ରାଜଧାନୀରେ କରୋନା ସଂକ୍ରମଣ ସ୍ଥିତି ୫୦୦ରୁ ଖସିଲା, ୩୦୦ରେ ଲଟକିଛି

ଦିନକରେ ୩୦୫ ପଜିଟିଭ୍‌, ଆକ୍ରାନ୍ତଙ୍କ ସଂଖ୍ୟା ୧୮ହଜାର ଛୁଇଁବ

ଭୁବନେଶ୍ୱର : ଏକଦା ଦିନକରେ ୬ଶହ ଆକ୍ରାନ୍ତଙ୍କ ଆଡ଼କୁ ମୁହାଁଇଥିଲା ରାଜଧାନୀ। ଭୁବନେଶ୍ବରର ବସ୍ତିଠାରୁ ଆରମ୍ଭ କରି ଦାମୀ ଅଞ୍ଚଳ ପର୍ଯ୍ୟନ୍ତ ପୁଳାପୁଳା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏକପ୍ରକାର ଆତଙ୍କ ଖେଳି ଯାଇଥିଲା। ଏବେ କିନ୍ତୁ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେଧୀରେ ଖସିବାକୁ ଆରମ୍ଭ କରିଛି। ଏବେ ଦିନକୁ ୩ଶହ ରୋଗୀ ଚିହ୍ନଟ ହେଉଛନ୍ତି। ମାତ୍ର ଏହି ସଂଖ୍ୟା ମଧ୍ୟ କିଛି ଦିନ ଧରି ଲାଗି ରହିଲାଣି। ତଥାପି ରାଜଧାନୀରେ ସ୍ଥିତି ନିୟନ୍ତ୍ରଣକୁ ଆସିନାହିଁ। ଯଦି ଏହି ସମୟରେ ପରିସ୍ଥିତି ନିୟନ୍ତ୍ରଣକୁ ନ ଆସେ, ତାହାଲେ ଆଗକୁ ସ୍ଥିତି ବିଗିଡ଼ି ଯାଇପାରେ ବୋଲି ଆଶଙ୍କା ଦେଖା ଦେଲାଣି।

ଭୁବନେଶ୍ବରରୁ ଗତ ୬ଦିନ ଧରି ଭୁବନେଶ୍ବରେ ୩ଶହରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗତ ୨୪ ଘଣ୍ଟାରେ ରାଜଧାନୀରେ ୩୦୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ୨୧୫ ଲୋକାଲ କଣ୍ଟାକ୍ଟସ୍‌ ଥିବା ବେଳେ ୯୦ଜଣ ଅନ୍ୟ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ଲୋକାଲ କଣ୍ଟାକ୍ଟସ୍‌ରେ ଆଇଆରସି ଭିଲେଜରୁ ୯ଜଣ, ୟୁନିଟ-୯ ୪ଜଣ, ପାତ୍ରପଡ଼ା ଓ ପଟିଆରୁ ୫ ଲେଖାଏଁ, ଗଙ୍ଗନଗର, ଗଙ୍ଗୋତ୍ରୀନଗର, ଜୟଦେବ ବିହାରରୁ ୩ଜଣ ଲେଖାଏଁ, ଜାଗମରା, ଭିଏସ୍‌ଏସ୍‌ ନଗରରୁ ୪ଜଣ ଲେଖାଏଁ, ହଂସପାଳ ଓ ଚନ୍ଦକାରୁ ୫ଜଣ ଲେଖାଏଁ ଓ ଅନ୍ୟ ଅଞ୍ଚଳରୁ ବହୁ ସଂଖ୍ୟାରେ ରୋଗୀ ଚିହ୍ନଟ ହୋଇଛନ୍ତି। ସଙ୍ଗ‌ରୋଧରୁ ୟୁନିଟ-୬ରୁ ୬ଜଣ, ଚକେଇସିଆଣି, ୟୁନିଟ୍‌-୧, ୟୁନିଟ୍‌-୯ ଓ ଖାରବେଳନଗରରୁ ୩ଜଣ ଲେଖାଏଁ, ଆରବିଆଇ କଲୋନି, ସୌଭାଗ୍ୟନଗର, ରସୁଲଗଡ଼ ଚଣ୍ଡିମାତା କଲୋନି, ଡୁମୁଡୁମା, କଳିଙ୍ଗନଗର, ଜଗନ୍ନାଥ ନଗର, ଗୌରୀ ନଗର, ଭରତପୁର, ଲକ୍ଷ୍ମୀସାଗର ଓ ଅନ୍ୟ ଅଞ୍ଚଳରୁ ରୋଗୀ ବାହାରିଛନ୍ତି। ରାଜଧାନୀରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୭,୯୨୫ରେ ପହଞ୍ଚିଛି। ତହିଁରୁ ୧୩,୬୩୧ ରୋଗୀ ସୁସ୍ଥ ହୋଇ ସାରିଛନ୍ତି। ରାଜଧାନୀରେ କରୋନା ରୋଗୀଙ୍କ ସୁସ୍ଥ ହାର ୭୬ ପ୍ରତିଶତକୁ ବୃଦ୍ଧି ପାଇଛି। ଏବେ ୪୨୧୨ ରୋଗୀଙ୍କ ଚିକିତ୍ସା ଚାଲିଛି। ରାଜଧାନୀରେ ଆଜି ଜଣେ କରୋନା ରୋଗୀଙ୍କ ମୃତ୍ୟୁ ନେଇ ସରକାରୀ ଭା‌ବେ ଘୋଷଣା ହେବା ପରେ ସମୁଦାୟ ମୃତ୍ୟୁ ସଂଖ୍ୟା ୬୮ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର