ଇଲୋ ମାଆଲୋ କେତେ ଯୋଜନା ଦେଖିବୁ ଦେଖ୍‌, କେତେ ଭାଷଣ ଶୁଣିବୁ ଶୁଣ। ଇଏ ପରା ରାଜଧାନୀ; ହେଲେ ଏଠି ଛକ ଛକରେ ଆଣ୍ଠୁଏ ପାଣି। ଆମ ସରକାର ଆଶା ଦଉଛନ୍ତି, କେତେ ବଡ଼ ବଡ଼ କଥା କହୁଛନ୍ତି। ହେଲେ ‌ଟୋପାଏ ବରଷା ହେ‌ଲେ ନୋକେ କିମିତି ହନ୍ତସନ୍ତ ହଉଛନ୍ତି ସେ କଥା କିଏ ଦେଖୁଛି ଲୋ ମାଆ।

Advertisment

ଖାଲି ସପନ ଦେଖିବା କଥା। ଆମ ରାଜଧାନୀରେ ବିଶ୍ବ ସ୍ତରୀୟ ଯୋଜନା ହବ। ଆମ ନୋକେ କୁଆଡ଼େ ଖୁବ୍ ସହଜରେ ବିମାନ ଯୋଗେ ବିଭିନ୍ନ ଦେଶକୁ ଯିବେ। ସବୁ ଠିକ୍‌‌ ଯେ, ହେଲେ ମୋତେ ଏଠୁ ଉଠାଅ। ତମ ବିକାଶକୁ ‌ମୋର ଦୂରୁ ଜୁହାର। ମୋତେ ଟିକେ ସାଧାରଣ ଲୋକଟିଏ ପରି ତ ବଞ୍ଚିବାକୁ ଦିଅ।

ହେଇ ଦେଖ ମୋ ଘରେ ପାଣି ପଶିଲାଣି। ଆସବାପତର ସବୁ ଗଲା ଲୋ ମାଆ। ଇଏ ବରଷା ଛାଡ଼ିଲେ ଘରଣୀ ତଡ଼ିବ ବଜାରକୁ। କହିବ ପୁଣି ସବୁ କିଣିକି ଆଣେ। ଯୋଉ ତ ଦରମା ମୋର, ସେଥିରେ ପୁଣି ଏ ବରଷା ଦାଉ ସାଧୁଛି। କିସ୍ତିିରେ ଗାଡ଼ିଟିଏ କିଣିଥିଲି। କିସ୍ତି ଟଙ୍କା ଏଯାଏ ସୁଝା ସରିନି। ହେଲେ ସେ ଗାଡ଼ି ବି ଗଲା। ହେଇ ତ ଭାସି ଭାସି ପଳଉଛି। ମୋରି ଆଖି ଆଗରେ ମୋର ସର୍ବନାସ ହେଉଛି। ହେ ପ୍ରଭୁ, ସ୍ମାର୍ଟସିଟିରେ ରହିବି ବୋଲି ଗାଁରୁ ସହରକୁ ଧାଇଁ ଆସିଥିଲି। ହେଲେ ମୋ ଗାଁରେ ଏମିତି ପାଣି ମୁଁ କେବେ ଦେଖିନି, ଯେତିକି ଏ କିଛି ବର୍ଷ ଭିତରେ ସ୍ମାର୍ଟସିଟିକୁ ଆସି ଦେଖିଲିଣି। 

0e07e198-d3d3-4f41-a795-c1b6136046ad

ସରକାର ଆମର ଯୋଜନା ପରେ ଯୋଜନା ଘୋଷଣା କରିବାରେ ଲାଗିଛନ୍ତି। ହେଲେ ସ୍ମାର୍ଟସିଟିର ନାଳନର୍ଦ୍ଦମା ଯେ ଲୋକଙ୍କୁ ଏମିତି ହସ୍ତସନ୍ତ କରୁଛି ତାହାକୁ ଦେଖିବାକୁ କାହା ପାଖରେ ବେଳ ନାହିଁ। ଆଜିର କାର୍ଟୁନ ଜରିଆରେ ଆମେ ତାହା ଦେଖାଇବକୁ ଚେଷ୍ଟା କରିଛୁ।

ଯେଉଁଟି ସାଧାରଣ ଲୋକଟିଏ ଜୀବନ ବିତାଇବା ପାଇଁ ମୌଳିକ ସୁବିଧା ନାହିଁ‌; ସେଠି ଯୋଜନା ଉପରେ ଯୋଜନା କରିବା ଖାଲି ଏକ ପ୍ରହସନ। ଆମ ରାଜଧାନୀ ଭୁବନେଶ୍ବରର ଏଭଳି ଅନେକ ଅଞ୍ଚଳ ଅଛି; ଯେଉଁଟି ଟୋପାଏ ପାଣି ପଡ଼ିଲେ ବନ୍ୟା ପରିସ୍ଥିତି ଉପୁଜୁଛି। ଆମେ କେବଳ ଏଠି ବାସ୍ତବ ଚିତ୍ର ଦେଖାଇଛୁ। ଦିହକୁ ନେବେନି

କାର୍ଟୁନ: ଦେବାଶିଷ