ବାଲିଅନ୍ତା: ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିବା ନର୍ସ ନୀହାରିକା ହତ୍ୟା ଘଟଣାର ତଦନ୍ତ ପାଇଁ ଜଗତସିଂହପୁର ଏସ୍.ପି ପ୍ରକାଶ ଆର୍, ଏସ୍ଡିପିଓ ଏସ୍.କେ ମିଶ୍ର ଏବଂ ବିରିଡି ଓ ମଧୁପାଟଣା ଥାନା ଅଧିକାରୀ ଆଜି ମଧ୍ୟାହ୍ନରେ ନୀହାରିକାଙ୍କ ଗାଁ ବାଲିଅନ୍ତା ଥାନା ଅଧୀନ ଭିଙ୍ଗାରପୁରରେ ତଦନ୍ତ କରିଛନ୍ତି। ଏସ୍ପି ଶ୍ରୀ ଆର୍. ନୀହାରିକାଙ୍କ ବାପା ଗଗନ ପାତ୍ର, ମାଆ ପ୍ରତିମା, ସାନଭାଇ ରାକେଶ ଓ ବଡ଼ବାପା ଝିଅ ସୋନାଲିଙ୍କ ସହ ପଡ଼ୋଶୀମାନଙ୍କୁ ପଚରାଉଚରା କରିଥିଲେ। ଶେଷଥର ପାଇଁ ନୀହାରିକା କେବେ ଘରକୁ ଆସିଥିଲେ, ଅଭିଯୁକ୍ତ ରାଜା ଏବଂ ନୀହାରିକା ମଧ୍ୟରେ କେତେ ଦିନ ହେବ ପ୍ରେମ ସଂପର୍କ ଥିଲା, ନୀହାରିକା ରାଜାର ପରିବାରଲୋକଙ୍କ ସହ ଫୋନ୍ରେ କଥା ହୁଏ କି ନାହିଁ, ସେ ସଂପର୍କରେ ପଚାରି ତଥ୍ୟ ସଂଗ୍ରହ କରିଥିଲେ। ଗଗନ କହିଥିଲେ, ୮ ତାରିଖରେ ନୀହାରିକା ନିଖୋଜ ହେବା ପୂର୍ବରୁ ରାତି ସାଢ଼େ ୧୦ଟା ବେଳେ ତାଙ୍କ ଘର ମୋବାଇଲକୁ ଉକ୍ତ ନର୍ସିଂହୋମ୍ରୁ କଲ୍ ଆସିଥିଲା। କିନ୍ତୁ ସେ ଶୋଇପଡ଼ିଥିବାରୁ କଲ୍ ସଂପର୍କରେ ଜାଣି ପାରିନଥିଲେ। ଅପରପକ୍ଷେ ନୀହାରିକାଙ୍କ ମେସ୍ରୁ ମିଳିଥିବା ୫୦୦୦ ଟଙ୍କା ଓ ହତ୍ୟାସ୍ଥଳରୁ ମିଳିଥିବା କାନଫୁଲକୁ ତାଙ୍କ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ମୋବାଇଲ୍ ମିଳି ପାରି ନାହିଁ।
ନୀହାରିକା ହତ୍ୟା ମାମଲା: ଭିଙ୍ଗାରପୁରରେ ଜଗତସିଂହପୁର ଏସ୍ପି ଓ ଏସଡିପିଓ
/sambad/media/post_attachments/wp-content/uploads/2019/08/murder-451752-1.jpg)