ଖଣ୍ଡଗିରି: ଗାନ୍ଧୀ ଜୟନ୍ତୀରେ ମଦ ବିକ୍ରି ନିଷେଧ ଥିବାବେଳେ ଆଜି ଭୁବନେଶ୍ୱର ଅବକାରୀ ମୋବାଇଲ୍ ସ୍କ୍ଵାଡ୍ ରାଜଧାନୀ ତଥା ଉପକଣ୍ଠର ବିଭିନ୍ନ ସ୍ଥାନରେ ଚଢ଼ଉ କରି ୭ ଜଣ ଚୋରା ମଦ ବେପାରୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୩ ଶହ ବୋତଲ ବିଦେଶୀ ଓ ଦେଶୀ ମଦ ଜବତ କରାଯାଇଛି। ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବା ପରେ ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ଗିରଫ ମଦ ବେପାରୀମାନେ ହେଲେ ଡୁମୁଡୁମା ରଘୁନାଥନଗରର ରଜନୀ ରାଉତ, ୟୁନିଟ୍-୩ ମୋଚି ସାହିର ସଂଜୀବ ବେହେରା, ବାଲିପାଟଣାର ଅନନ୍ତ ସାହୁ, ବାଲିପାଟଣା ନରଦାର ଅପର୍ତ୍ତି ମହାପାତ୍ର, ସାଲିଆସାହି ଅନ୍ତର୍ଗତ ଆଦିବାସୀପଡ଼ାର ତାଣ୍ଡ ହେମ୍ବ୍ରମ୍, ସାଲିଆସାହି ଇଡ୍କୋ ବସ୍ତିର ବାବାଜୀ ସୋରେନ୍ ଓ ଆଶୋକନଗରର ସିଏଚ୍ ଚନ୍ଦ୍ରରାଓ। ଭୁବନେଶ୍ୱର ସହର ଭିତରେ ମୋଚିସାହିରୁ ସଂଜୀବଠାରୁ ୪୮ ବୋତଲ ଓ ଅଶୋକନଗର ଚନ୍ଦ୍ରରାଓଠାରୁ ୭୨ ବୋତଲ ଓ ଇଡ୍କୋ ବସ୍ତିର ବାବାଜୀଠାରୁ ୪୦ ବୋତଲ ବିଦେଶୀ ମଦ ଜବତ କରାଯାଇଛି। ଅନ୍ୟମାନଙ୍କଠାରୁ ଆସ୍କା ଫଟି ଜବତ କରାଯାଇଛି। ଗାନ୍ଧୀ ଜୟନ୍ତୀ ଅବସରରେ ମଦ ଦୋକାନ ବନ୍ଦ ରହୁଥିବାରୁ ଏହି ଚୋରା ବେପାରୀମାନେ ଗତକାଲିଠାରୁ ମାଲ୍ ମହଜୁଦ୍ କରି ରଖିଥିଲେ। କିନ୍ତୁ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ଉ କରାଯିବା ଫଳରେ ଏହି ଚୋରା ବେପାରୀମାନେ ଧରା ପଡ଼ିଯାଇଥିଲେ। ଅବକାରୀ ବିଭାଗ ଇନ୍ସ୍ପେକ୍ଟର ଶରତଚନ୍ଦ୍ର ଭଞ୍ଜ ଓ ଦେବୀପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ଟିମ୍ ଏହି ଚଢ଼ାଉ କରିଥିଲା। ଗିରଫ ବେପାରୀମାନେ ପେସାଦାର ବୋଲି ବିଭାଗୀୟ ଅଧିକାରୀମାନେ ସୂଚନା ଦେଇଛନ୍ତି।
ଗାନ୍ଧୀ ଜୟନ୍ତୀରେ ଅବକାରୀ ସ୍କ୍ଵାଡ୍ର ଚଢ଼ଉ: ୭ ଚୋରା ମଦ ବେପାରୀ ଗିରଫ
/sambad/media/post_attachments/wp-content/uploads/2017/10/cr-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)