ଆସିଲା ବହୁ ପ୍ରତୀକ୍ଷିତ ଏଲ୍‌ଆଇସି ଆଇପିଓ: କର୍ମଚାରୀ, ପଲିସିଧାରକଙ୍କ ସେୟାର ସମ୍ପୂର୍ଣ୍ଣ ସବ୍‌ସ୍କ୍ରାଇବ୍

ନୂଆଦିଲ୍ଲୀ: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ବହୁ ପ୍ରତୀକ୍ଷିତ ଇନିସିଆଲ ପବ୍ଲିକ୍ ଅଫର (ଆଇପିଓ) ଆଜି ଜାରି ହୋଇଛି ଯାହା ୯ ତାରିଖ ପର୍ଯ୍ୟନ୍ତ ସବ୍‌ସ୍କ୍ରିପ୍‌ସନ୍ ପାଇଁ ଉନ୍ମୁକ୍ତ ରହିବ। କଂପାନି ଆଙ୍କର ନିବେଶକମାନଙ୍କଠାରୁ ୫,୬୨୭ କୋଟି ଟଙ୍କାର ନିବେଶ ହାସଲ କରିଛି। ଆଇପିଓର ପ୍ରଥମ ଦିନରେ ୬୭% ସବ୍‌ସ୍କ୍ରାଇବ୍ ହୋଇଛି। କର୍ମଚାରୀ ଓ ପଲିସିଧାରୀମାନଙ୍କ ପାଇଁ ସଂରକ୍ଷିତ ଥିବା ସେୟାର ସମ୍ପୂର୍ଣ୍ଣ ସବ୍‌ସ୍କ୍ରାଇବ୍ ହୋଇଛି। ନିବେଶକମାନେ ଥରକେ ୧୫ଟି ‌ଲେଖାଏଁ ସେୟାର ପାଇଁ ବିଡ୍ ଦାଖଲ କରିପାରୁଛନ୍ତି। ଏହି ଆଇପିଓ ଜରିଆରେ ସରକାର ଏଲ୍‌ଆଇସିର ୩.୫% ଅଂଶଧନ ବିକ୍ରି କରି ୨୧ ହଜାର କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହା ହେଉଛି ବର୍ତ୍ତମାନ ସୁଦ୍ଧା ଦେଶର ସବୁଠୁ ବଡ଼ ଆଇପିଓ। ଏହା ପୂର୍ବରୁ ୨୦୨୧ରେ ପେଟିଏମ୍ ୧୮,୩୦୦ କୋଟି ଟଙ୍କା ଓ ୨୦୧୦ରେ କୋଲ୍ ଇଣ୍ଡିଆ ୧୫,୨୦୦ କୋଟି ଟଙ୍କାର ଆଇପିଓ ଆଣିଥିଲା। ଏଲ୍‌ଆଇସି ଏହାର କର୍ମଚାରୀ ଓ ପଲିସିଧାରୀମାନଙ୍କୁ ସେୟାର ପିଛା ୪୫ ଟଙ୍କାର ରିହାତି ଦେଉଛି। ଆଇପିଓ ସମ୍ପର୍କ‌ରେ ସେମାନଙ୍କୁ ଏସ୍‌ଏମ୍ଏସ୍‌ ଓ ଅନ୍ୟାନ୍ୟ ମାଧ୍ୟମ ଜରିଆରେ ସୂଚିତ କରୁଛି। ସମ୍ବାଦପତ୍ର ଓ ଟିଭିରେ ଏହାର ବ୍ୟାପକ ବିଜ୍ଞାପନ ପ୍ରଚାର କରାଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏଲ୍‌ଆଇସିର ୫% ଅଂଶଧନ ବିକ୍ରି କରିବାକୁ ସରକାର ଯୋଜନା ରଖିଥିଲେ। କିନ୍ତୁ ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ଓ ଦରଦାମ୍ ସ୍ଥିତି ବେଲଗାମ ହେବା ଭଳି ବିଷୟ ବିଚାରକୁ ନେଇ ସେହି ନିଷ୍ପତ୍ତିକୁ ବଦଳାଇଥିଲେ।

ସମ୍ବନ୍ଧିତ ଖବର