ଭୁବନେଶ୍ବର: କ’ଣ ମଣି ! ପରୀକ୍ଷା ନାଁ ଶୁଣି ଡର ନାଗୁଛି? ନାଗିବ ତ ଆଉ..ଆରେ ବାବୁ ପାଠକୁ କାହାର ବା ଡର ନୁହଁ କହିଲ? ଯୋଉ ସାରେ ପିଲାଙ୍କୁ ପରୀକ୍ଷା କରେଇ କରେଇ ଡରଉଥିଲେ; ଆଜି ସେଇ ଡର ତାଙ୍କ ମନରେ ବସା ବାନ୍ଧିଛି। କ’ଣ ମ ମଣି ବୁଝିପାରୁନ? ଆମେ ବାବୁ ! ଏବେ ପରା ୫ ବର୍ଷରୁ ଅଧିକ ଚାକିରି ଥିବା ଶିକ୍ଷକମାନେ କ’ଣ ଗୋଟେ ପରୀକ୍ଷା ଦେବେ। ପାସ୍ କଲେ ଚାକିରିରେ ରହିଲେ, ଫେଲ୍ ହେଲେ ଚାକିରି ଗଲା ଲୋ ମାଆ। ଆହାଃ ! କି ନାଜ କଥାଗୁଡ଼ାକ। ଜୀବନଯାକ ନୋକଙ୍କ ଆଗରେ ମାଷ୍ଟରର ପରିଚୟ ନେଇ ବଞ୍ଚିଥିଲେ। ସେଇ ମାଷ୍ଟ୍ରେ ଯଦି ଫେଲ୍ ହୁଅନ୍ତି, କି ନାଜ ନାଗିବ କଇଲ? ଛି ଛି..ଏଗୁଡ଼ା କି କଥା।
ଛାତ୍ରଛାତ୍ରୀ ପରି ଏଣିକି ନାରଣ ମଷ୍ଟର ବି ଦେବେ ପରୀକ୍ଷା;
ପରୀକ୍ଷାରେ ଯଦି ଫେଲ୍ ହୁଅନ୍ତି କେହି ଦେବେ ନାହିଁ ସୁରକ୍ଷା।
ଚାକିରି ହରେଇ ବସିବେ;
ଯେଉଁ ପିଲାଙ୍କୁ ସେ ତାଗିଦି କରନ୍ତି
ସେଇପିଲା ସବୁ ହସିବେ।
ଶିକ୍ଷକମାନଙ୍କୁ ନେଇ ଏକ ବଡ଼ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ କହିଛନ୍ତି ଯେ ଯେଉଁ ଶିକ୍ଷକମାନଙ୍କର ୫ ବର୍ଷରୁ ଅଧିକ ସମୟ ଚାକିରି ଅଛି ସେମାନଙ୍କୁ ଟିଇଟି ବା ଶିକ୍ଷକ ଯୋଗ୍ୟତା ପରୀକ୍ଷାରେ ପାସ କରିବାକୁ ହେବ । ଓଡ଼ିଶା ଦୃଷ୍ଟିରେ ଦେଖିବାକୁ ହେଲେ ଶିକ୍ଷକମାନଙ୍କୁ ଓଟିଇଟି ପାସ କରିବାକୁ ପଡ଼ିବ। ଏପରି ନ ହେଲେ ଚାକିରି ହରାଇବାକୁ ପଡ଼ିପାରେ। ଏହାକୁ ନେଇ ଆମର ଆଜିର ଏ କାର୍ଟୁନ। ଦିହକୁ ନେବେନି।