ଭୁବନେଶ୍ବର:
ରହିଯାଅ ହେ ପୁଲିସ୍ ବାବୁ ! ଆଉ ଦେଖାନା ଛଇ; ତମ ପରିକା କିଏ ସେ ହେବ, କହିବକି ଟିକେ ଭାଇ?
ଲୋକଙ୍କୁ ଦେଖେଇ ହଉଛ; ଜୀବନ ଆମର ଚାଲିଗଲା ପରେ ଇଆଡ଼େ ସିଆଡ଼େ ଧାଉଁଛ...!
ତମ ବରଦି ତଳେ ହୃଦୟ ନାହିଁ, ନାରୀ ଦୁଃଖ କାଇଁ ବୁଝିବ? ନିଜ ଖାତିର ବଢ଼େଇବାକୁ ମିଛଟାରେ ଯାହା କାନ୍ଦିବ।
ତମ କୁମ୍ଭୀର କାନ୍ଦଣା ଦେଖିକି; ମନ ମୋ କହୁଛି ମରତକୁ ଫେରି ଆସନ୍ତି ବହେ ଛେଚିକି।
ଶୋଉଛ ତ ଭଲ ବାଗରେ; ଝିଅଟିଏ ଜଳି ମରିଗଲା ପରେ ଧାଉଁଛ ସଭିଙ୍କ ଆଗରେ।
ଯିମିତି, ସବୁ ଦବ ଓଲଟେଇ ...! ତମ ରୋଗ ଆଉ ଅଛପା ଅଛି କି, ତମକୁ ବିଶ୍ବାସ ନାହିଁ।
ନାରୀଟିଏ ଯେବେ ନିସହାୟ ହୋଇ ତମ ଦୁଆରକୁ ଯାଉଛି, ତମେ ତଡ଼ିଦିଏ ଏମିତି ତାକୁ; ସତେକି ହଜାରେ ଖାଇଛି।
ହେଲେ ସେହି ନାରୀ ଯେବେ ଜଳଇ; କୁମ୍ଭୀର କାନ୍ଦଣା କାନ୍ଦିକି ତମେ ସମସ୍ତଙ୍କୁ ଦିଅ ଭେଳେଇ।
ହାତ ଯୋଡ଼ିଣ ନେହୁରା ହେଉ ବନ୍ଦ କର ତମ ନାଟକ; ନାରୀଟିଏ ପାଇଁ ଚବିଶି ପ୍ରହର ବନ୍ଦ ରହୁ ଥାନା ଫାଟକ ...!
ନମସ୍କାର, ନମସ୍କାର, ଏଇଠାରୁ କଲି ଜୁହାର; ପାଇବନି ଯଦି ଅସଲ ସତ, କିଣି ନବ ଟିକେ ଜହର।
ରାଜ୍ୟରେ ଜଣେ ପରେ ଜଣେ ମହିଳା ନ୍ୟାୟ ନପାଇ ଜୀବନ ଯୁଦ୍ଧରେ ହାରି ଯାଉଛନ୍ତି। କିଏ ଆତ୍ମହତ୍ୟା କରୁଛି ତ କାହାକୁ ହତ୍ୟା କରାଯାଉଛି। ହେଲେ ସବୁ କିଛି ସରିବା ପରେ ପୁଲିସ୍ ଖାଲି ତଦନ୍ତ କରୁଛି। ଯେଉଁ ତଦନ୍ତର କିଛି ବି ନିଷ୍କ୍ରିୟ ବାହାରି ପାରୁନି। ତାହାକୁ ନେଇ ଆମର ଆଜିର ଏ କାର୍ଟୁନ। ଦିହକୁ ନେବେନି।