ଭୁବନେଶ୍ବର/ଯାଜପୁର/ଦାନଗଦି : ଯାଜପୁର କଳିଙ୍ଗନଗରରେ ଥିବା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ହାଡ଼ିବନ୍ଧୁ ପାଣିଗ୍ରାହୀଙ୍କୁ ଆଜି ଭୁବନେଶ୍ବର ଭିଜିଲାନ୍ସ କର୍ତୃପକ୍ଷ ଭୁବନେଶ୍ବର ଖଣ୍ଡଗିରି ଅଞ୍ଚଳରୁ ଗିରଫ କରିଛନ୍ତି। ତାଙ୍କ ନିକଟରୁ ନଗଦ ୯୬ ହଜାର ଟଙ୍କା ଓ ୧୦ ଗ୍ରାମ ଓଜନର ସୁନା କଏନ୍‌ ଜବତ ହୋଇଛି। ସେ ଏତେଗୁଡ଼ାଏ ଟଙ୍କା କେଉଁଠୁ ଆଣିଲେ; ଉତ୍ତର ଦେଇ ନ ପାରିବାରୁ ତାଙ୍କୁ ଭିଜିଲାନ୍ସ ହେପାଜତକୁ ନେଇଥିଲା। ପରେ ଭିଜିଲାନ୍ସ ଟିମ୍‌ ଯାଜପୁର କଳିଙ୍ଗନଗରରେ ଥିବା କାର୍ଯ୍ୟାଳୟ, ଭୁବନେଶ୍ବର ଖଣ୍ଡଗିରିବାରି ପ୍ଲଟ ନମ୍ବର-୧୫୪୯ରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ତାଙ୍କ ଘରୁ ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ଏହି କାରଣରୁ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ବୋଲି ଭିଜିଲାନ୍ସର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ସେହିପରି ତାଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳର ଆଉ ଏକ ମାମଲା ମଧ୍ୟ ରୁଜୁ କରାଯିବ।

Advertisment

ଏଠାରେ ପ୍ରକାଶଥାଉକି ହାଡ଼ିବନ୍ଧୁ ଭୁବନେଶ୍ବର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟାଳୟରେ ବୈଜ୍ଞାନିକ ଥିଲେ। କିଛି ଦିନ ତଳେ ତାଙ୍କର ଯାଜପୁର କଳିଙ୍ଗନଗରକୁ ଆଞ୍ଚଳିକ ଅଧିକାରୀ ଭାବେ ବଦଳି ହୋଇଥିଲା। ଦୀର୍ଘ ଦିନ ହେବ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସୁଥିଲା। ଭିଜିଲାନ୍ସର ଅଧିକାରୀମାନେ ଗତ କିଛି ଦିନ ତଳୁ ତାଙ୍କ ଉପରେ ନଜର ରଖିବା ଆରମ୍ଭ କରିଥିଲେ। ଆଜି ସେ କଳିଙ୍ଗନଗର ଅଞ୍ଚଳରୁ ଜଣେ କ୍ରସର ମାଲିକଙ୍କଠାରୁ ଟଙ୍କା ନେଇ ଭୁବନେଶ୍ବର ଆସୁଥିବା ଭିଜିଲାନ୍ସର ଅଧିକାରୀମାନେ ଖବର ପାଇଥିଲେ। ଭିଜିଲାନ୍ସର ଏକ ଟିମ୍ ଖଣ୍ଡଗିରି ଅଞ୍ଚଳରେ ତାଙ୍କୁ ଅପେକ୍ଷା କରିଥିଲେ। ହାଡ଼ିବନ୍ଧୁ ଭୁବନେଶ୍ବରରେ ପହଞ୍ଚିବା ପରେ ତାଙ୍କୁ କାବୁ କରାଯାଇଥିଲା।

ପରେ ଭୁବନେଶ୍ବର ଭିଜିଲାନ୍ସ ବିଭାଗ ନିର୍ଦ୍ଦେଶକ୍ରମେ ଯାଜପୁର ଭିଜିଲାନ୍ସ ଡିଏସପି ବନମାଳୀ ଧଳ ଧବଳଗିରିସ୍ଥିତ ଶ୍ରୀ ପାଣିଗ୍ରାହୀଙ୍କ କାର୍ଯ୍ୟାଳୟରେ ଚଢ଼ଉ କରି ୪ଟି ଗୁରୁତ୍ବପୂର୍ଣ୍ଣ ଫାଇଲ ଓ ନଥିପତ୍ର ଜବତ କରିଛନ୍ତି। ଏହାଛଡ଼ା ଭିଜିଲାନ୍ସ ଟିମ୍‌ ଅନୁଗୁଳରେ ତାଙ୍କର ଏକ ପ୍ଲଟ୍‌, ଭୁବନେଶ୍ୱର ଖଣ୍ଡଗିରିରେ ତାଙ୍କର ଏକ ଘର, ୪୪୨ ଗ୍ରାମ୍‌ର ସୁନା, ଏକ କେଜି ୧୬୮ ଗ୍ରାମ୍‌ ରୁପା, ୩ଟି କାର ଠାବ କରିଛି। ହାଡ଼ିବନ୍ଧୁଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସଂପତ୍ତିର ମୂଲ୍ୟ ୧ କୋଟି ୩୬ ଲକ୍ଷ ଟଙ୍କା ହେବ ବୋଲି ଭିଜିଲାନ୍ସ ଆକଳନ କରିଛି।