ଭୁବନେଶ୍ବର: ସହରରେ ରହୁଥିବା ମାଉସୀ ପୁଅକୁ ଦିନେ କୋରାପୁଟରେ ରହୁଥିବା ଏକ ମଫସଲି ଗାଁର କୁନି ଭାଇଟେ ଫୋନ କରିଥିଲା । ବର୍ଷା ଦିନ, ରବିବାରିଆ ଦେଖି ଫୋନ୍ ଲଗେଇଛି ଗାଁର ଭାଇ, ଆଉ ସହରରେ ରହୁଥିବା ସମ ବୟସର ପିଲାଟି ଫୋନ ଉଠାଇ ଦୁଃଖ ସୁଖ ଦେଉଥାନ୍ତି.. ଦୁହିଁଙ୍କ ବୟସ ବେଶି ନୁହେଁ ମ, ଏଇ ୧୦ କି ୧୧..

Advertisment

496516026_3983952258509888_927189730888372228_n

ଗାଁ ଭାଇ (ଚଗଲା)- ଆଉ ବଗଲା କଣ କରୁଛୁ..
ସହର ଭାଇ (ବଗଲା)- ନାଇଁ ମ ଭାଇ ଏଇ ଟିକେ ବସି ହୋମ୍ ଓ୍ଵାର୍କ କରୁଛି, ବାହାରେ ତ ବର୍ଷା ହେଉଛି- ଖେଳ କୁଦ ନାହିଁ, ବସିକି ବାପାଙ୍କ ଲାପଟପରେ ପଢୁଥିଲି ଟିକେ
ଚଗଲା- ଆଉ ଏ ବର୍ଷାରେ ସ୍କୁଲ କେମିତି ଯାଉଛୁ..
ବଗଲା- ନାଇଁ ମ ଭାଇ, ସବୁଦିନ ତ ବସରେ ଯାଏ, ବର୍ଷା ହେଲେ ଅନଲାଇନ୍ କ୍ଲାସ ହୁଏ..
ଚଗଲା- ତୋର ବଢିଆ ନୁହେଁ, ଘରେ ବସି ପାଠ ପଢୁଛୁ ନୁହେଁ.. ଆମେ ତ ଗାଉଁଲୀ ଲୋକ, ପାହାଡି ଇଲାକାର ବାସିନ୍ଦା ଆମ ପାଇଁ କିଛି ସୁବିଧା ନାହିଁ.. ତୁ ସେଠି ବାପାଙ୍କ ଲାପଟପରେ ପଢୁଛୁ ମୁଁ ଏଠି ନାଳରେ ପାଣି ବଢିଛି ବୋଲି କାଲି ବାପା କାନ୍ଧରେ ବସି ସ୍କୁଲ ଯିବାକୁ ପଡୁଛି । ସବୁଦିନ ଆମେ ସେଇ ନାଳ ଦେଇ ସ୍କୁଲ ଯାଉ, ହେଲେ ହଠାତ୍ ପାଣି ବଢିଛି ବୋଲି ବାପାଙ୍କ କାନ୍ଧ ହିଁ ସାହାରାରେ ଭାଇ.. ଆମ ପାଇଁ କେହି ନାହିଁ, ନା ସରକାର ନା ପ୍ରଶାସନ.. ଏଠି ପୋଲ ନାହିଁ କି ରାସ୍ତା ବି ନାହିଁ..
ହଉ ଛାଡ୍ ତୁ ପଢ ମୁଁ ଯାଏଁ ଘରେ ପାଣି ପଶିଲାଣି- ବାହାର କରିବି..

