ଲକଡାଉନରେ ବି ଥକି ନାହାନ୍ତି ନେତା: ଘରେ ବସି କରୁଛନ୍ତି ଜନତାଙ୍କ ସେବା, କେବିକେରେ କୋଭିଡ୍ ଟେଷ୍ଟିଂ ସେଣ୍ଟର ପାଇଁ ଦାବି

ରାଜ୍ୟ ବାହାରେ ଫସିଥିବା ଶ୍ରମିକଙ୍କ ନିକଟରେ ପହଞ୍ଚୁଛି ସହାୟତା, ସଠିକ୍ ପିଡ଼ିଏସ୍ ବଣ୍ଟନ ଓ ଆର୍ଥିକ ସହାୟତା ପ୍ରଦାନକୁ ଗୁରୁତ୍ବ

ରାୟଗଡ଼ା: ରାତି ପାହିଲେ ଘାରୁଛି ଜନତାଙ୍କ ଚିନ୍ତା। ‌ଫୋନରେ ହେଉଛି ଅଭିଯୋଗ ଶୁଣାଣି। ଲୋକଙ୍କ ହାରି ଗୁହାରିକୁ ଦେଉଛନ୍ତି ପ୍ରାଥମିକତା। ଜିଲ୍ଲାଠୁ ଆରମ୍ଭ କରି ବାହାର ରାଜ୍ୟରେ ଥିବା ଗରିବ, ଶ୍ରମିକ ପରିବାରକୁ ସୁବିଧା ଯୋଗାଇବାକୁ ଦିନରାତିକୁ ଏକା କରିଛନ୍ତି ନେତା। ଚାଷ ହୁଡ଼ିଲେ ବରଷେ, ଭୋଟର ହୁଡ଼ିଲେ ୫ ବର୍ଷ ନ୍ୟାୟକୁ ଆଖି ଆଗରେ ରଖି ଲକଡାଉନରେ ଘରେ ବସି ଜନତାଙ୍କ ସେବା ଜାରି ରଖିଛନ୍ତି ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ ଏବଂ କୋରାପୁଟ ଲୋକସଭା ସାଂସଦ ଇଂ. ସପ୍ତଗିରି ଉଲାକା।

କରୋନା ପ୍ରଭାବରୁ ବାଦ୍ ପଡ଼ିନି ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲା। ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣାଧୀନ ସତ୍ତ୍ବେ ରାଜ୍ୟ ସରକାରଙ୍କ ନିର୍ଦେଶରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଛି କଡ଼ା ପଦକ୍ଷେପ। ସକାଳ ୭ରୁ ପୂର୍ବାହଣ୍ ୧୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀକୁ କିଣାକୁ ଛାଡ଼ିଲେ ଅନ୍ୟ ସମୟରେ ଲୋକଙ୍କୁ ଘରୁ ବାହାରିବା ଉପରେ ଜାରି କରାଯାଇଛି କଟକଣା। ଯାହା ଲୋକଙ୍କ ସାଧାରଣ ଜୀବନଯାପନ ଉପରେ ପ୍ରଭାବ ପକାଇଛି। ଜିଲ୍ଲାର ୭୦ ପ୍ରତିଶତ ଲୋକ ଚାଷ ଓ ଦିନ ମଜୁରିଆ ଭାବେ କାମ କରି ଜୀବିକା ନିର୍ବାହ କରୁଛନ୍ତି।

