୩ରୁ୫ ପ୍ରତିଶତଙ୍କ ଛାନିଆ ହୋଇ ଯାଉଛି ଜୀବନ
କୋଭିଡ୍ ଆକ୍ରାନ୍ତ ହୃଦ୍ରୋଗୀ ପୁରୁଣା ଔଷଧ ଖାଇବା ବନ୍ଦ ନକରିବାକୁ ପରାମର୍ଶ
ଭୁବନେଶ୍ବର : ହୃଦ୍ଘାତରେ ମରୁଛନ୍ତି ଅନେକ କୋଭିଡ୍ ଆକ୍ରାନ୍ତ। ଏଥିମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ଗୁରୁତର ହୋଇ ହୃତପିଣ୍ଡରେ ରକ୍ତ ଜମାଟ ବାନ୍ଧିବା ଯୋଗୁଁ ମୃତ୍ୟୁ ହେଉଛି। ଅନ୍ୟଦିଗରେ ୩ରୁ୫ ପ୍ରତିଶତ ଏଭଳି ରୋଗୀ ଅଛନ୍ତି ଯେଉଁମାନଙ୍କ ବୟସ କମ ଏବଂ କୌଣସି ପ୍ରକାର ଲକ୍ଷଣ ନଥାଇବି ଅଚାନକ ହୃଦ୍ଘାତର ଶିକାର ହେଉଥିବା କହିଛନ୍ତି ହୃଦରୋଗ ବିଶେଷଜ୍ଞ ଡାକ୍ତର ଦିବ୍ୟରଞ୍ଜନ ବେହେରା। ଏଥିପ୍ରତି ବିଶେଷ ଦୃଷ୍ଟି ଦେବା ଆବଶ୍ୟକ। କୌଣସି ପରିସ୍ଥିତିରେ ମଧ୍ୟ କୋଭିଡ୍କୁ ନେଇ ଛାନିଆ ନହେବାକୁ ସେ ପରାମର୍ଶ ଦେଇଛନ୍ତି।
କୋଭିଡ୍ ମୃତକଙ୍କ ଆଜି ପର୍ଯ୍ୟନ୍ତ ଶବ ବ୍ୟବଚ୍ଛେଦ ହୋଇ ନାହିଁ। ଏଥିଯୋଗୁଁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ହୃଦ୍ଘାତ, କୋଭିଡ୍ ମୃତ୍ୟୁ ମଧ୍ୟରେ ସମ୍ପର୍କ ଥିବା ବିଭିନ୍ନ ସମୟରେ ଦେଖାଯାଏ। ବିଶେଷଜ୍ଞଙ୍କ ଅନୁସାରେ, କୋଭିଡ୍ ହେଲେ ରକ୍ତ ପ୍ରବାହ ହୋଇ ପାରେ ନାହିଁ। ଫୁସଫୁସ୍, ହୃତପିଣ୍ଡ କିମ୍ବା ମସ୍ତିଷ୍କରେ ରକ୍ତ ଜମାଟ ହୋଇଯାଏ। ଫୁସଫୁସ୍ରେ ରକ୍ତଜମାଟ ବାନ୍ଧିଲେ, ଏହାର ପ୍ରଭାବ ହୃତପିଣ୍ଡରେ ପଡ଼ିଥାଏ। ଶେଷରେ ହୃଦ୍ଘାତରେ ମୃତ୍ୟୁ ହୁଏ। ଅନେକ ସମୟରେ କାରଣ ଗୋଟିଏ ଜଣାପଡ଼ୁଥିଲେ ମଧ୍ୟ ଅନେକ ଜଟିଳତା ଥାଏ। ଅନ୍ୟ ଦିଗରେ କୌଣସି ଗୁରୁତର ସ୍ଥିତିନଥାଇ କୋଭିଡ୍ ଆକ୍ରାନ୍ତଙ୍କ ଇସିଜି ପରେ ହାର୍ଟ ସମସ୍ୟା ଦେଖାଯାଉଛି। ଏଥିମଧ୍ୟରୁ କିଛି ବ୍ୟକ୍ତିଙ୍କ ଛାନିଆ ହୋଇ ହୃଦ୍ଘାତ ଦେଖାଯାଏ ତ ଆହୁରି ଅନେକଙ୍କ ଭିନ୍ନ କିଛି ସମସ୍ୟା ଥିବାର ସନ୍ଦେହ ରହୁଛି।
