ଭୁବନେଶ୍ବର: କଟକ ଜିଲ୍ଲାର ପ୍ରତିଭାଶାଳୀ ଯୁବ ଚେସ୍ ଖେଳାଳି ହର୍ଷିତ ରଞ୍ଜନ ସାହୁ ସମ୍ପ୍ରତି ସ୍ପେନ୍‌ ଓ ସ୍ୱିଡେନ୍‌ରେ ଆୟୋଜିତ ଆନ୍ତର୍ଜାତୀୟ ଚେସ୍ ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଫିଡେ ମାଷ୍ଟର (ଏଫ୍‌ଏମ୍‌) ଉପାଧି ଅର୍ଜନ କରିଛନ୍ତି। ସ୍ୱିଡେନର ପ୍ରସିଦ୍ଧ ରିଲଟନ୍ କପ୍ ପ୍ରତିଯୋଗିତାରେ ଦୃଢ଼ ଓ ଆତ୍ମବିଶ୍ୱାସୀ ଖେଳ ଦେଖାଇ ୩୫ ରେଟିଂ ପଏଣ୍ଟ ହାସଲ କରି ନିଜର ମୋଟ ରେଟିଂକୁ ୨୩୦୨କୁ ବୃଦ୍ଧି କରିଛନ୍ତି।

Advertisment

ଫିଡେ ମାଷ୍ଟର୍‌ ମୁକୁଟ ଚେସ୍‌ ଖେଳରେ ପ୍ରାରମ୍ଭିକ ସଫଳତା ତଥା ଅଗ୍ରଗତିର ସ୍ବୀକୃତି ସ୍ବରୂପ ପ୍ରଦାନ କରାଯାଇଥାଏ। ଏହା ହର୍ଷିତଙ୍କ ଦୃଢ଼ ସଙ୍କଳ୍ପ ଓ ପ୍ରତିଭାର ପ୍ରମାଣ ବି ଦେଇଛି।ହର୍ଷିତ କଟକ ଜିଲ୍ଲା ଚାମ୍ପିଅନ୍‌ ଖେଳାଳି ଭାବେ ପରିଚିତ। ସେ ପୂର୍ବରୁ କନି‌ଷ୍ଠ ଓ ବରିଷ୍ଠ ବର୍ଗରେ ରାଜ୍ୟ ବିଜେତା ହେବା ସହ ଦୁଇ ଥର ଜାତୀୟ (୧୧ ଓ ୧୭ ବର୍ଷରୁ କମ୍‌) ଶୀର୍ଷ ୧୦ ଭିତରେ ରହିଥିଲେ। ତାଙ୍କ ପିତା ଡ଼ଃ ଅମରେଶ ସାହୁ ଏବିଆଇଟି ଇଞ୍ଜିନିୟରିଂ କଲେଜରେ ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି ଏବଂ ମାତା ସୁଚିସ୍ମିତା ପରିଡ଼ା ଏଡେଲୱାଇସ୍ ଟୋକିଓ ଲାଇଫ୍‌ରେ ପ୍ରବନ୍ଧକ ଭାବେ କାମ କରୁଛନ୍ତି।

ଆହୁରି ପଢ଼ନ୍ତୁ: EV Markets: ଇଭି ବଜାର: ଟିଭିଏସ୍‌, ବଜାଜ ଆଗରେ

ପରିବାରର ସମର୍ଥନ ଓ ନିରନ୍ତର ପ୍ରେରଣା ତାଙ୍କ ସଫଳତାର ମୂଳ ଶକ୍ତି ରୂପେ କାମ କରିଛି। ହର୍ଷିତଙ୍କ ଏହି ସଫଳତା ପଛରେ ପ୍ରଚେଷ୍ଟା, ଏଓସିଏ ଏବଂ ଏସ୍‌ଆର୍ ଚେସ୍ ସେଣ୍ଟରର ମହତ୍ତ୍ୱପୂର୍ଣ୍ଣ ଅବଦାନ ରହିଛି। ତାଙ୍କ ନିୟମିତ ପ୍ରଶିକ୍ଷଣ, ମାର୍ଗଦର୍ଶନ ଓ ସଂଗଠନର ସମର୍ଥନ ହର୍ଷିତଙ୍କୁ ଆନ୍ତର୍ଜାତୀୟ ମଞ୍ଚରେ ଦୃଢ଼ ପାଦ ରଖିବାକୁ ସହଯୋଗ କରିଛି।