୪୦ ଦିନ ପରେ ଉଦ୍ଧାର କଲା ପାଟ୍‌ନା ପୁଲିସ

ଝାଡ଼ଖଣ୍ଡରେ ଓଡ଼ିଆ ବ୍ୟବସାୟୀ ଡ. ମାନସ ରଂଜନ ଦାସଙ୍କୁ ଅପହରଣ ଘଟଣା

ଚନ୍ଦ୍ରଶେଖରପୁର: ଝାଡ଼ଖଣ୍ଡରେ ଅପହୃତ ଓଡ଼ିଆ ଯୁବବ୍ୟବସାୟୀ ଡ. ମାନସ ରଞ୍ଜନ ଦାସ (୪୧)ଙ୍କୁ ପ୍ରାୟ ୪୦ ଦିନ ପରେ ଆଜି ବିହାରର ପାଟ୍‌ନାରୁ ଉଦ୍ଧାର କରାଯାଇଛି। ପାଟ୍‌ନା ସହର ନିକଟବର୍ତ୍ତୀ ଅଞ୍ଚଳରୁ ପୁଲିସ ତାଙ୍କୁ ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରିଥିବା ତାଙ୍କ ସ୍ତ୍ରୀ ହନି ଦତ୍ତ ସୂଚନା ଦେଇଛନ୍ତି। ଏନେଇ ପାଟ୍‌ନା ପୁଲିସ କମିସନରେଟ୍‌ ପୁଲସକୁ ଖବର ଦେଇଥିବା ଡିସିପି ସତ୍ୟବ୍ରତ ଭୋଇ ମଧ୍ୟ ସୂଚନା ଦେଇଛନ୍ତି। ଏହାସହିତ ଡ. ଦାସ ଉଦ୍ଧାର ହୋଇଥିବା ବିଷୟ ମଧ୍ୟ ସେ ସ୍ପଷ୍ଟ କରିଛନ୍ତି। ଏ ସଂକ୍ରାନ୍ତରେ ପାଟ୍‌ନା ପୁଲିସ ପକ୍ଷରୁ ଝାଡ଼ଖଣ୍ଡ ଗିରିଡିହ ପୁଲିସ୍‌କୁ ଜଣାଇ ଦିଆଯାଇଥିବାବେଳେ ମାନସଙ୍କୁ ଗିରିଡିହ ନିଆଯିବା ଯାଇଛି। ଏହି ଖବର ପାଇବା ପରେ ମାନସଙ୍କ ପତ୍ନୀ ହନି ତାଙ୍କୁ ଆଣିବାକୁ ଗିରିଡିହ ଯାଇଥିବା ଜଣାପଡ଼ିଛି। ଚନ୍ଦ୍ରଶେଖରପୁର ଅଞ୍ଚଳ ଗାୟତ୍ରୀବିହାର ସ୍ଥିତ ପ୍ଲଟ୍‌ ନମ୍ବର-୬୩ ଚ୍ୟାଲେଞ୍ଜ୍‌ ଭିଲ୍ଲାରେ ରହୁଥିବା ମାନସଙ୍କ ପରିବାର ପାଟ୍‌ନା ପୁଲିସଠାରୁ ତାଙ୍କର ଉଦ୍ଧାର ହେବା ସମ୍ପର୍କରେ ଖବର ପାଇଥିଲେ।
ବିହାରର ଏକ ନିର୍ଦ୍ଦିଷ୍ଟ ଗ୍ୟାଙ୍ଗ୍‌ ଏହି ଅପହରଣ ଭିଆଇଥିବା ଉଭୟ ଝାଡ଼ଖଣ୍ଡ ଓ ବିହାର ପୁଲସ ସନ୍ଦେହ କରୁଛି। ଡୁମି ଅଞ୍ଚଳରୁ ମାନସଙ୍କ କାର୍‌ ମଧ୍ୟ ଉଦ୍ଧାର କରାଯାଇଛି। ମାନସଙ୍କ ଅପହରଣ ପରେ ଅପହର୍ତ୍ତାମାନେ ପ୍ରାୟ ୫କୋଟି ଟଙ୍କା ଦାବି କରିଥିଲେ। ଏହି ଅପହରଣ ସମ୍ପୂର୍ଣ୍ଣ ଭାବରେ ଅର୍ଥ ପାଇଁ କରାଯାଇଥିବା ପୁଲିସ କହିଛି। ମାନସଙ୍କୁ ପଚରାଉଚୁରା ପରେ ଏନେଇ ଅଧିକ ତଥ୍ୟ ମିଳିପାରିବ ବୋଲି ଗିରିଡିହ ପୁଲିସର ଜଣେ ଅଧିକାରୀ କହିଛନ୍ତି। ତେବେ ମାନସଙ୍କୁ ମୁକୁଳାଇବା ପାଇଁ ବାସ୍ତବରେ କେତେ ମୁଣ୍ଡ ଜାମିନ ଅର୍ଥ ଦିଆଯାଇଛି ନା ବିନା ଅର୍ଥରେ ଅପହର୍ତ୍ତାମାନେ ତାଙ୍କୁ ଛାଡ଼ିଦେଲେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।
ଜଣେ ପଶୁ ଚିକିତ୍ସକ ଭାବରେ କ୍ୟାରିଅର୍‌ ଆରମ୍ଭ କରିଥିବା ମାନସ ଝାଡ଼ଖଣ୍ଡରେ ଜଣେ ସଫଳ ବ୍ୟବସାୟୀ ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ। ଗତ ଅଗଷ୍ଟ ମାସ ୨୩ ତାରିଖରେ ମାନସ ଝାଡ଼ଖଣ୍ଡ ଗିରିଡିହ ଅଞ୍ଚଳରୁ ନିଜ କାର୍‌(ଓଆର୍‌-୦୯-ପି-୯୯୯୯) ଯୋଗେ ଭୁବନେଶ୍ୱର ଫେରୁଥିବାବେଳେ ତାଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରି ନିକଟସ୍ଥ ଜଙ୍ଗଲ ଭିତରକୁ ନେଇ ଯାଇଥିଲେ। ଏ ନେଇ ଝାଡ଼ଖଣ୍ଡ ଓ ବିହାର ପୁଲିସ ତଦନ୍ତ ଆରମ୍ଭ କରିଥିଲେ। ଓଡ଼ିଶା ପୁଲିସ ପକ୍ଷରୁ ମଧ୍ୟ ତଦନ୍ତକୁ ତ୍ୱରାନ୍ଵିତ କରିବା ପାଇଁ ଝାଡ଼ଖଣ୍ଡ ପୁଲିସକୁ ଅନୁରୋଧ କରାଯାଇଥିଲା। ଅପହୃତ ମାନସଙ୍କୁ ଉଦ୍ଧାର ନେଇ ମା’ ଶକୁନ୍ତଳା ଦେବୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଭେଟିବାକୁ ପ୍ରୟାସ କରିଥିଲେ। ସେହିପରି ପତ୍ନୀ ହନି ମଧ୍ୟ ଝାଡ଼ଖଣ୍ଡ ରାଜ୍ୟପାଳଙ୍କ ସମେତ ସେହି ରାଜ୍ୟର ସମସ୍ତ ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କୁ ଭେଟି ମାନସଙ୍କ ଉଦ୍ଧାର ନିମନ୍ତେ ଅନୁରୋଧ କରିଥିଲେ। ମାନସଙ୍କୁ ଉଦ୍ଧାର କରିବା ଝାଡ଼ଖଣ୍ଡ, ବିହାର ଓ ଓଡ଼ିଶା ପୁଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିଲା।

ସମ୍ବନ୍ଧିତ ଖବର