ସେହିଭଳି ରୋଗୀଙ୍କ ପାଇଁ ଡାକ୍ତର ଦିବ୍ୟରଞ୍ଜନ କହିଛନ୍ତି, ଜ୍ବର ଛାଡ଼ିବାର ୭ରୁ୮ ଦିନ ପରେ ରକ୍ତ ପରୀକ୍ଷା କରନ୍ତୁ। ରକ୍ତ ଜମାଟ ବାନ୍ଧୁଛି କି ବାନ୍ଧିବାର ଆଶଙ୍କା ରହିଛି କି ନାହିଁ ତାହା ଦେଖନ୍ତୁ। ଡାକ୍ତରଙ୍କୁ ଦେଖାଇ ରକ୍ତକୁ ପତଳା କରିବା ଔଷଧ ଖାଇବା ଉଚିତ। ମଧୁମେହ, ରକ୍ତଚାପ, ସିଗାରେଟ, ବିଡି ପିଉଥିବା ବ୍ୟକ୍ତି, ମେଦବହୁଳତା, ଘରେ ହାର୍ଟ ସମସ୍ୟା ଥିବା କୋଭିଡ୍ ରୋଗୀଙ୍କ ଠାରେ ହୃଦ୍ଘାତ ସମସ୍ୟା ସମ୍ମୁଖୀନ ହେବାର ଆଶଙ୍କା ରହିଛି। ଯେଉଁମାନେ ଡାକ୍ତରଖାନାରେ ଅଛନ୍ତି, ରକ୍ତଜମାଟ ବାନ୍ଧିଲେ ଚିକିତ୍ସା ପାଇଯାଆନ୍ତି। କିନ୍ତୁ ସଙ୍ଗରୋଧରେ ଥିବା ବ୍ୟକ୍ତିଙ୍କ ଠାରେ ରକ୍ତଜମାଟ ବାନ୍ଧିବା ସମସ୍ୟା ଜଣାପଡ଼େ ନାହିଁ। ସେମାନେ ଏହି ଦିଗ ପ୍ରତି ଦୃଷ୍ଟି ଦେବା ଉଚିତ। ଏଥିସହିତ ଅଧିକାଂଶ ହୃଦ୍ରୋଗ ଥିବା ବ୍ୟକ୍ତିଙ୍କ ଠାରେ କୋଭିଡ୍ ହେଲେ ହୃଦ୍ରୋଗ ଔଷଧ ଖାଉ ନାହାନ୍ତି। କିମ୍ବା ଅନେକ ଔଷଧ ପାଉ ନାହାନ୍ତି ବା ଭୁଲ ପରାମର୍ଶର ଶିକାର ହେଉଛନ୍ତି। ଏଥିଯୋଗୁଁ ହୃଦ୍ଘାତରେ ତାଙ୍କର ମୃତ୍ୟୁ ହେଉଥିବା ଦେଖାଯାଉଛି। ଏଥିପ୍ରତି ମଧ୍ୟ ଯତ୍ନଶୀଳ ହେବାକୁ ପରାମର୍ଶ ଦିଆଯାଉଛି।
ବନ୍ଦ ପଡ଼ିଛି ଏମ୍ସ ହୃଦ୍ରୋଗ ଚିକିତ୍ସା
ଏମ୍ସରେ ପ୍ରତିଦିନ ଓପିଡିକୁ ପ୍ରାୟ ୧୦୦ରୁ ୧୫୦ ହୃଦ୍ରୋଗୀ ଆସିଥାଆନ୍ତି। ଯାହାକି ଅନ୍ୟ ଯେକୌଣସି ଡାକ୍ତରଖାନାର ହୃଦ୍ରୋଗ ବିଭାଗକୁ ଆସୁଥିବା ରୋଗୀଠାରୁ ଅନେକ ଅଧିକ। ଏଠାରେ ମାତ୍ର ୧୫ଟି ଶଯ୍ୟା ଥିବାରୁ ସେହି ଅନୁଯାୟୀ ଭର୍ତ୍ତି କରାଯାଉଥିଲା। ବର୍ତ୍ତମାନ ଓପିଡି ସହିତ ହୃଦ୍ରୋଗ ବିଭାଗ ବନ୍ଦ ଥିବାରୁ ଏହି ଚିକିତ୍ସା ବନ୍ଦ ରହିଛି। ଏମ୍ସ ପକ୍ଷରୁ ଟେଲିମେଡିସିନ ସେବା ଆରମ୍ଭ ହୋଇଛି। ମାତ୍ର ଗ୍ରାମାଞ୍ଚଳ, ରାଜ୍ୟ ବାହାରୁ ଆସୁଥିବା ରୋଗୀଙ୍କ ପାଇଁ ଫଳପ୍ରଦ ହେଉନଥିବା ଅଭିଯୋଗ ହେଉଛି।