ଭୁବନେଶ୍ବର: ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନ ରାଜଧାନୀର ୨ଟି ଛାତ୍ରୀ ନିବାସର ୪ ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ମହିଳା ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା, ବୁଢ଼ାନ ମୁର୍ମୁ(୨୦)। ଘର ମୟୂରଭଂଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଝରଣା ସାହିରେ। ସେ ଏଠାରେ ସାଲିଆସାହି ଆଦିବାସୀ ଗାଁ ଅଞ୍ଚଳରେ ରହି ଝାଡ଼ୁଦାର ଭାବେ କାମ କରେ। ବୁଢ଼ାନ୍‌ ବିରୋଧରେ ଦୁଷ୍କର୍ମ ଓ ପୋକ୍‌ସୋ ଆକ୍ଟ ଭଳି ସଂଗିନ୍‌ ଦଫା ଲାଗିଛି। ମହିଳା ଥାନା ଇନ୍ସପେକ୍ଟର୍‌ ଅନସୂୟା ନାୟକ ମାମଲାର ତଦନ୍ତକାରୀ ଅଧିକାରୀ ଥିବା ବେଳେ ଏସିପି ବି.ପି ପାତ୍ର ମାମଲାର ତଦାରଖ କରୁଛନ୍ତି। ଖୁବ୍‌ଶୀଘ୍ର ଏହି ମାମଲାର ଚାର୍ଜସିଟ୍‌ କୋର୍ଟରେ ଦାଖଲ କରାଯିବା ସହ ଶୁଣାଣି ଆରମ୍ଭ ହେବ ବୋଲି ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି। ଡିସିପି ଶ୍ରୀ ସାହୁଙ୍କ ସୂଚନା ମୁତାବକ, ୪ଜଣ ଛାତ୍ରୀ ଗର୍ଭବତୀ ହେବା ଘଟଣା ଠିକ୍ ନୁହେଁ। ଜଣେ ମାତ୍ର ଛାତ୍ରୀଙ୍କ ‘ନିଶ୍ଚୟ ପ୍ରେଗନାନ୍ସି କିଟ୍‌’ ମାଧ୍ୟମରେ ପଜିଟିଭ୍‌ ରିପୋର୍ଟ ଆସିଛି। ଆଉ ୩ଜଣଙ୍କର ନେଗେଟିଭ୍‌ ରହିଛି। ସେହିପରି ଗିରଫ ହୋଇଥିବା ଯୁବକଜଣଙ୍କ ଛାତ୍ରୀ ନିବାସର କର୍ମଚାରୀ ମଧ୍ୟ ନୁହନ୍ତି। ଯେଉଁ ଛାତ୍ରୀଜଣକ ଗର୍ଭବତୀ ହୋଇଛନ୍ତି, ତାଙ୍କ ଘର ବୁଢ଼ାନ୍‌ ଘର ପାଖାପାଖି। ରଜ ଛୁଟିରେ ଛାତ୍ରୀଜଣକ ଘରକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଛି। ଘଟଣା ପ୍ରଘଟ ହେବା ପରେ ପୁଲିସ ଏକ ମାମଲା ରୁଜୁ କରିଥିଲା। ସଂପୃକ୍ତ ଛାତ୍ରୀଙ୍କଠାରୁ ମିଳିଥିବା ତଥ୍ୟକୁ ଆଧାର କରି ପୁଲିସ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।