ଭୁବନେଶ୍ବର: ଓଃ ! ପାଗ ଖଣ୍ଡେ ଦେଇଛି ମ.. ବର୍ଷାକୁ ପୁଣି ଆଜି ଛୁଟିଦିନ । ଆମିଷ ଖାଇ ଖାଇ ଆଉ ଇଚ୍ଛା ନାହିଁ.. ଯାଉଛି ବଜାରକୁ କଣ ଟିକେ ପରିବା ନେଇ ଆସିବି, ସ୍ତ୍ରୀକୁ କହିବି ସଞ୍ଜ ବେଳିଆ ଟିକେ ଛଣାଛଣି କରିଦେବ.. ଆରାମରେ ଟିକେ ଟିଭିରେ ସୁନାବେଶ ଦେଖୁ ଦେଖୁ ଛଣାଛଣିର ମଜା ନେବି.. ଏଇ ତ ଜୀବନ ଦକ୍ଷିଣି ପବନ ଆଉ.. ଭାଇ ! ଜୀବନର କଣ ଅଛି କହିଲ, ଏଇ ଅଛି ଏଇ ନାହିଁ । ତେଣୁ ଯେତେଦିନ ବଞ୍ଚିଛ ଟିକେ ଖାଇ ପିଇ ଭଲରେ ରୁହ । ଡାକ୍ତରଙ୍କୁ ବରଂ ପୋଷିବାକୁ ପଡୁ କିନ୍ତୁ ଏ ଲୋଭକୁ ଆଉ ସମ୍ଭାଳି ହେଉନି.. ହେଇଟି ବ୍ୟାଗଟେ ଦେଲ, କଣ ଯୋଡେ କଞ୍ଚା ପରିବା ନେଇ ଆସେ, ଆଜି ଟିକେ ଛଣାଛଣି ମାଡ଼ ହେବ.. ସ୍ତ୍ରୀଙ୍କ ପାଖରୁ ପରିବା ବ୍ୟାଗ୍ ନେଇ ପରିବା ମାର୍କେଟ୍ ବାହାରିଗଲେ ସନାତନ ବାବୁ ଓରଫ ସନିଆ..
ସନିଆ- ଭାଇ ! ପୋଟଳ କେତେ ? ବାଇଗଣ କେମିତି କଣ ଅଛି ?
ଭାଇନା ଶୁଣୁନ, ଖାଲି ତ କନକନ ଆଉ.. ଏ ଭେଣ୍ଡି କେତେ ଅଛି ? ଫୁଲକୋବି ଗୁଡ଼ା ପଚିଗଲାଣି ନା କଣ ? ଏଁ.. ଏ ପଚା କୋବିଟା ଏତେ ଟଙ୍କା ?
ଦୋକାନୀ- ଭାଇ ନେଲେ ନିଅ ନନେଲେ ନାହିଁ.. ଜାଣି ପାରୁନ ବୋଧେ, ବର୍ଷା ପାଇଁ ଦର ଚଢା ଅଛି ବୋଲି । ହଇଓ ! କୁଆଡ଼ୁ ଆଇଚ..
ସନିଆ ଦୋକାନରେ ଥିବା ସବୁ ପରିବା ଧରୁଥାଏ, ପଚାରୁଥାଏ ଆଉ ଦର ଶୁଣି ଚମକି ପଡୁଥାଏ । ବାପରେ.. ମଣିଷ କଣ ଖାଇବ କହିଲ, ଯାହା ଧରିଲେ ୬୦ ଉପରେ । ମଣିଷ ପରିବା ଖାଇବ ନା ମଣିଷକୁ ପରିବା ଖାଇବ ମ.. ଦର ଶୁଣି ସନିଆ ଛାନିଆ ହେଇଗଲା ଆଉ ତା ପରିବା ପକୁଡି ଖାଇବାର ମନ ମରିଗଲା ଆଉ ସେ ମୁହଁ ଶୁଖେଇ ମାର୍କେଟରୁ ପଳେଇ ଆଇଲା ।
ଆଜ୍ଞା ! ଖାଲି ସନିଆ ନୁହେଁ ମ ଏବେ ପ୍ରାୟ ଲୋକ ପରିବା କିଣିବାକୁ ହନ୍ତସନ୍ତ ହେଉଛନ୍ତି । ଧନୀଙ୍କ କଥା ଛାଡ, ଗରିବ ଆଉ ମଧ୍ଯବିତ ପରିବା ଦେଖିଲେ ଡରୁଛନ୍ତି । କାରଣ ଯାହା ଛୁଇଁଲେ ତାର ଦର ଆକାଶଛୁଆଁ । ରୋଜଗାର କମ୍ କୁ ଦର ଅଧିକ । ଛୋଟ ପରିବାର ହେଲେ ଅଢେଇଶ ଅଧକିଲରେ ଚଳିଯିବ ହେଲେ ବଡ ପରିବାର କଣ କରିବ ? ପରିବା କିଣି କିଣି ପକେଟ୍ ଫାଙ୍କା ହେଇଯିବ । ବରଂ ଭଲ ହେବ ଆମିଷ କିଣି ଖାଇଦେବ..
ବଜାରରେ ଏବେ ବର୍ଷା ପାଇଁ ପରିବାର ଭାଉ ଭାରି । ଆକାଶରୁ ବର୍ଷା ଯେମିତି ପଡୁଛି, ପରିବାର ଦର ବି ସେମିତି ଆକାଶମୁହାଁ ହେଉଛି । ଦର ବୃଦ୍ଧି ପୂରା ଦରମରା କଲାଣି । ଲଗାଣ ବର୍ଷା ପାଇଁ ଆସୁନି ପରିବା । ପରିବା ଦୋକାନୀ ପରିବା କିଣିବାକୁ ଡରୁଛନ୍ତି ବିକିବେ କଣ ? ବର୍ଷା ପାଇଁ ପରିବା ଆସିବା ବନ୍ଦ ହୋଇଥିବା ଅଭିଯୋଗ ହେଉଥିବା ବେଳେ ବାଇଗଣ ୬୦ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି ।
ଏପଟେ ପରିବା ଦର ଆକାଶଛୁଆଁ
ସେପଟେ ଖାଉଟି ପକେଟରେ ଲାଗିଛି ନିଆଁ
ରୋଷେଇ ଘର ଖାଁ ଖାଁ
ପରିବା ଛୁଇଁଲେ ମାରୁଛି କରେଣ୍ଟ ବାହାରୁଛି ଧୂଆଁ
ଏଇ ସପ୍ତାହରେ ପରିବା ଦର
ଭଣ୍ଡା କିଲୋ- ୨୦, ଜହ୍ନି ୬୦, କଲରା ୫୦, କାକୁଡ଼ି ୫୦, ଭେଣ୍ଡି ୬୦, ପୋଟଳ ୬୦ରୁ ୮୦, କଖାରୁ କିଲୋ ୨୦, ବିନ୍ସ ୧୨୦, ଝୁଡଙ୍ଗ ୬୦, ଟମାଟୋ ୨୦ରୁ ୪୦ ଟଙ୍କା, ଗାଜର ୫୦, ଖମ୍ବଆଳୁ ୪୦ ଟଙ୍କାରେ ବିକ୍ରି କରୁଛନ୍ତି ଖୁଚୁରା ବ୍ୟବସାୟୀ
କାର୍ଟୁନ୍- ଦେବାଶିଷ
ଅଧିକ ପଢନ୍ତୁ-