ନୂଆଦିଲ୍ଲୀ: କରୋନାର ‘ଓମିକ୍ରନ୍’ ପ୍ରଜାତିକୁ ନେଇ ଭୟ ବଢ଼ୁଥିବାରୁ ସରକାରଙ୍କ ବୈଜ୍ଞାନିକ ପରାମର୍ଶଦାତା ଅତି ବିପଦ ଶ୍ରେଣୀରେ ଥିବା ଲୋକ ତଥା ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ଲୋକ ଏବଂ ବୟସ୍କଙ୍କ ପାଇଁ ବୁଷ୍ଟର ଡୋଜ୍ ଦେବାକୁ ବିଚାରବିମର୍ଶ କରୁଛନ୍ତି। କିନ୍ତୁ ବୁଷ୍ଟର ଡୋଜ୍ ପାଇଁ ନିଷ୍ପତ୍ତି ତ୍ବରାନ୍ବିତ କରିବାକୁ ‘ଓମିକ୍ରନ୍’ ଏବେ ବି ଏକ ଗୁରୁତ୍ବପୂର୍ଣ୍ଣ କାରଣ ନୁହେଁ। କାରଣ ବିଶ୍ବବ୍ୟାପୀ ଓମିକ୍ରନ୍କୁ ନେଇ ଯେଉଁ ଚିତ୍ର ମିଳିଛି ସେଥିରୁ ଜଣାପଡ଼ିଛି ଯେ, ଓମିକ୍ରନ୍ ଯୋଗୁଁ ସାମାନ୍ୟ ସଂକ୍ରମଣ ହେଉଛି। ଏହା ଅଧିକ କୌଣସି କ୍ଷତି କରୁନାହିଁ। ତେବେ ବିଶେଷଜ୍ଞ କହିଛନ୍ତି, ତୃତୀୟ ଡୋଜ୍ ଟିକା ବି ଓମିକ୍ରନ୍ ସଂକ୍ରମଣରୁ ସୁରକ୍ଷା ଦେବନି। କାରଣ ଟିକା ସଂକ୍ରମଣରୁ ସୁରକ୍ଷା ଦେଉନାହିଁ। ଏହା କେବଳ ରୋଗରେ ଗୁରୁତର କରୁନାହିଁ ଏବଂ ମୃତ୍ୟୁରୁ ସୁରକ୍ଷା ଦେଉଛି। ତେଣୁ ଯେଉଁମାନେ ସମ୍ପୂର୍ଣ୍ଣ ଟିକା ନେଇ ସାରିଛନ୍ତି ସେମାନେ ଓମିକ୍ରନରେ ଆକ୍ରାନ୍ତ ହେଲେ ବି ଏହାର କମ୍ ପ୍ରଭାବ ରହିବ। ତେବେ ଟିକାର କମ୍ ପ୍ରଭାବ ଯୋଗୁଁ ସାମାନ୍ୟ ସଂକ୍ରମଣ ହେଉଛି କହିବା ଭୁଲ୍ ବୋଲି ଆଇସିଏମ୍ଆର୍ର ସମିରନ ପଣ୍ଡା କହିଛନ୍ତି।
ସିଏସ୍ଆଇଆର ନିର୍ଦ୍ଦେଶକ ଅନୁରାଗ ଅଗ୍ରୱାଲ କହିଛନ୍ତି, ବୁଷ୍ଟର ଡୋଜ୍ ସାହାଯ୍ୟ କରିବ। ଟିକା ନିଷ୍କ୍ରିୟ ହୋଇଯାଇଥିବା ଏବଂ ବିପଦରେ ଥିବା ଲୋକଙ୍କୁ ପ୍ରଥମେ ପ୍ରାଧାନ୍ୟ ଦିଆଯିବା ଉଚିତ୍ ଏବଂ ଏହାପରେ ସ୍ବାସ୍ଥ୍ୟ କର୍ମୀଙ୍କୁ ଗୁରୁତ୍ବ ଦିଆଯିବା ଉଚିତ। ଅଗ୍ରୱାଲ କହିଛନ୍ତି , ଡେଲ୍ଟା ପରେ ବି ରୋଗ ପ୍ରତିରୋଧକ ଶକ୍ତି ଭଲ ରହିଛି। ତେବେ ପ୍ରୋଟିନରେ ପରିବର୍ତ୍ତନ ଯୋଗୁଁ ଓମିକ୍ରନ୍ ଦ୍ରୁତ ଗତିରେ ମାଡ଼ି ଚାଲିଛି ବୋଲି କୁହାଯାଇଛି।
ନୂଆଦିଲ୍ଲୀ : ଆସନ୍ତା ୬ ମାସ ମଧ୍ୟରେ ଶିଶୁଙ୍କ ପାଇଁ କରୋନା ଟିକା ଆସିବ। ସିରମ୍ ଇନଷ୍ଟିଚ୍ୟୁଟ୍ର ସିଇଓ ଆଦାର ପୁନାୱାଲା ଆଜି ଏହି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ଆମେରିକାର ବାୟୋଟେକନୋଲୋଜି କମ୍ପାନି ‘ନୋଭାଭାକ୍ସ’ର କୋଭିଡ ଟିକାକୁ ପୁନାୱାଲାଙ୍କ କମ୍ପାନି ପ୍ରସ୍ତୁତ କରିବ ଏବଂ ଏହାକୁ ସ୍ଥାନୀୟ ବଜାରରେ କୋଭାଭାକ୍ସ ଭାବେ ବିକ୍ରି କରିବ। ପୁନାୱାଲା କହିଛନ୍ତି, ଶିଶୁମାନଙ୍କଠାରେ ଆମେ କୌଣସି ଗୁରୁତର ରୋଗ ଦେଖୁନାହୁଁ। ଶିଶୁଙ୍କୁ ନେଇ କୌଣସି ଭୟ ନାହିଁ। ତେଣୁ ୬ ମାସ ମଧ୍ୟରେ ଶିଶୁଙ୍କ ପାଇଁ ଟିକା ଆସିବ। ୩ ବର୍ଷରୁ କମ୍ ବୟସର ଶିଶୁଙ୍କ ପାଇଁ ଟିକା ଆସିବା ନେଇ ଆଶା କରାଯାଉଛି ବୋଲି ପୁନାୱାଲା କହିଛନ୍ତି। ପୁନାୱାଲା ଶିଶୁଙ୍କୁ ଟିକାକରଣ ସପକ୍ଷରେ ମତ ରଖିଛନ୍ତି। ସେ କହିଛନ୍ତି, ଶିଶୁଙ୍କୁ ଟିକା ଦେବାରେ କୌଣସି କ୍ଷତି ନାହିଁ। ଟିକା ଖୁବ୍ ସୁରକ୍ଷିତ ଏବଂ ଫଳପ୍ରଦ। ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ଜାନୁଆରି ୧୬ରେ ଦେଶରେ ଟିକାକରଣ ଆରମ୍ଭ ହୋଇଥିଲା। ପ୍ରଥମେ ୧୮ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ପାଇଁ ଟିକା ଆସିଲା। ପରେ ଅହମଦାବାଦର ଜାଇଡସ୍ କାଡିଲାର ଜାଇକଭ୍ ଡି ୧୮ ବର୍ଷରୁ କମ୍ ୧୨ ବର୍ଷରୁ ଊର୍ଦ୍ଧ୍ବ ବୟସର ପିଲାଙ୍କ ପାଇଁ ଅନୁ ମୋଦନ ମିଳିଥିଲା।