ଚାଷ ସମୟକୁ ଛାଡ଼ିଲେ ଜିଲ୍ଲାର ଲକ୍ଷାଧିକ ଶ୍ରମିକ ପରିବାର ବାହାର ରାଜ୍ୟରେ ଦାଦନ ଖଟିଥାନ୍ତି। କରୋନା ମାଡ଼ ଯୋଗୁ କିଛି ପରିବାର ନିଜ ଜିଲ୍ଲାକୁ ଫେରି ଆସିବାରେ ସକ୍ଷମ ହୋଇଥିବା ବେଳେ ବହୁ ପରିବାର ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, କେରଳରେ ଫସି ରହିଛନ୍ତି। ଦିନ ଦିନ ଧରି ଏହି ପରିବାର ଭୋକ ଉପାସରେ ସଂପୃକ୍ତ ରାଜ୍ୟରେ ଦିନ କାଟୁଛନ୍ତି। ନିରୁପାୟ ହୋଇ ଏହି ପରିବାର ସୋସିଆଲ୍ ମିଡ଼ିଆ ଜରିଆରେ ନିବେଦନ କରିବା ପରେ ସହାୟତା ପ୍ରଦାନ ନେଇ ତତ୍ପର ହୋଇଛନ୍ତି ନେତା। ବାହାର ରାଜ୍ୟରେ ଫସିଥିବା ଶ୍ରମିକଙ୍କୁ ସହାୟତା ପ୍ରଦାନ ଦିଗରେ ପ୍ରୟାସ ଜାରି ରଖିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲାକା।

ପ୍ରତିଦିନ ପାଉଥିବା ଅଭିଯୋଗକୁ ସଂପୃକ୍ତ ରାଜ୍ୟର ପ୍ରଶାସନ ଓ କଂଗ୍ରେସ କର୍ମକର୍ତ୍ତାଙ୍କ ନଜରକୁ ଆଣି ସହାୟତା ସାମଗ୍ରୀ ପ୍ରଦାନ କରୁଛନ୍ତି। ଆଜି ସାଂସଦ ଶ୍ରୀ ଉଲାକା ମହାରାଷ୍ଟ୍ରର ଥାନେ ଅଞ୍ଚଳରେ ରହୁଥିବା ରାୟଗଡ଼ାର ଦଳାଇ ପରିବାରକୁ ଥାନେ କଂଗ୍ରେସ ନେତାଙ୍କ ସାହାର୍ଯ୍ୟରେ ସହାୟତା ଦେଇଛନ୍ତି। ସେହିପରି କୋଏମ୍ବାଟୁର୍, ହାଇଦ୍ରାବାଦ୍, ବିଶାଖାପାଟଣା, ବେଙ୍ଗାଲୁରୁ, ବିଜୟୱାଡା ଭଳି ବହୁ ସହରରେ ଫସିଥିବା ଶ୍ରମିକଙ୍କୁ ସାଂସଦଙ୍କ ସହାୟତାକୁ ନେଇ ଚାଲିଛି ଚର୍ଚ୍ଚା।

ଅନ୍ୟପକ୍ଷରେ କେବିକେରେ କୋଭିଡ୍ ନମୁନା ପରୀକ୍ଷଣ କେନ୍ଦ୍ର ପ୍ରତିଷ୍ଠା ସହ ଜିଏସଟି ଛାଡ଼ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି ରଖିଛନ୍ତି। କରୋନା ମାଡ଼ରେ ଆଦିବାସୀ ଜିଲ୍ଲାର ଆର୍ଥିକ ସ୍ଥିତି ଦୋହଲି ଯାଇଥିବାରୁ ସ୍ବତନ୍ତ୍ର ପ୍ୟାକେଜ୍, ଅନୁଦାନ ପ୍ରଦାନ ପାଇଁ ପ୍ରସ୍ତାବ ରଖିଛନ୍ତି ଉଲାକା। ଏଥି ସହିତ ଜିଲ୍ଲାର ସମସ୍ତ ଗରିବ ପରିବାର ଏବଂ ରାସନ କାର୍ଡନଥିବା ପରିବାରକୁ ମଧ୍ୟ ଯେପରି ସରକାରୀ ସହାୟତା ମିଳିବ ସେ ଦିଗରେ ରୀତିମତ ପ୍ରୟାସ ଜାରି ରଖିଛନ୍ତି ସାଂସଦ। ଜିଲ୍ଲା ଓ ସଂସଦୀୟ କ୍ଷେତ୍ରର ସ୍ଥିତି ନେଇ ସାଂସଦ ଅଖିଳ ଭାରତୀୟ କଂଗ୍ରେସ କମିଟିର ମୁଖ୍ୟ ସୋନିଆ ଗାନ୍ଧୀ, ସାଧାରଣ ସଂପାଦକ ଜି‌ତେନ୍ଦ୍ର ସିଂ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ ପଟ୍ଟନାୟକଙ୍କ ସହ ଭିଡ଼ିଓ କନଫରେନସିଂରେ କଥା ହୋଇଛନ୍ତି।