ଏ ଦୁଃଖ, ଏ ଅଭିମାନ, ଏ ଅଭିଯୋଗ ହୁଏତ କାଳ୍ପନିକ ହୋଇପାରେ କିନ୍ତୁ ପାହାଡି ଇଲାକାରେ ରହୁଥିବା ଅନେକ ପିଲାଙ୍କ ପାଇଁ ଏହା ସତ । ସେଠି ଟିକେ ବର୍ଷା ହେଲେ ନଈର ପେଟ ଫୁଲିଯାଏ ଆଉ ସେଠାକାର ଲୋକଙ୍କ ପେଟ ଖାଲି ରୁହେ । ନା କେହି ଘରୁ ବାହାରି ପାରନ୍ତି ନା ପିଲାଏ ସ୍କୁଲ ଯାଇପାରନ୍ତି । ଅତି ଜରୁରୀ ଥିଲେ ବାପାମାନେ ନିଜ ପିଲାଙ୍କୁ ସେମାନଙ୍କ କାନ୍ଧରେ ବସି ବଢି ପାଣିରେ ପଶି ସ୍କୁଲ ନେଇ ଯାଆନ୍ତି । ଆଉ ଯଦି ନଦୀ ନାଳରେ ସୁଅ ପିଟୁଥିବ ତେବେ କଥା ସରିଲା ସ୍କୁଲ ଆଉ ପିଲାଙ୍କ ପାଠରେ ବି ବନ୍ୟାପାଣି ମାଡିଯିବ । 

କଟାକ୍ଷରେ ସ୍ଥାନିତ ଏ ଚିତ୍ରଟି କୋରାପୁଟ ଦଶମନ୍ତପୁର ବ୍ଲକ ଶଶିକୁଡି ଗାଁର । ଯେଉଁଠି ପିଲାଏ ଆଜି ବି ବନ୍ୟା ହେଲେ ବହିବସ୍ତାନିରେ ଡୋରି ବାନ୍ଧିବାକୁ ବାଧ୍ୟ ହେଉଛନ୍ତି ନହେଲେ ବାପାଙ୍କ କାନ୍ଧରେ ବସି ସ୍କୁଲ ଯାଉଛନ୍ତି ।

496514893_737394208832926_4879444673824919914_n

ଏ ଚିତ୍ର ଦେଖିବା ପରେ ମନରେ ପ୍ରଶ୍ନ ଆସୁଛି- ସ୍ବାଧୀନତାର ଆଉ କେତେ ବର୍ଷ ବିତିଲେ ଏମାନେ ନିଜକୁ ସ୍ବାଧୀନ ବୋଲି କହିବେ ? କେତେଟା ସରକାର ବଦଳିଲେ ଏମାନଙ୍କ ଭାଗ୍ୟ ବଦଳିବ ? ଏମିତିରେ ୨୪ ବର୍ଷ ଶାସନ କରି କ୍ଷମତା ହରାଇଥିବା ବିଜେଡି ଅମଳରେ ଏମାନଙ୍କ ଭାଗ୍ୟାକାଶରେ କୌଣସି ବିକାଶର ସୂର୍ଯ୍ୟୋଦୟ ହେଲାନି ଭାବିଥିଲେ ନୂଆ ସରକାର ଆସିଲେ ବୋଧେ କିଛି ବଦଳିବ । ହେଲେ କାଇଁ.. ସିଏ ଯାହା ଇଏ ବି ତାହା ! ବରଷେ ବିତିଗଲା, ନୂଆ ସରକାର ରାଜଧାନୀରେ ଧୂମଧାମରେ ବର୍ଷପୂର୍ତ୍ତି କଲେ, କି ଆଡମ୍ବର, କି ସାଜସଜ୍ଜା ଓଃ. ଆଖି ଠିକିରି ପଡୁଥିଲା- ହେଲେ ଏ ଦୃଶ୍ୟ ଦେଖିବି ମୋହନ ସରକାରଙ୍କ ଆଖି ବି ଠିକିରି ପଡିବା ଦରକାର.. କାରଣ ଖାଲି ବିକାଶର ଢୋଲ ପିଟିଲେ ହେବନି, ସତ କଣ ବି ଜାଣିବା ଦରକାର । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅତୀତରେ ଜଣେ ଗୁରୁଜୀ ଥିବାରୁ ହୁଏତ ସିଏ ଏ ଦୃଶ୍ୟକୁ ଦେଖି ବୁଝିବା ଦରକାର ଯେ, ପିଲାଟିଏ ପାଇଁ ପାଠର ଜରୁରୀ କେତେ ? ବିଦ୍ୟାଳୟ ଯିବାର ଆବଶ୍ୟକତା କେତେ ? ଗୁରୁଜୀ ଯଦି ଏ କଥା ବୁଝିବେନି ତାହାଲେ ଆଉ କିଏ ବୁଝିବ ?

ରହିଲି ଆଜ୍ଞା, ନମସ୍କାର
ଦିହକୁ ନେବେନି..

କାର୍ଟୁନ୍- ଦେବାଶିଷ