ଲକ୍‌ଡାଉନ୍‌ରେ ଦାଦନ ଶ୍ରମିକଙ୍କ ସମସ୍ୟା ନେଇ ସରକାରଙ୍କର ମଣିଷପଣିଆ ନାହିଁ: ବିଜୟ

ଭୁବନେଶ୍ବର : ପ୍ରବାସୀ ଶ୍ରମିକମାନଙ୍କ ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଲକ୍‌ଡାଉନ୍‌ରେ ସେମାନଙ୍କ ସ୍ଥିତି ସାଂଘାତିକ ହେଲାଣି। ସରକାରଙ୍କ ବିଭିନ୍ନ ଘୋଷଣା ସେମାନଙ୍କ ଜୀବନକୁ ସ୍ବାଭାବିକ କରିପାରୁନି। ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ଯେଉଁମାନେ ପ୍ରବାସୀଙ୍କ ଶବ ଉପରେ ଏମିତି କରୁଛନ୍ତି, ସେମାନଙ୍କର ମଣିଷ ପଣିଆ ନାହିଁ ବୋଲି ସେ ଭର୍ତ୍ସନା କରିଛନ୍ତି।

ଶ୍ରୀ ମହାପାତ୍ର କହିଛନ୍ତି ଯେ କରୋନା ଠାରୁ ଦାଦନ ଶ୍ରମିକଙ୍କ ସମସ୍ୟା ଅଧିକ ହେଇଗଲାଣି। କରୋନା ପାଇଁ ସବୁ ପ୍ରସ୍ତୁତି ହୋଇଛି, କିନ୍ତୁ ଦାଦନଙ୍କ ପାଇଁ କିଛି ନାହିଁ । ସୁରଟ ଘଟଣାକୁ ନିନ୍ଦା କରିବାକୁ ଭାଷା ନାହିଁ । ପ୍ରବାସୀ ଓଡ଼ିଆଙ୍କ ପାଖରେ ଖାଇବାକୁ ନାହିଁ, ଟଙ୍କା ନାହିଁ, ଘରକୁ ଫେରିବା ବେଳେ ପୁଲିସ୍‌ ଠାରୁ ମାଡ଼ ଖାଇ ମରୁଛନ୍ତି। ନଚେତ ଘରକୁ ବାହୁଡ଼ିଲା ବେଳେ ରାସ୍ତାରେ ଚାଲି ଚାଲି ମରୁଛନ୍ତି । ବହୁ ଆଗରୁ କହିବା ସତ୍ତ୍ବେ ରାଜ୍ୟ ସରକାର ସମ୍ବେଦନଶୀଳ ହେଲେ ନାହିଁ । ନିଜେ ସବୁ ଜାଣିଛନ୍ତି ବୋଲି କହୁଥିବା କିଛି ଅଫିସରଙ୍କୁ ଦାୟିତ୍ବ ଦେବାରୁ ଏମିତି ପରିସ୍ଥିତି ଉପୁଜିଲା । ଦାଦନ ବର୍ତ୍ତମାନ ଦଲାଲଙ୍କ ଶୀକାର ହେଉଛନ୍ତି। ଉଭୟ ରାଜ୍ୟ ସରକାର ସବୁ ଜାଣୁଛନ୍ତି, କିନ୍ତୁ କିଛି କରୁ ନାହାନ୍ତି। ତେଣୁ ଏମିତି ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି। ଏବେ ମଧ୍ୟ ସମୟ ଅଛି ସରକାର ସେମାନଙ୍କ ଦୁଃଖ ବୁଝନ୍ତୁ ବୋଲି ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର