ଭୁବନେଶ୍ବର: ଝିଅ ହେବା କଣ ପାପ ? ନା ଝିଅଟିଏ ହେଇ ପାଠ ପଢିବା ପାପ ? ନା ତାକୁ ଘର ଏରୁଣ୍ଡି ବନ୍ଧ ଡେଇଁ ଶିକ୍ଷିତ ହେବା ମନା ? ଯଦି ନା- ତେବେ କଣ ପାଇଁ ଅସୁରକ୍ଷିତ ଆଜିର ରେବତୀ…? କଣ ପାଇଁ ତାକୁ ନିଇତି ଝୁଣ୍ଟିବାକୁ ପଡୁଛି କାହାର କାମୁକ ଚାହାଣୀରେ ? କାହିଁକି ସେ ନିଇତି ଜଳୁଛି ନିର୍ଯାତନା ନିଆଁରେ ? କାହିଁକି ସେ ପାଉଛି ସବୁଠି ଯୌନ ଯାତନା ?
ସମାଜରେ ବଞ୍ଚିବାକୁ ହେଲେ ତାକୁ ଦେଖିଚାହିଁ ବଞ୍ଚିବାକୁ ପଡିବ… ରାସ୍ତାରେ ଚାଲିବାକୁ ହେଲେ ତାକୁ ଜଗିଛକି ଚାଲିବାକୁ ପଡିବ… ଗଳି କନ୍ଦିରେ ରାତିର ଅନ୍ଧାରରେ ଯିବା ବେଳେ ତାକୁ ସାବଧାନ ଓ ସତର୍କ ହେବାକୁ ପଡିବ … କାହିଁକି ? ଓଃ – ତାର ଏଇ ଗୋଟେ ଭୁଲ ସେ ନାରୀଟିଏ… ନାରୀ ମାନେ ତା ଉପରେ ସମସ୍ତଙ୍କ ନଜର ପଡିବ ନା କଣ ! ଏହା କଣ କେଉଁଠି ଲେଖା ହେଇଛି ?
ଝିଅଟିଏ- ସ୍କୁଲ ପଢ଼ିବା ବେଲେ ଜଗିଛକି ରହିବ, ଉଚ୍ଚଶିକ୍ଷା ପାଇଁ କଲେଜ, ୟୁନିଭର୍ସିଟି ଆସିଲେ ସେଠି ବି ନିଜକୁ ଯୌନ ରାକ୍ଷସଙ୍କ ଠାରୁ ବଞ୍ଚେଇ ରଖିବ । ନହେଲେ ସିଏ କାହାର ଶିକାର ହେଇଯିବ । ପାଠ ପଢି ବଢ ମଣିଷ ହେବାକୁ ସ୍ବପ୍ନ ନେଇ ସହର ଆସିଥିବ। ତା ଉପରେ ପାଠର ବୋଝ ଥିବ କିନ୍ତୁ ଏପଟେ ଯୌନ ନିର୍ଯାତନା, ଶାରୀରିକ ନିର୍ଯାତନା ଓ ମାନସିକ ନିର୍ଯାତନାର ଚାପ ବି ତା ପିଠିରେ ବେତାଳ ପରି ଝୁଲୁଥିବ। ଥରେ ଭାବିଲେ – ସେ ଝିଅଟି କେଉଁ ସ୍ଥିତିରେ ଥିବ ? ଦୟାକରି ନାରୀକୁ ପାଠ ପଢାଇବା ଆଳରେ, ସୁଯୋଗ ଦେବା ଆଳରେ ନିର୍ଯାତନା ଦେଉଥିବା ସୈତାନମାନେ ସୁଧୁରି ଯାଆନ୍ତୁ ଆଉ ନାରୀକୁ ତା ଭାଗର ସ୍ବାଧୀନତା, ତା ଭାଗର ଜୀବନ ବଞ୍ଚିବାକୁ ଦିଅନ୍ତୁ…