ରାଜ୍ୟସଭା ରାଜ୍ୟ ବାହାରେ ଫସିଥିବା ଶ୍ରମିକଙ୍କ ନିକଟରେ ପହଞ୍ଚୁଛି ସହାୟତା, ସଠିକ୍ ପିଡ଼ିଏସ୍ ବଣ୍ଟନ ଓ ଆର୍ଥିକ ସହାୟତା ପ୍ରଦାନକୁ ଗୁରୁତ୍ବ ମଧ୍ୟ ରାଜ୍ୟ ସରକାରଙ୍କ ଗାଇଡ୍ ଲାଇନ ଅନୁଯାୟୀ ଲୋକଙ୍କ ନିକଟରେ ସମସ୍ତ ସୁବିଧା ସୁଯୋଗ ପହଞ୍ଚାଇବା ଦିଗରେ କାମ କରୁଛନ୍ତି। ପ୍ରତିଦିନ ଜିଲ୍ଲାର ସ୍ଥିତିକୁ ନେଇ ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗ, ନିର୍ବାଚିତ ଜନ ପ୍ରତିନିଧିଙ୍କ ସହ ଆଲୋଚନା ଜାରି ରଖିଛନ୍ତି। କୌଣସି ଗରିବ ଓ ଯୋଗ୍ୟ ପରିବାର ସରକାରଙ୍କ ପିଡିଏସ୍ ସାମଗ୍ରୀ, ଆର୍ଥିକ ସହାୟତା, ନିର୍ମାଣ ଶ୍ରମିକ ସହାୟତା, ଭତ୍ତା ପାଇବାରୁ ବଞ୍ଚିତ ନ ହୁଅନ୍ତି ସେ ଦିଗରେ ଗୁରୁତ୍ବାରୋପ କରୁଛନ୍ତି ସାଂସଦ। ନିଜ ଅଞ୍ଚଳର ଲୋକଙ୍କ ସହ ଦୈନିକ ଆଲୋଚନା କରିବା ପରେ ସମସ୍ୟା ସଂପର୍କରେ ଜିଲ୍ଲା ପ୍ରଶାସନକୁ ଅବଗତ କରିବା ସହ ବାହାର ରାଜ୍ୟରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ସହ ସହାୟତା ପ୍ରଦାନ ଲାଗି ରାଜ୍ୟସ୍ତରରେ ଦାୟିତ୍ବରେ ଥିବା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି ରାଜ୍ୟସଭା ସାଂସଦ ଶ୍ରୀ ରାଓ। ଏଥି ସହିତ ସୀମାନ୍ତ ଆଶ୍ରୟସ୍ଥଳୀରେ ରହୁଥିବା ବାହାର ରାଜ୍ୟ ଓ ବାହାର ଜିଲ୍ଲାର ଲୋକଙ୍କ ଖାଦ୍ୟପେୟ, ସ୍ବାସ୍ଥ୍ୟ ପରୀକ୍ଷାରେ କିଛି ତ୍ରୁଟି ଯେପରି ନ ହୁଏ ସେ ଦିଗରେ ବିଶେଷ ଦୃଷ୍ଟି ରଖିଛନ୍ତି ସାଂସଦ। ଦିନକୁ ୬ରୁ ୭ ଘଣ୍ଟା ଲୋକଙ୍କ ସମସ୍ୟା ବୁଝିବା ସହ ନିଜ ଅଞ୍ଚଳବାସୀଙ୍କୁ ସଚେତନ କରି କରୋନାରୁ ବର୍ତିବା ଦିଗରେ ସତର୍କ ରହିବାକୁ ଫୋନ୍ ମାଧ୍ୟମରେ ଗ୍ରାମାଞ୍ଚଳ କର୍ମୀଙ୍କୁ ପରାମର୍ଶ ଦେଉଛନ୍ତି ସାଂସଦ।

ସମ୍ବନ୍ଧିତ ଖବର