଜଳିଣ ଯାଉଛି
କୁମ୍ଭକର୍ଣ୍ଣ ନିଦୁ ଉଠ ହେ ସର୍କାର
ଓଡିଶା- ୟୁପି, ବିହାର ଭଳିଆ ହେଉଛି
ସୁନାର ଓଡିଶା, ଶାନ୍ତିର ଓଡ଼ିଶା 
କହିବାକୁ ଲାଜ ଲାଗୁଛି..
ମୋ ଓଡିଶା ମାଆ କାନ୍ଦୁଛି
ତାରି ଛାତିରେ ତାରି ଝିଅଙ୍କୁ
ରାକ୍ଷସ ଝୁଣି ଖାଉଛି..
ନାଇଁ ନାଇଁ ଏଠି କି ପାଲା ଚାଲିଛି..

ଓଡିଶା ଆଖିରୁ ଲୁହ ନପୋଛିଲେ
ମୂଳ ପୋଛିଦେବେ ଜନତା
କାହାରି ଏଠି ରହିନାହିଁ ଭାଉ
ଭାଇ ଲୋକଙ୍କ ହାତରେ ହିଁ କ୍ଷମତା..

କାର୍ଟୁନ୍- ଦେବାଶିଷ