କରୋନା କଟକଣା: ବିବାହ ପଞ୍ଜିକରଣ ବନ୍ଦ, ଗଡୁଛି ହଜାର ହଜାର ଆବେଦନ ଫାଇଲ

ରାଉରକେଲା : କରୋନା କଟକଣାର ବାଧକ ସାଜିଛି ବିବାହ ପଞ୍ଜିକରଣ। ମାର୍ଚ୍ଚ ୨୨ ଲକ୍‌ଡାଉନ୍‌ ପରଠାରୁ ବିବାହ ପଞ୍ଜିକରଣ କାର୍ଯ୍ୟାଳୟରେ ତାଲା ଝୁଲୁଛି। ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ଯୋଗୁଁ ବିବାହ ପଞ୍ଜିକରଣ ପାଇଁ ଆବେଦନକାରୀ ବି ଆସି ପାରୁ ନାର୍ହି। ଫଳସ୍ବରୂପ କାର୍ଯ୍ୟାଳୟରେ ଆବେଦନ ପାଇଁ ପଡିଥିବା ଶହ ଶହ ବିବାହ ପଞ୍ଜିକରଣ ଫାଇଲ୍‌ ପଡିଛି। ଅନେକଙ୍କ ସମୟସୀମା ଅତିକ୍ରାନ୍ତ ହୋଇଯାଇଥିବାରୁ ସେଗୁଡ଼ିକ ବୈଧଯୋଗ୍ୟ ହେବ ନାହିଁ। ସେମାନଙ୍କୁ ପୁନଃ ଆବେଦନ କରିବାକୁ ପଡିବ।

କରୋନା ମହାମାରୀ ସମୟରେ ନିୟମ ଅନୁଯାୟୀ ରହିଥିବା ସମୟସୀମାକୁ ଛାଡ କରିବାକୁ ରାଉରକେଲା ଓକିଲ ସଂଘ ପକ୍ଷରୁ ଦାବି କରାଯାଇଛି। ସଂଘର ସଭାପତି ରମେଶ ବଳ, ସାଧାରଣ ସମ୍ପାଦକ ଅକ୍ଷ୍ୟ ସାହୁ ଓଡ଼ିଶା ପଞ୍ଜିକରଣ ମୁଖ୍ୟଙ୍କୁ ପତ୍ର ଲେଖି ଆବେଦନର ରହିଥିବା ସମୟ ସୀମାକୁ ବର୍ତ୍ତମାନ ପରିସ୍ଥିତିରେ ଛାଡ କରିବାକୁ ଦାବି କରିଛନ୍ତି। ଏହା ଦ୍ବାରା କେବଳ ରାଉରକେଲା, ସୁନ୍ଦରଗଡ ଜିଲ୍ଲା ନୁହେଁ ରାଜ୍ୟର ହଜାର ହଜାର ଆବେଦନକାରୀ ଉପକୃତ ହୋଇ ପାରିବେ।

ସୁନ୍ଦରଗଡ ଜିଲ୍ଲାର ରାଉରକେଲା, ବୀରମିତ୍ରପୁର, ରାଜଗାଙ୍ଗପୁର, ବଣାଇ, ସୁନ୍ଦରଗଡ, ଲେଫ୍ରିପଡା, ହେମଗିରିରେ ୭ଟି ବିବାହ ପଞ୍ଜିକରଣ କାର୍ଯ୍ୟାଳୟ ରହିଛି। ରାଉରକେଲାର ମାସକୁ ଶହେରୁ ଅଧିକ ବିବାହ ପଞ୍ଜିକରଣ ହୋଇଥାଏ। ଏପରି ଭାବେ ସୁନ୍ଦରଗଡ ଜିଲ୍ଲାର ମାସକୁ ପାଖାପାଖି ୩ଶହରୁ ଅଧିକ ପଞ୍ଜିକରଣ ହୋଇଥାଏ। ନିଜ ବିବାହକୁ ପଞ୍ଜିକରଣ ପାଇଁ ସ୍ପେସିଆଲ ମେରେଜ ଆକ୍ଟ ୧୯୫୪ର ଧାରା ୫ ଅନୁଯାୟୀ ଅବିବାହିତ ଆବେଦନକାରୀ ଓ ଧାରା ୧୫ରେ ବିବାହିତ ମାନେ ଆବେଦନ କରିଥାନ୍ତି।

ଦାଖଲର ୩୦ ଦିନ ପରେ ଓ ୯୦ ଦିନ ମଧ୍ୟରେ ମେରେଜ୍‌ ଅଫିସର ନିଜର ତିନିଜଣ ସାକ୍ଷୀଙ୍କ ସହ ଶପଥପାଠ କରିବା ପରେ ପଞ୍ଜିକରଣ କରିବାର ନିୟମ ରହିଛି। ଲକ୍‌ଡାଉନ୍‌ ପାଇଁ ସମସ୍ତ ବସ୍‌, ରେଳ, କାର, ଅଟୋ ସେବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବନ୍ଦ କରି ଦେଇଛନ୍ତି। ସଠିକ୍‌ ସମୟ ମଧ୍ୟରେ ବିବାହ ପଞ୍ଜିକରଣ କରି ପାରୁ ନାହାନ୍ତି। ତେଣୁ ଏହି ସମୟ ସୀମାକୁ ଛାଡ କରିବାର ଆବଶ୍ୟକତା ରହିଛି। ସେପଟେ ରାଜ୍ୟ ସରକାର ୧୦% କର୍ମଚାରୀଙ୍କୁ ନେଇ କାମ କରିବାକୁ ସମସ୍ତ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଉରକେଲା ସବ୍‌ ରେଜିଷ୍ଟର ଅଫିସ୍‌ରେ ମାତ୍ର ୧୦ଜଣ କର୍ମଚାରୀ କାମ କରୁଛନ୍ତି। ଯଦି ୧୦ % କର୍ମଚାରୀ କାମ କରନ୍ତି ତେବେ ଅଫିସ୍‌ରେ ଜଣେ ମାତ୍ର ଅଫିସର ରହିବେ।

ଅଫିସରଙ୍କ ନିକଟରେ ରେକର୍ଡ ଦାଖଲ କରିବାକୁ କିରାଣୀ କିମ୍ବା ପିଅନ ନ ରହିଲେ ପଞ୍ଜିକରଣ ହୋଇ ପାରିବ ନାହିଁ। ତେବେ ଜିଲ୍ଲାରେ ପଡି ରହିଥିବା ଶହ ଶହ ବିବାହ ପଞ୍ଜିକରଣର ସମୟ ସୀମାକୁ ଛାଡ ନ କଲେ ଆବେଦନକାରୀକୁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେବାକୁ ପଡିବ। ସୁନ୍ଦରଗଡ ଜିଲ୍ଲା ସମେତ ଓଡ଼ିଶାର ବିବାହ ପଞ୍ଜିକରଣ ପାଇଁ ପ୍ରମାଣପତ୍ର ପାଇଁ ରହିଥିବା ସମୟ ଅବଧକୁ ଛାଡ କରିଦେବାକୁ ଆବେଦନକାରୀଙ୍କ ମଧ୍ୟରୁ ମଧ୍ୟ ଦାବି ହେଉଛି।

ସମ୍ବନ୍ଧିତ ଖବର