ଗୁରୁଗ୍ରାମ: ନିଜର ଜଣେ ନାବାଳକ ସହପାଠୀକୁ ଯୌନ ନିର୍ଯାତନା ଦେଇ ଅନ୍ୟ ଜଣେ ନାବାଳକ ଛାତ୍ର ପୁଲିସ୍ ହାତରେ ଗିରଫ ହେବା ଘଟଣା ଏବେ ସମଗ୍ର ଗୁରୁଗ୍ରାମ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଉଭୟ ପୀଡ଼ିତ ଓ ଅଭିଯୁକ୍ତ ଗୋଟିଏ ସ୍କୁଲରେ ଦ୍ୱାଦଶ ଶ୍ରେଣୀରେ ଏକାଠି ପଢ଼ୁଥିଲେ ଏବଂ ଉଭୟଙ୍କର ବୟସ ୧୭ ବର୍ଷ।
ଏହି ଘଟଣା ସଂପର୍କରେ ପୀଡ଼ିତଙ୍କ ମା’ ଥାନାରେ କରିଥିବା ଲିଖିତ ଅଭିଯୋଗରେ କହିଛନ୍ତି ଯେ ଏକ ଆଥ୍ଲେଟ୍ ମିଟ୍ ପାଇଁ ସ୍କୁଲରେ ଚାଲିଥିବା ଏକ ମନୋନୟନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ପାଇଁ ତାଙ୍କ ପୁଅ ସ୍କୁଲ ଲନ୍ରେ ବସିଥିବା ବେଳେ ତାଙ୍କ ସହ ଏହି ଅଘଟଣ ଘଟିଥିଲା। ଅଭିଯୁକ୍ତ ଛାତ୍ର ଜଣକ ତାଙ୍କ ପୁଅର ପ୍ୟାଣ୍ଟକୁ ଟାଣି ତାକୁ ଅନ୍ୟ ଛାତ୍ରଛାତ୍ରୀମାନଙ୍କ ସମ୍ମୁଖରେ ଉଲଗ୍ନ କରି ପକାଇଥିଲା ଏବଂ ତା’ ଗୁପ୍ତାଙ୍ଗକୁ ମାଡ଼ ମାରିଥିଲା। ଘଟଣା ସ୍ଥଳରେ ଉପସ୍ଥିତ କିଛି ଛାତ୍ର ଅଭିଯୁକ୍ତ ଛାତ୍ର ନିକଟକୁ ଆସି ତାକୁ ଏପରି ନ କରିବାକୁ କହିଥିଲେ ସୁଦ୍ଧା ସେ କାହାରି କଥା ଶୁଣି ନଥିଲା। ବରଂ ପୀଡ଼ିତକୁ ଅନ୍ୟମାନଙ୍କ ସମ୍ମୁଖରେ ଅଧିକ ଉପହାସିତ କରାଇଥିଲା। ତେବେ, ଏହି ଘଟଣା ସଂପର୍କରେ ଯେତେବେଳେ ସ୍କୁଲ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରାଗଲା, ସେତେବେଳେ ସେମାନେ ଏହାକୁ ଏକ ଛୋଟ ଘଟଣା କହି ଚାପି ଦେଇଥିଲେ। ଶେଷରେ ଅନୋନ୍ୟପାୟ ହୋଇ ପୀଡ଼ିତଙ୍କ ମା’ ଘଟଣା ସଂପର୍କରେ ଗୁରୁଗ୍ରାମର ସେକ୍ଟର ୯ ଥାନାରେ ଘଟଣା ସଂପର୍କରେ ଅଭିଯୋଗ କରିଥିଲେ। ଏସଂପର୍କରେ ଡେପୁଟି ପୁଲିସ କମିଶନର ସୁମିତ୍ କୁହାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଆମେ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ଛାତ୍ରକୁ ଗିରଫ କରିବା ସହ ଘଟଣା ସଂପର୍କରେ ତଦନ୍ତ ଆରମ୍ଭ କରିଛୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/Gurgaon.jpg)